ପ୍ରଦୀପଙ୍କ କଳା କାରନାମାର ତାଲିକା ରଖିଲା ବିଜେଡି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜନତା ଭରସା କରି ଭୋଟ୍ ଦେଇଥିଲେ । ସେଇ ଜନତାଙ୍କ ଭରସା ଯୋଗୁ ହିଁ ପ୍ରଦୀପ ପାଣିଗ୍ରାହୀ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ହେଲେ ଜନତାଙ୍କ ଭରସାକୁ ସେ ଭାଙ୍ଗିଛନ୍ତି । ବିଶ୍ୱାସଘାତ କରିଛନ୍ତି ଜନତାଙ୍କ ସହ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜନବିରୋଧୀ କାର୍ଯ୍ୟର ଲମ୍ବା ଚିଠା ଓ ଦସ୍ତାବିଜ୍ ରଖିବା ସହ ଏଭଳି ଗୁରୁତର ଅଭିଯୋଗ ଆଣିଛି ବିଜେଡି ।
ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କାର ହେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ଗଣମାଧ୍ୟମ ଆଗରେ ବାରମ୍ବାର ସଫେଇ ରଖୁଛନ୍ତି । ନିଜକୁ ସ୍ୱଚ୍ଛ କହିବା ସହ ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା ପାଠକ ପରିବାର ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି । ସେ କୌଣସି ଜନବିରୋଧୀ କାମ କରିନଥିବା କହୁଛନ୍ତି । ପ୍ରଦୀପଙ୍କ ଏଭଳି ସଫେଇର ଜବାବ ରଖିଛି ବିଜେଡି ।
ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ଏ ପ୍ରସଙ୍ଗରେ ବିବୃତି ରଖି ପ୍ରଦୀପଙ୍କ ଜନବିରୋଧୀ କାର୍ଯ୍ୟର ଲମ୍ବା ତାଲିକା ଥୋଇଛନ୍ତି । ଶ୍ରୀ ମଙ୍ଗରାଜ କହିଛନ୍ତି, ଓଡ଼ିଶାବାସୀଙ୍କୁ ବୋକା ଭାବି ଭୁତାଇବାକୁ ଚେଷ୍ଟା କରୁଛନ୍ତି ତିନି ତିନି ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ । ତାଙ୍କ ଭାବି ଜ୍ୱାଇଁ କୁଆଡେ଼ ଟାଟା କମ୍ପାନିର ଉଚ୍ଚପଦସ୍ଥ ଅଧିକାରୀ, ଯିଏକି ସବୁଠୁ ମହଙ୍ଗା ଚାଟାର୍ଡ ବିମାନରେ ଯାତ୍ରା କରନ୍ତି ଓ ନାମୀଦାମୀ ଫ୍ଲାଟରେ ରହନ୍ତି ବୋଲି ପ୍ରଦୀପ କହୁଛନ୍ତି । ହେଲେ ଟାଟା କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି, ଆକାଶ ପାଠକଙ୍କ ସହ ଟାଟା କମ୍ପାନିର କୌଣସି ସମ୍ପର୍କ ନାହିଁ । ଖୋଦ୍ ଟାଟା ଏତଲା ଦେଇଛି ଯେ ବହୁ ଯୁବକ/ଯୁବତୀଙ୍କୁ ଟାଟା କମ୍ପାନିରେ ଚାକିରି ଦେବା ନାଁରେ ଜାଲ୍ ନିଯୁକ୍ତିପତ୍ର ଦେବା ସହ ଆକାଶ କୋଟି କୋଟି ଟଙ୍କା ଠକିଛନ୍ତି ।
ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ମଙ୍ଗରାଜ କହିଛନ୍ତି, ପ୍ରଦୀପ କ’ଣ ଓଡ଼ିଶାବାସୀଙ୍କୁ ମୁର୍ଖ ଭାବିଛନ୍ତି? ନହେଲେ ଏପରି ହାଇପ୍ରୋଫାଇଲ୍ ଠକାମିକୁ ଲୁଚାଇବାକୁ ଓଡ଼ିଶାବାସୀଙ୍କୁ ମନଗଢ଼ା କଥା କହି ଦିନରେ ଜହ୍ନରେ ଦେଖାଇବାକୁ ପ୍ରୟାସ କରିନଥାନ୍ତେ । ଏହା ଧୋକା ନୁହେଁ ତ ଆଉ କ’ଣ?
