ସମ୍ବାଇ ସୀମା ବିବାଦ : ପୁଣି ଯୁଗ୍ମ ସର୍ଭେ ଆରମ୍ଭ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ): ପଟ୍ଟାଙ୍ଗି ବ୍ଲକ ସମ୍ବାଇ ପଞ୍ଚାୟତ ସୀମାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସ୍ଥାୟୀ ସମାଧାନ ହୋଇପାରିନି । ନିକଟରେ ଆନ୍ଧ୍ର ପକ୍ଷରୁ ବେଆଇନ ଭାବେ ଓଡ଼ିଶା ଭିତରେ ରାସ୍ତା ନିର୍ମାଣ କରାଯାଇଥିଲା । ଏହାକୁ ଓଡ଼ିଶା ପକ୍ଷରୁ ପ୍ରତିବାଦ କରାଯାଇଥିଲା । ଆଜି ଉଭୟ ରାଜ୍ୟର ଅଧିକାରୀମାନେ ପୁଣିଥରେ ସୀମା ସମସ୍ୟା ସମାଧାନ ଲାଗି ଆଗକୁ ଆସିଥିଲେ । ସୀମାରେ କରିଥିଲେ ଯୁଗ୍ମ ସର୍ଭେ । କୋରାପୁଟ ଏବଂ ବିଶାଖାପାଟଣା ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ସୁନାବେଡ଼ା ନିକଟରେ ଏ ସମ୍ପର୍କରେ ପ୍ରଥମେ ଆଲୋଚନା କରିଥିଲେ । ପରେ ସେଟେଲମେଣ୍ଟ ଏବଂ ସର୍ଭେ ଅଫ ଇଣ୍ଡିଆ ମ୍ୟାପ୍ ଦେଖିବା ସହ ସୀମା ପଥର କେଉଁ ସ୍ଥାନରେ ରହିଛି, ତାର ଅନୁଧ୍ୟାନ କରିଥିଲେ । ଜାମୁଗୁଡ଼ା ନିକଟରେ (ଓଏମ୍ )ଲେଖାଥିବା ୩ଟି ସୀମା ପଥର ଚିହ୍ନଟ କରିଥିଲେ ।
କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଦେବେନ୍ କୁମାର ପ୍ରଧାନ, ଉପଜିଲ୍ଲାପାଳ ଲଳିତ କୁମାର କହଁର, ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସୟ, ଜିଲ୍ଲା ଡେପୁଟି କଲେକ୍ଟର ଅର୍ଚ୍ଚନା ଦାସ, ପଟ୍ଟାଙ୍ଗି ତହସିଲଦାର୍ ହରିପଦ ମଣ୍ଡଳ ସମ୍ବାଇ ସୀମାରେ ପହଞ୍ଚିଥିଲେ । ଆନ୍ଧ୍ର ବିଶାଖାପାଟଣା ଜିଲ୍ଲା ପାଡେରୁ ପିଏ ଆଇଟିଡିଏ ତଥା ଏଡିଏମ୍ ଭେଙ୍କେଟେଶ୍ୱରଲୁ, ରିଜିଓନାଲ ଡିଭିଜିନାଲ୍ ଅଫିସର ଏଲ. ଶିବାଜ୍ୟୋତି, ଡୁମୁରୀଗୁଡ଼ା ମଣ୍ଡଳ ତହସିଲଦାର କେ. ଜୟପ୍ରକାଶ, ଡିଏଫ୍ଓ ବିନୋଦ କୁମାର ପ୍ରମୁଖଙ୍କ ଉପସ୍ଥିତିରେ ମିଳିତ ସୀମା ସର୍ଭେ କରାଯାଇଥିଲା । ଯୁଗ୍ମ ସର୍ଭେ ବେଳେ ଜାମୁଗୁଡ଼ା ସୀମାରେ ଥିବା ସମ୍ବାଇ ମୌଜାର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସୀମାନ୍ତ ପଥର ଚିହ୍ନଟ କରାଯାଇଥିଲା । ଗାଁମୁଣ୍ଡ ସହ ଜାମୁଗୁଡ଼ା ବାମ ଏବଂ ଡାହାଣ ପାହାଡ଼ରେ(ଓଏମ୍ ଲେଖାଥିବା) ଥିବା ସୀମା ପଥରକୁ ଉଭୟ ରାଜ୍ୟ ଅଧିକାରୀ ନିରୀକ୍ଷଣ କରିଥିଲେ ।
ଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତି, ସୀମା ପଥର ଚିହ୍ନଟ ଆନ୍ଧ୍ର ଅଧିକାରୀଙ୍କ ଉପସ୍ଥିତିରେ କରାଯାଇଛି । ଜାମୁଗୁଡ଼ା ଗାଁର ଘରୋଇ ଜମି ଯେଉଁଠାରୁ ଆରମ୍ଭ ହୋଇଛି ସେଠାରୁ ଓଡ଼ିଶାର ସୀମା ହେଉଛି ୩୭ ଚେନ୍ । ଜାମୁଗୁଡ଼ା ସୀମାରେ ତ୍ରିକୋଣ ଚିହ୍ନ ଥିବା ଦେଖାଯାଉଥିବା ପଥର କାହା ଦ୍ୱାରା ଚଞ୍ଚକତା କରାଯାଇଛି । ତେଣୁ ସୀମା ଚିହ୍ନଟ ବେଳେ ଆନ୍ଧ୍ର ଅଧିକାରୀ ଏହାକୁ ସୀମା ପଥର ବୋଲି କହିଥିଲେ । ଏହି ପଥର ଚିହ୍ନ ଦ୍ୱାରା ଜାମୁଗୁଡ଼ା ଗ୍ରାମବାସୀଙ୍କ ଚାଷ ଜମି କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିଲା । ଆଜି ମାପଚୁପ ବେଳେ ଏହା ୧୬ ଚେନ୍ ବୋଲି ଜଣାପଡିଛି । ଆନ୍ଧ୍ର ଅଧିକାରୀ ଦେଖାଇଥିବା ସୀମା ପଥର ଭୁଲ ସ୍ଥାନରେ ରହିଛି ବୋଲି ଏଥିରୁ ପ୍ରମାଣିତ ହୋଇଛି । ଯାହାକୁ ଆନ୍ଧ୍ର ଅଧିକାରୀମାନେ ମଧ୍ୟ ସ୍ୱୀକାର କରିଛନ୍ତି । ତେଣୁ ଓଡ଼ିଶା ପକ୍ଷରୁ ଯେଉଁ ଦାବି ରହିଛି ତାହା ଠିକ୍ । ସୁନାବେଡ଼ା ସୀମାରେ ହୋଇଥିବା ରାସ୍ତାକାମ ଯୋଗୁ ଉଭୟ ରାଜ୍ୟର ଲୋକମାନଙ୍କ ଯିବା ଆସିବା ଲାଗି ସୁବିଧା ହୋଇଛି । ପୁଣି ଥରେ ଯୁଗ୍ମ ସର୍ଭେ ପରେ ସୁନାବେଡ଼ା ସୀମାରେ ଖୁଣ୍ଟ ପୋତାଯିବ । ଏ ନେଇ ଆନ୍ଧ୍ର ଅଧିକାରୀଙ୍କ ସହିତ ଆଲୋଚନା କରାଯାଇ ଅନ୍ୟ ଏକ ତାରିଖ ସ୍ଥିର କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତି ।
ଅନ୍ୟପକ୍ଷରେ ଓଡ଼ିଶା ସେଟେଲମେଣ୍ଟ ସର୍ଭେକୁ ଆନ୍ଧ୍ର ଅଧିକାରୀମାନେ ଗ୍ରହଣ କରି ନାହାନ୍ତି । ଆଉ ଥରେ ଯୁଗ୍ମ ସର୍ଭେ କରାଯିବ ବୋଲି କହିଛନ୍ତି ପାଡେ଼ରୁ ପିଏଆଇଟିଡ଼ିଏ ଭେଙ୍କେଟେଶ୍ୱରଲୁ । ଆଗାମୀ ଯୁଗ୍ମ ସର୍ଭେ ପର୍ଯ୍ୟନ୍ତ ଉଭୟ ରାଜ୍ୟର ସୀମାନ୍ତ ଗ୍ରାମବାସୀ ସୌହାର୍ଦ୍ଧପୂର୍ଣ୍ଣଭାବେ ରହିବା ଉଚିତ । ସୁନାବେଡ଼ା ଏସଡ଼ିପିଓ ନିରଞ୍ଜନ ବେହେରା, ପଟ୍ଟାଙ୍ଗି ଆଇଆଇସି ବିଜୟରାଜ ମାଝୀଙ୍କ ସହ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା । ସୂଚନାଥାଉକି, ଗତ ସେପ୍ଟେମ୍ବର ୨୮ରୁ ସମ୍ବାଇ ସୀମା ବିବାଦ ଲାଗି ରହିଛି । ଓଡ଼ିଶାର ଜମିକୁ ଆନ୍ଧ୍ରର ଲୋକେ ଜୋରଜବରଦସ୍ତ କବ୍ଜା କରିବାକୁ ଉଦ୍ୟମ କରୁଥିବାରୁ ଏହାର ପ୍ରତିବାଦ ