ଫୁଲବାଣୀ/ଜି.ଉଦୟଗିରି/ଦାରିଙ୍ଗବାଡ଼ି, (ବି.ବି.ନୁ୍ୟଜ): କନ୍ଧମାଳରେ ଲଗାତାର ପାରଦ ଖସିବାରେ ଲାଗିଛି । ଏଥିସହ କୋହଲା ପବନ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ତିନିଦିନ ଧରି ଜିଲ୍ଲାର ଦାରିଙ୍ଗବାଡି, ଜି.ଉଦୟଗିରି ଓ ଅନ୍ୟ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ ଜାରି ରହିଥିବା ବେଳେ ଆଜି ଫୁଲବାଣୀ ସହରର ବିଭିନ୍ନ ସ୍ଥାନରେ ତୁଷାରପାତ ଦେଖିବାକୁ ମିଲିଛି । ବୁଧବାର ଫୁଲବାଣୀ ସହରରେ ଲଗାତାର ତୃତୀୟ ଦିନ ପାଇଁ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ଥିବା ବେଳେ ଦାରିଙ୍ଗବାଡିରେ ୫ ଡିଗ୍ରୀ ରହିଥିଲା । ଆଜି ସକାଳୁ ସକାଳୁ ଫୁଲବାଣୀ ବସ୍ଷ୍ଟାଣ୍ଡ ଓ ଅନ୍ୟ କେତେକ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଥିଲା ।
ଜି.ଉଦୟଗିରି ପ୍ରତିନିଧିଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ବୁଧବାର ପୂର୍ବଦିନ ଅପେକ୍ଷା ଅଧିକ ତୁଷାରପାତ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଘର ମାନଙ୍କ ଛାତ ଏବଂ ପାଳ ଗଦା ଉପରେ ତୁଷାରର ମୋଟା ଆସ୍ତରଣ ଦେଖାଯାଇଛି । ଦିନକୁ ଦିନ ପାରଦ ତଳକୁ ଖସୁଥିବାରୁ ଜନଜୀବନ ଦୁର୍ବିସହ ହୋଇପଡ଼ିଛି । କଳିଙ୍ଗା, ଲିଙ୍ଗାଗଡ଼, କତିଙ୍ଗିଆ, ପାବୁରିଆ, ମାଲିକପଡ଼ି, ରଟିଙ୍ଗିଆ, ଗ୍ରେସିଙ୍ଗିଆ ଭଳି ଗ୍ରାମାଞ୍ଚଳରେ ଜାଡ଼ର ପ୍ରଭାବ ଅଧିକ ଅନୁଭୁତ ହେଉଥିବା କୁହାଯାଉଛି । ଶୀତରୁ ରକ୍ଷା ପାଇବା ପାଇଁ ଲୋକ ରାତିସାରା ନିଅାଁ ଜାଳି ବସି ରହୁଛନ୍ତି । ଅପରପକ୍ଷେ ମାତ୍ରାଧିକ ଥଣ୍ଡା ଓ ତୁଷାରପାତ କାରଣରୁ ଚାଷୀଙ୍କ ମଧ୍ୟରେ ଭାଳେଣି ପଶିଛି । ଲଗାତାର ତୁଷାରପାତ ହେଲେ ଶୋରିଷ ଫସଲ ସହ ପନି ପରିବାରେ ଜଉ ପୋକ ଲାଗିବାର ଆଶଂକା ରହିଛିି ବୋଲି କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଦେବାଶୀଷ ମିଶ୍ର ସୂଚନା ଦେଇଛନ୍ତି ।
ଦାରିଙ୍ଗବାଡ଼ି ପ୍ରତିନିଧିଙ୍କ ସୂଚନା ପ୍ରକାରେ ସେଠାରେ ମଧ୍ୟ ଆଜି ତୃତୀୟ ଦିନ ପଇଁ ତୁଷାରପାତ ହୋଇଛି । ଦାରିଙ୍ଗବାଡ଼ିରେ ମଙ୍ଗଳବାର ରାତିର ତାପମାତ୍ରା ୫.୫ ଥିବା ବେଳେ ବୁଧବାର ଏହା ୫କୁ ଖସି ଆସିଛି । ପାରଦର ଏହି କ୍ରମାଗତ ନିମ୍ନଗତି ନିରାଶ୍ରୟ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବୁଧବାର ସକାଳୁ ଦାରିଙ୍ଗବାଡ଼ି ସମେତ ଆଖପାଖ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବରଫର ଘନ ଆସ୍ତରଣ ଦେଖିବାକୁ ମିଳିଛି । ଲୋକଙ୍କ ପାଇଁ ଏହି ଥଣ୍ଡା କ୍ରମଶଃ ଅସହ୍ୟ ହୋଇ ପଡୁଥିବା ଲକ୍ଷ୍ୟ କରାଯାଇଛି । ଦାରିଙ୍ଗବାଡ଼ିରେ ଚାଲିଥିବା ଇକୋ-ରିଟ୍ରିଟ୍କୁ ଆସିଥିବା ପର୍ଯ୍ୟଟକ ମାନେ ମଧ୍ୟ ଏହି ପ୍ରବଳ ଥଣ୍ଡାକୁ ସହି ନ ପାରି କେତେକ ପର୍ଯ୍ୟଟକ ଫେରି ଯାଉଥିବା ଦେଖା ଯାଉଛି । ଏଭଳି ପାଗ ଆହୁରି ତିନିଚାରି ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ଶୀତ ଲହରି ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛି ।


Comments are closed, but trackbacks and pingbacks are open.