ରାଇଘର ଅଞ୍ଚଳରେ ମାଓ ପୋଷ୍ଟର

Get real time updates directly on you device, subscribe now.

ରାଇଘର,(ବି.ବି.ନୁ୍ୟଜ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ମାଓବାଦୀ ପୁଣି ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି । ବ୍ଲକର ଦୁଇଟି ସ୍ଥାନ ବାଘବେଡା ଏବଂ ମହୁଭାଟ୍ଟାରେ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି । ଅନେକ ଲିଫଲେଟ୍ ମଧ୍ୟ ମିଳିଛି । ପୋଷ୍ଟରଗୁଡିକ ଭାରତୀୟ କମୁ୍ୟନିଷ୍ଟ ପାର୍ଟି(ମାଓବାଦୀ), ମଇନପୁର, ନୂଆପଡା ଡିଭିଜନ ପକ୍ଷରୁ ଲଗାଯାଇଥିବା ଏଥିରେ ଉଲ୍ଲେଖ ରହିଛି । ବ୍ୟାନର ପାଖରେ ଏକ ତେଲ ଡବା ସହ କିଛି ବିଦୁ୍ୟତ୍ ତାର ମଧ୍ୟ ଦେଖିବାକୁ ମିଳିଛି । ଏହାକୁ ନେଇ ନାନା ସନେ୍ଦହ ଉପୁଜିଛି । ପିଏଲଜିଏ ସପ୍ତାହ ଚାଲିଥିବାରୁ ମାଓବାଦୀମାନେ କୌଣସି ପ୍ରକାର ବିସ୍ଫୋରଣ କରିବାକୁ ଯୋଜନା କରୁଥିଲେ ବୋଲି କୁହାଯାଉଛି । ଗତ ଶନିବାର ସନ୍ଧ୍ୟାରେ ଏହି ପୋଷ୍ଟର ଲଗାଯାଇଥିବା ଅନୁମାନ କରାଯାଉଛି । ରବିବାର ସକାଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାନର ଓ ଲିଫଲେଟଗୁଡିକୁ ଜବତ କରିଛି ।
ସୂଚନା ଅନୁସାରେ, ରାଇଘର ସଦର ମହକୁମାରୁ ୨ କିମି ଦୂର ବାଘବେଡା ଏବଂ ମହୁଭାଟ୍ଟା ରାସ୍ତାରେ ଏହି ବ୍ୟାନର ଦେଖିବାକୁ ମିଳିଛି । ରାସ୍ତା ମଝି ଅଞ୍ଚଳରେ ଥିବା ଏକ ପୋଲ ପାଖରେ ଏହି ପୋଷ୍ଟର ଓ ବ୍ୟାନର ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରକୁ ଏଥିରେ ଫାସିବାଦ ଦର୍ଶାଯାଇଛି । ଏମାନଙ୍କ ଶାସନକୁ ଓପାଡି ଫିଙ୍ଗି ଦେବାକୁ ଆହ୍ୱାନ ଦିଆଯାଇଛି । ଏଥିସହ ଜମି, ଜଳ, ଜଙ୍ଗଲ ଉପରେ ଲୋକଙ୍କ ଅଧିକାର ନେଇ ସଶସ୍ତ୍ର ସଙ୍ଘର୍ଷରେ ସାମିଲ ହେବାକୁ ଯୁବକଯୁବତୀଙ୍କୁ ପରାମର୍ଶ ଦିଆଯାଇଛି । ବ୍ରାହ୍ମଣ, ହିନ୍ଦୁତ୍ୱ ଓ ଫାସୀବାଦକୁ ହଟାଇବାକୁ ଏଥିରେ କୁହାଯାଇଛି । ପୁଞ୍ଜିବାଦ ବିରୋଧରେ ସ୍ୱର ଉତ୍ତୋଳନ କରାଯାଇଛି । ସରକାରଙ୍କ ମାଓବାଦୀ ଆତ୍ମ ସମର୍ପଣ ନୀତିକୁ ରାଜନୀତି ବୋଲି ଏଥିରେ ଦର୍ଶାଯାଇଛି । ନରସଂହାର ଓ ମିଛ ଏନକାଉଣ୍ଟର ବନ୍ଦ କରିବାକୁ ଦାବି ହୋଇଛି । ଜନତା ଯୁଦ୍ଧରେ ସାମିଲ ହେବାକୁ ବ୍ୟାନରରେ ଉଲ୍ଲେଖ ରହିଛି । ସୂଚନାଯୋଗ୍ୟ, କୁନେ୍ଦଇ ଥାନା ଉଡାଇବା ସହ ୨୦୧୦ ଓ ୨୦୧୨ ହତ୍ୟାକାଣ୍ଡ ପରେ ୨୦୧୪ ରେ ବ୍ଲକକୁ ସିଆରପିଏଫ୍ ଯବାନ ଆସିଥିଲେ । ଏହା ପରେ କୁନେ୍ଦଇ ଥାନା ପୁନଃ ନିର୍ମାଣ କରାଯାଇଥିଲା । ଧୀରେଧୀରେ ଜିଲ୍ଲାରୁ ମାଓବାଦୀଙ୍କ ଦବଦବା କମିବାରେ ଲାଗିଥିଲା । ଏବେ ପୁଣି ଅଞ୍ଚଳରେ ମାଓ ପୋଷ୍ଟର ଲାଗିଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons