ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ:୪୫ ଦିନରେ ଜମି ଅଧିଗ୍ରହଣ

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ): ହୋଇପାରୁନି ଜମି ଅଧିଗ୍ରହଣ । ଫଳରେ ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ ଗତ ତିନି ବର୍ଷ ହେଲା ଆଗେଇ ପାରୁନି । ଏପରିସ୍ଥଳେ, କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ବୁଧବାର ଏଠାରେ ପ୍ରଶାସନ ପକ୍ଷରୁ ଏକ ଜରୁରୀ ବୈଠକ ବସିଥିଲା । ଆସନ୍ତା ୪୫ ଦିନ ମଧ୍ୟରେ ଜମି ଅଧିଗ୍ରହଣ କାମ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ସାଂସଦ ରମେଶ ଚନ୍ଦ୍ର ମାଝି ବୈଠକରେ ଅଧ୍ୟକ୍ଷତା କରିଥିଲେ । ସ୍ଥାନୀୟ ମିଶନ ଶକ୍ତି ସଭାଗୃହରେ ଏହାର ଆୟୋଜନ କରାଯାଇଥିଲା । ଆଲୋଚନା ବେଳେ ଜମି ଅଧିଗ୍ରହଣକୁ ଗୁରୁତ୍ୱ ଦିଆଯାଇଥିବା ବେଳେ କାମ ଆରମ୍ଭ କରିବାକୁ ଆବଶ୍ୟକ ଅମିନ, ଆର୍ଆଇଙ୍କୁ ନିଯୁକ୍ତ ଦେବାକୁ ନିଷ୍ପତ୍ତି ହୋଇଛି । ପ୍ରକଳ୍ପ ପାଇଁ ଜିଲ୍ଲାରେ ମାତ୍ର ୧୧ କିମି ଓ କୋରାପୁଟ ଜିଲ୍ଲାରେ ୩୦ କିମି ଜମି ଅଧିଗ୍ରହଣ କରାଯିବ । କେବଳ ନବରଙ୍ଗପୁର ଜିଲ୍ଲା ପାଇଁ ୧୯୪ ଏକର ଜମି ଅଧିଗ୍ରହଣ ଯୋଜନା ରହିଛି । ନନ୍ଦାହାଣ୍ଡି ଓ ନବରଙ୍ଗପୁର ବ୍ଲକର ୨ଟି ଗାଁର ୪୫ ଏକର ଓ ରେଳଷ୍ଟେସନ୍ ପାଇଁ ନନ୍ଦାହାଣ୍ଡି ବ୍ଲକର ଗାଦବାଗୁଡା ଓ ପଡାଲଗୁଡା ଗାଁରେ ୧୪୯ ଏକର ଜମି ଅଧିଗ୍ରହଣ ପାଇଁ ସର୍ଭେ କାମ ଶେଷ ହୋଇଛି । ଅର୍ଥନୈତିକ ଓ ସାମାଜିକ ସର୍ଭେ ମଧ୍ୟ ଶେଷ ହୋଇଛି । କେବଳ ଜମି ଅଧିଗ୍ରହଣ ବାକି ରହିଛି । ଏପରିସ୍ଥଳେ, ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୪୫ ଦିନ ମଧ୍ୟରେ ଜମି ଅଧିଗ୍ରହଣ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର କହିଛନ୍ତି । କରୋନା ପାଇଁ ପ୍ରକ୍ରିୟା ଅଟକି ରହିଥିବା ବେଳେ କୋରାପୁଟ ଜିଲ୍ଲାରେ ପ୍ରକ୍ରିୟା ଆରମ୍ଭ କରିବାକୁ ଆହୁରି ଦେଢମାସ ସମୟ ଲାଗିବ ବୋଲି ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସୟ ସ୍ପଷ୍ଟ କରିଛନ୍ତି । ନବରଙ୍ଗପୁର-ଜୟପୁର ଓ ଜୟପୁର-ମାଲକାନଗିରି ପ୍ରକଳ୍ପ ପାଇଁ ଖୁବଶୀଘ୍ର ଦ୍ୱିତୀୟ ବୈଠକ କରାଯିବ ବୋଲି ସାଂସଦ ଶ୍ରୀ ମାଝି କହିଛନ୍ତି । ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ ପରେ ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି ଶ୍ରୀ ମାଝି ସୂଚନା ଦେଇଛନ୍ତି ।
ଜୟପୁର-ନବରଙ୍ଗପୁର ରେଳ ସଂଯୋଗ ପାଇଁ ୨୦୧୭ରେ ୭୪୭ କୋଟି ଟଙ୍କା ମଞ୍ଜୁର ହୋଇଥିଲା । କିନ୍ତୁ ଜମି ଅଧିଗ୍ରହଣ ବିଳମ୍ବ ହେବାରୁ କାମ ଅଟକି ରହିଛି । ବୈଠକରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲାପାଳ ତଥା ଜମି ଅଧିଗ୍ରହଣ ଅଧିକାରୀ ସୁବାସ ରଇତ, ଅତିରିକ୍ତ ଜିଲ୍ଲାପାଳ ନିମାଇ ଚରଣ ସୂତାର, ଇଷ୍ଟକୋଷ୍ଟ ରେଲ୍ୱେ ଛତିଶଗଡ ଜଗଦ୍ଧଲପୁରର ନିର୍ବାହୀ ଯନ୍ତ୍ରୀ ଟି.ଭି, ରାମାନ୍ନା, ନବରଙ୍ଗପୁର ଅତିରିକ୍ତ ତହସିଲଦାର ଗୀତ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons