ଜଗତସିଂହପୁର,(ବି.ବି.ନୁ୍ୟଜ): କୃଷି କ୍ଷେତ୍ରରେ ଉନ୍ନତି ଏବଂ କୃଷକଙ୍କ ସ୍ୱାର୍ଥ ଲାଗି ସରକାର ହାତଖୋଲା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆରଏମ୍ସି ଜରିଆରେ ମଡେଲ ମଣ୍ଡି ନିର୍ମାଣର ପରିକଳ୍ପନା କରି କୃଷିଜାତ ଦ୍ରବ୍ୟର କିଣାବିକା ପାଇଁ ରାସ୍ତା ପ୍ରଶସ୍ଥ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬୬ଟି ଆରଏମ୍ସିରୁ ପ୍ରାୟ ୩୫ଟି ଆରଏମ୍ସିରେ ଏଭଳି ମଡେଲ ମଣ୍ଡି ନିର୍ମାଣ କରାଯିବାକୁ ବ୍ୟୟ ଅଟକଳ ହୋଇସାରିଛି । ଏହାଛଡ଼ା ଅତି କମ୍ରେ ୨ ଏକର, ୩ ଏକର କିମ୍ବା ୫ ଏକର ଜମିରେ ଏପ୍ରକାରର ପ୍ରକଳ୍ପ କରାଯିବାକୁ ଖସଡ଼ା ପ୍ରସ୍ତୁତ କରାଯାଇଛି । ତେବେ ଯେଉଁ ଆରଏମ୍ସି(ନିୟନ୍ତ୍ରିତ ବଜାର କମିଟି)ରେ ୧ ଏକର ଜାଗା ଥିବ ସେଠି ମଧ୍ୟ ମଡେଲ ମଣ୍ଡି ନିର୍ମାଣ କରାଯାଇପାରିବ । ଏହି କ୍ରମରେ ଜଗତସିଂହପୁର ଆରଏମ୍ସି ଭାଗ୍ୟରେ ମଡେଲ ମଣ୍ଡି ନିର୍ମାଣ ଲାଗି ସବୁଜ ସଙ୍କେତ ମିଳିସାରିଛି । ବଜେଟ୍ ଅଟକଳ ୨ କୋଟି ୫୦ ଲକ୍ଷ ଟଙ୍କାରୁ ଅଧିକ ରଖାଯାଇଛି । ସ୍ଥାନୀୟ ଚାଟ୍ରା କୃଷକ ବଜାର ପାଶ୍ୱର୍ରେ ଏହି ମଡେଲ ମଣ୍ଡି ତିଆରି ପାଇଁ ସ୍ଥିର ହୋଇଛି ।
କେବଳ ଚାଷୀ ଉପôାଦିତ ଦ୍ରବ୍ୟର ଉଚିତ ମୂଲ୍ୟରେ କିଣାବିକା ପାଇଁ ଏଭଳି ମଡେଲ ମଣ୍ଡି ନିର୍ମାଣ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଯେଉଁଠି ଉପôାଦିତ କଷିଜାତ ଦ୍ରବ୍ୟର ମାନ ନିର୍ଦ୍ଧାରଣ କରିବେ ଆରଏମ୍ସି କର୍ତ୍ତୃପକ୍ଷ, ତାହା ପୁଣି ବିନା ମୂଲ୍ୟରେ । ଉଭୟ ଚାଷୀ ଓ ବେପାରୀମାନେ ଏଠାକୁ ଆସିବେ । ଦ୍ରବ୍ୟ କିଣାବିକା ଅନ୍ଲାଇନ୍ ମାଧ୍ୟମରେ କରାଯିବ । ଚାଷୀ ଆଣିଥିବା ଦ୍ରବ୍ୟ ଯଦି ସେଇଦିନ ବିକ୍ର୍ରୟ ନହୋଇ ପାରିଲା, ତେବେ ଏଠାରେ ୩ ଦିନ ପର୍ଯ୍ୟନ୍ତ ବଳକା କୃଷିଜାତ ଦ୍ରବ୍ୟକୁ ଚାଷୀମାନେ ଗଚ୍ଛିତ ରଖିପାରିବେ । ଏଥିପାଇଁ ଚାଷୀଙ୍କୁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ । ବେପାରୀମାନଙ୍କ ଲାଗି ମଧ୍ୟ ଏହି ସମାନ ସୁବିଧା ଉପଲବ୍ଧ ହେବ । ସୁରକ୍ଷା ଦୃଷ୍ଟିକୋଣରୁ ମଡେଲ ମଣ୍ଡିର ଗୋଦାମ ଘରେ ବଳକା କୃଷିଜାତ ଦ୍ରବ୍ୟକୁ ରଖାଯିବ । ଏତଦ୍ଭିନ୍ନ ମଣ୍ଡିରେ ବେପାରୀମାନଙ୍କୁ ଅଧିକ ସୁବିଧା ପ୍ରଦାନ କରାଯିବ । ବିଶେଷକରି ଏମାନେ ମାଗଣାରେ ଓଜନ କଣ୍ଟାକୁ ବ୍ୟବହାର କରିପାରିବେ । ତତ୍ସହିତ ଚାଷୀଙ୍କ ଠାରୁ କୃଷିଜାତ ଦ୍ରବ୍ୟ କ୍ରୟ କରିବା ସମୟରେ ବେପାରୀମାନଙ୍କୁ ଆନୁସଙ୍ଗିକ ସରଞ୍ଜାମ ବା ଯନ୍ତ୍ରପାତି ଯୋଗାଇ ଦିଆଯିବ ।
ରାଜ୍ୟରେ ପ୍ରଥମ ଥର ପାଇଁ ନିର୍ମାଣ ହେବାକୁ ଯାଉଥିବା ମଡେଲ ମଣ୍ଡିରେ ଓଜନ କଣ୍ଟା, ଚାଷୀ ସୂଚନା କେନ୍ଦ୍ର, କୃଷିଜାତ ଦ୍ରବ୍ୟର ନିଲାମ ଗୃହ, ଗୋଦାମ ଘର, ଦୋକାନ ଗୃହ, ବ୍ୟାଙ୍କିଙ୍ଗ୍ ସୁବିଧା(ଏଟିଏମ୍), ସୁରକ୍ଷା ଗାର୍ଡ ମୁତୟନ, ପ୍ରଶାସନିକ ଭବନ, ଚାଷୀ ବିଶ୍ରାମ କକ୍ଷ, ଯାନବାହାନଙ୍କ ପାଇଁ ପାର୍କିଂ ସ୍ଥଳ, ଛୋଟ ଉଦ୍ୟାନ, ଶୌଚାଳୟ ଆଦି ରହିବ । ଏଭଳି ମେଗା କୃଷି ହବ୍ରେ ବେପାରୀ ଓ ଚାଷୀଙ୍କ ଗହଳି ରହିବାର ଯଥେଷ୍ଟ ସମ୍ଭାବନାକୁ ଦୃଷ୍ଟିରେ ରଖି ସରକାର ଏଠାରେ କ୍ୟାଣ୍ଟିନ୍ ବ୍ୟବସ୍ଥା ରଖିଛନ୍ତି । କେବଳ ସେତିକି ନୁହେଁ, ପୂରା ପ୍ରକଳ୍ପ ଅଞ୍ଚଳରେ ସିସିଟିଭିର ନଜର ରହିବ ବୋଲି ସ୍ଥାନୀୟ ଆରଏମ୍ସି ସୂତ୍ରରୁ ପ୍ରକାଶ ।
ଜିଲ୍ଲାର ଜଗତସିଂହପୁର ଓ ରାହାମାରେ ଦୁଇଟି ଆରଏମ୍ସି ରହିଛି । ମାତ୍ର ଜାଗା ନଥିବାରୁ ଏପ୍ରକାରର ମେଗା ପ୍ରକଳ୍ପରୁ ରାହାମା ଆରଏମ୍ସି ବାଦ୍ ପଡ଼ିଛି । ଅପରପକ୍ଷେ ଏକ ଏକର ଜାଗା ଉପରେ ଜଗତସିଂହପୁର ଆରଏମ୍ସି ଅଧୀନରେ ୨ କୋଟି ୫୦ ଲକ୍ଷରୁ ଅଧିକ ଟଙ୍କାରେ ମଡେଲ ମଣ୍ଡି ନିର୍ମାଣ ହେବାକୁ ସରକାର ମନ ବଳାଇ ସାରିଛନ୍ତି । ଏହା ଭିତରେ ଜଗତସିଂହପୁର ଆରଏମ୍ସି ପକ୍ଷରୁ ପ୍ରକଳ୍ପର ଏଷ୍ଟିମେଟ୍ ପ୍ରସ୍ତୁତ କରାଯାଇ ସରକାରଙ୍କ ପାଖକୁ ପଠାଯାଇ ସାରିଲାଣି ।


Comments are closed, but trackbacks and pingbacks are open.