ବ୍ରହ୍ମପୁର, (ବି.ବି.ନୁ୍ୟଜ): ବ୍ରହ୍ମପୁରରେ ଏବେ ପୁଲିସ ଠୁ ଆଗରେ ରହିଛନ୍ତି ଚୋର । ଦୁଇ ଦୁଇଟି ଜୁଏଲର୍ସ ଦୋକାନରୁ ଚୋରି ପରେ ଓ ତାହାର ଅଭିଯୁକ୍ତଙ୍କୁ ଠାବ କରିବାରେ ପୁଲିସ ଚିନ୍ତିତ ରହିଥିବା ବେଳେ ଶନିବାର ରାତିରେ ଗୋଟିଏ ଗାଡ଼ି ସୋ’ ରୁମ୍ରୁ ଚୋରି ହୋଇଛି । ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡ଼ାସିଙ୍ଗି ଛକରେ ଥିବା ଭେସ୍ପା ସୋ’ ରୁମ୍ରୁ ଚୋରି କରିଛନ୍ତି ଦୁର୍ବୃତ୍ତ । କ୍ୟାସ୍ ଡ୍ର’ରୁ ପ୍ରାୟ ୩ ଲକ୍ଷ ଟଙ୍କା ଚୋରି କରିବା ପରେ ପ୍ରମାଣ ନଷ୍ଟ କରିବାକୁ ସିସିଟିଭ୍ ଡିଭିଆର୍ ମଧ୍ୟ ନେଇ ପଳାଇଛନ୍ତି ଚୋର । ବୈଦ୍ୟନାଥପୁର ଥାନା ପୁଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହ ଖାନତଲାସ କରିଛି ।
ଶନିବାର ସନ୍ଧ୍ୟାରେ ସୋ’ରୁମ୍ ବନ୍ଦ ହୋଇଥିଲା । ରବିବାର ବ୍ୟାଙ୍କ୍ ବନ୍ଦ ଥିବାରୁ ଶନିବାର ଯାହା କାରବାର ହୋଇଥିଲା ସେହି ଟଙ୍କା ସୋ’ରୁମ୍ ଡ୍ର’ରେ ହିଁ ରଖାଯାଇ ଥିଲା । ସୋ’ରୁମ୍ ଆଗରେ ସୁରକ୍ଷା କର୍ମୀ ଜଗିଥିଲା । କିନ୍ତୁ ଭୋର୍ ୪ଟା ବେଳେ ସେ ସୋ’ରୁମ୍ ଭିତର ବାଥ୍ରୁମ୍କୁ ଆସିବା ବେଲେ ଯାହା ଦେଖିଥିଲା ଆଶ୍ଚର୍ଯ୍ୟ ହୋଇଯାଇଥିଲା । ସୋ’ରୁମ୍ ସଟର୍ ତାଲା ଭଙ୍ଗା ଯାଇଥିଲା, ସେଠାରେ ସବୁ ଜିନିଷ ଭଙ୍ଗାରୁଜା ହୋଇ ପଡିଥିଲା । ସୁରକ୍ଷା କର୍ମୀ ଜଣକ ସୋ’ରୁମ୍ ମାଲିକଙ୍କୁ ଖବର ଦେଇଥିଲେ । ଭୋର୍ ୫ଟାରେ ମାଲିକ ପାର୍ଥ ପାଢ଼ି ସେଠାରେ ପହଞ୍ଚି ସବୁ ଦେଖିବା ସହ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ । ଏତଲା ପାଇବା ପରେ ଆଇଆଇସି ଶାରଦା ପ୍ରସନ୍ନ ଦାଶ ସଦଳବଳେ ସେଠାରେ ପହଞ୍ଚିଥିଲେ । ସାଇଣ୍ଟିଫିକ୍ ଟିମ୍ ଓ ଅନୁସନ୍ଧାନକାରୀ କୁକୁର ମଧ୍ୟ ପହଞ୍ଚିଥିଲା । ଚୋରଙ୍କ ପାଦ ଚିହ୍ନ, ଫିଙ୍ଗର୍ ପ୍ରିଣ୍ଟ୍ ପୁଲିସ ହାତରେ ଲାଗିଥିବା ଜଣାପଡିଛି । ଚୋରମାନେ ପଛପଟ ରାସ୍ତାରେ ଭିତରେ ପଶିଛନ୍ତି । ସେଠାରେ ସବୁ ଜିନିଷପତ୍ର ଖୋଜାଖୋଜି କରିବା ସାଙ୍ଗକୁ ଡ୍ର’ରୁ ଟଙ୍କା ବାହାର କରି ନେଇଛନ୍ତି । ଯିବା ପୂର୍ବରୁ ସେମାନେ ସିସିଟିଭି ଡିଭିଆର୍ ଓପାଡି ନେଇଯାଇଛନ୍ତି ।
ଦେଢ଼ ମାସ ତଳେ ଅର୍ଥାତ୍ ଅକ୍ଟୋବର ୩୦ ତାରିଖ ରାତିରେ ବିନୋଦ ଜୁଏଲର୍ସରୁ ହୋଇଥିବା ଦେଢ଼ କିଲୋ ସୁନା ଚୋରି ହୋଇଥିଲା । ଦୁଇ ଦିନ ତଳେ ବଡ଼ବଜାର କେଶବ ଜୁଏଲର୍ସରୁ ଚୋରି କରିଛନ୍ତି ଦୁର୍ବୃତ୍ତ । ଉଭୟ ଘଟଣାର ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଧରା ହୋଇନଥିବା ବେଳେ ପୁଣି ଗାଡି ସୋ’ରୁମ୍ରୁ ଚୋରି ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଚୋର ଅତି ଚତୁରତାର ସହ ଆସି ନିଜ ଲକ୍ଷ୍ୟରେ ସଫଳ ହେଉଛନ୍ତି, କିନ୍ତୁ ପୁଲିସ ସେମାନଙ୍କୁ ଧରିବାରେ ବିଫଳ ହୋଇଛି । ବୈଦ୍ୟନାଥପୁର ଥାନା ଆଇଆଇସି ଶାରଦା ପ୍ରସନ୍ନ ଦାଶ କହିଛନ୍ତି, ଏ ନେଇ ମାମଲା ରୁଜୁ କରାଯାଇଛି । ସନେ୍ଦହଘେରରେ ଥିବା ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି । ଶୀଘ୍ର ଚୋରଙ୍କୁ ଧରିବାକୁ ଯୋଜନା କରାଯାଉଥିବା ସେ କହିଛନ୍ତି । ସହରରେ ବାରମ୍ବାର ଚୋରି ପୁଲିସ ପାଇଁ ଚ୍ୟାଲେଞ୍ଜ୍ ପାଲଟିଥିବା ସାଧାରଣରେ ମତ ପ୍ରକାଶ ପାଉଛି ।


Comments are closed, but trackbacks and pingbacks are open.