ବିଜେଡି ଆହୁରି କହିଛି, ଯେତେବେଳେ ଗଞ୍ଜାମରେ କରୋନା ସ୍ଥିତି ଭୟଙ୍କର ଥିଲା, ସେତେବେଳେ ଗୋପାଳପୁର ବିଧାୟକ ପ୍ରଦୀପ ପରିବାର ସହ ଦିଲ୍ଲୀରେ ପଞ୍ଚତାରକା ହୋଟେଲରେ ଦିନକୁ ଅଢେ଼ଇ ଲକ୍ଷ ଟଙ୍କା ଉଡ଼ାଇ ମଉଜ କରୁଥିଲେ । ନିଜ ଅୟସ ପାଇଁ ପ୍ରଦୀପ ଉଡ଼ାଉଥିବା ଟଙ୍କା କାହାର ଥିଲା? ଏତେ ଟଙ୍କା ସେ କେଉଁଠୁ ଆଣିଥିଲେ ବୋଲି ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଛନ୍ତି ।
ଶ୍ରୀ ମଙ୍ଗରାଜ କହିଛନ୍ତି, ପ୍ରକୃତରେ ଏହା ଓଡ଼ିଶାବାସୀଙ୍କ ଝାଳ ବୁହା ଟଙ୍କା ଥିଲା, ଯାହାକୁ ପ୍ରଦୀପ ବେଧଡ଼କ ଭାବେ ଖର୍ଚ୍ଚ କରୁଥିଲେ । ଏହି ଟଙ୍କା ସେଇମାନଙ୍କର ଯେଉଁମାନେ ଦିନରାତି ଏକ କରି ଉପାର୍ଜନ କରିଥିବା ଟଙ୍କାକୁ ଟାଟା କମ୍ପାନିରେ ଚାକିରି ଖଣ୍ଡିଏ ପାଇବା ଆଶାରେ ତାଙ୍କୁ ଟେକି ଦେଇଥିଲେ । ଏସବୁ ଜନବିରୋଧୀ କାର୍ଯ୍ୟକଳାପ ନୁହେଁ ତ ଆଉ କ’ଣ ବୋଲି ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଛନ୍ତି ।
ପ୍ରଦୀପଙ୍କ ଗୁମର ଖୋଲି ବିଜେଡି କହିଛି, ଯିଏ ବିଳାସପୂର୍ଣ୍ଣ ଜୀବନ ବିତାଇବା ପାଇଁ ନିଜ ଭାବି ଜ୍ୱାଇଁକୁ ଟାଟା କମ୍ପାନିର ଫେକ୍ ଏମ୍ଡି କରିପାରନ୍ତି,ତାଙ୍କୁ କ’ଣ କୁହାଯିବ?
ଶ୍ରୀ ମଙ୍ଗରାଜ କହିଛନ୍ତି, ଭାବି ଜ୍ୱାଇଁ ଆକାଶ ପାଠକଙ୍କୁ ଟାଟା କମ୍ପାନିର ଏମ୍ଡି ପରିଚୟ ଦେଇ ପ୍ରଦୀପ ନିଜ ନିର୍ବାଚନମଣ୍ଡଳୀରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ୍ କରିଥିଲେ । ବିସ୍ଥାପିତ ପରିବାର ଲୋକଙ୍କୁ ଚାକିରି ଦେବାରେ ନାଁରେ ସେ ଠକିଛନ୍ତି । ଏତେ ସବୁ ପରେ ବି ପ୍ରଦୀପ କହୁଛନ୍ତି, ଆକାଶ କୁଆଡେ଼ ଟାଟା କମ୍ପାନିର ପ୍ରକୃତ ଏମ୍ଡି । ଯଦି ଆକାଶ ଏମ୍ଡି ବୋଲି ପ୍ରମାଣ ନ କରିପାରିବେ, ସେ ଓଡ଼ିଶା ଛାଡ଼ିଦେବେ ବୋଲି କହୁଛନ୍ତି । ଏ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଦୀପ ଲୋକଙ୍କୁ ଭ୍ରମିତ କରୁଛନ୍ତି । ଚାକିରି ପାଇଁ ଟଙ୍କା ଦେଇଥିବା ବ୍ୟକ୍ତିଙ୍କୁ ତାଙ୍କ ବିରୋରେ ନ ଯିବାକୁ ପରୋକ୍ଷରେ ଧମକାଉଛନ୍ତି । ମାତ୍ର ଓଡ଼ିଶାବାସୀ ପ୍ରଦୀପଙ୍କ ଚାଲ୍ ଜାଣି ସାରିଛନ୍ତି । ଏଭଳି ଧୋକାବାଜଙ୍କୁ ରାଜ୍ୟବାସୀ କେବେ କ୍ଷମା ଦେବେନାହିଁ ।
ଶ୍ରୀ ମଙ୍ଗରାଜ କହିଛନ୍ତି, ଓଡ଼ିଶାବାସୀଙ୍କ ପାଇଁ କାମ କରିବା ବିଜେଡି ଦଳର ଏକମାତ୍ର ଉଦେ୍ଧଶ୍ୟ । ପ୍ରଦୀପ ନିଜ ସ୍ୱାର୍ଥ ପାଇଁ ଭାବି ଜ୍ୱାଇଁଙ୍କୁ ବ୍ୟବହାର କରି ନିଜ ନିର୍ବାଚନମଣ୍ଡଳୀବାସୀଙ୍କୁ ଧୋକା ଦେଇଛନ୍ତି । ଯିଏ ନିଜ ସ୍ୱାର୍ଥ ପାଇଁ ଓଡ଼ିଶାବାସୀଙ୍କୁ ବାରମ୍ବାର ମିଛ କହିପାରେ, ସେପରି ବ୍ୟକ୍ତିଙ୍କ ପାଇଁ ଦଳରେ ସ୍ଥାନ ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons