କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ): ଶୋଇବା ଘରେ ନାଗ ସାପ ପଶିଗଲା । ସିଧା ଖଟ ସେଜ ଉପରକୁ ଉଠିଗଲା । ଫଣା ଟେକି ଛିଡ଼ା ହେଲା । ସାପକୁ ଦେଖି ଲୋକେ ଛାନିଆ ହୋଇ ପଡ଼ିଲେ । ଜୀବନ ବିକଳରେ ଘରୁ ବାହାରକୁ ଦୌଡ଼ି ପଳାଇଲେ । ଖବରପାଇ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ପହଞ୍ଚି ନାଗକୁ ଉଦ୍ଧାର କରି ନେବା ପରେ ଲୋକେ ଆଶ୍ୱସ୍ତ ହୋଇଥିଲେ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ମଧୁଶାସନ ଗ୍ରାମରେ ।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ମଧୁଶାସନ ଗ୍ରାମର ପର୍ଶୁରାମ ବେହେରାଙ୍କ ଶୋଇବା ଘରେ ଗତକାଲି ରାତିରେ ଏକ ନାଗ ସାପ ପଶି ଯାଇଥିଲା । ସାପଟି ସିଧା ଖଟର ସେଜ ଉପରକୁ ଉଠି ଫଣା ଟେକି ଛିଡ଼ା ହୋଇ ଯାଇଥିଲା । ନାଗକୁ ଦେଖି ପର୍ଶୁରାମଙ୍କ ପରିବାର ଲୋକେ ଛାନିଆ ହୋଇ ପଡ଼ିଥିଲେ । ପାଟି କରି ଜୀବନ ବିକଳରେ ଘରୁ ବାହାରକୁ ବାହାରି ଆସିଥିଲେ । ଖବର ପ୍ରଚାରିତ ହେବା ପରେ ଗାଁ ଲୋକଙ୍କ ଭିଡ଼ ଜମିଥିଲା । ଏନେଇ ସ୍ନେକ୍ ହେଲ୍ପ ଲାଇନ୍କୁ ପରିବାର ଲୋକେ ଖବର ଦେଇଥିଲେ । ସ୍ଥାନୀୟ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ନଳୀନିକାନ୍ତ ଦାସ ସେଠାରେ ପହଞ୍ଚିବା ବେଳକୁ ନାଗ ସାପ ଫଣା ଟେକି ସେମିତି ଛିଡ଼ା ହୋଇଥିଲା । ସାପକୁ ଏଭଳି ଅବସ୍ଥାରେ ଦେଖି ଲୋକେ ମୋବାଇଲରେ ଫଟୋ ଉଠାଉଥିଲେ । ନଳୀନି ସାପକୁ ଉଦ୍ଧାର କରି ପ୍ରାକୃତିକ ପରିବେଶ ମଧ୍ୟରେ ଛାଡ଼ି ଦେଇଥିଲେ ।
ସ୍ନେକ୍ ହେଲ୍ପ ଲାଇନ୍ ସଂପାଦକ ଶୁଭେନ୍ଦୁ ମଲ୍ଲିକଙ୍କ କହିବା ଅନୁଯାୟୀ, ସାପମାନେ ଏକ୍ଟୋଥର୍ମିକ ବା ଥଣ୍ଡା ରକ୍ତ ଜାତୀୟ ପ୍ରାଣୀ ହୋଇଥିବାରୁ ଶୀତକୁ ସହି ପାରନ୍ତି ନାହିଁ । ଏଣୁ ଶୀତ ବଢ଼ିବା କ୍ଷଣି ଉଷୁମ ସ୍ଥାନ ଖୋଜି ପୁରା ଶୀତ ସମୟତକ ଲୁଚି ରହନ୍ତି । ଯାହାକୁ ଶୀତଳ ସୁପ୍ତି ବା ହାଇବରନେସନ୍ କୁହାଯାଏ । ଯେହେତୁ ଗତ ୩ ଦିନ ଧରି ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି ନାଗ ସାପଟି ବାହାର ଥଣ୍ଡାରୁ ରକ୍ଷା ପାଇବା ପାଇଁ ସମ୍ଭବତଃ ପର୍ଶରୁରାମଙ୍କ ଘରେ ପଶି ଥାଇପାରେ ।


Comments are closed, but trackbacks and pingbacks are open.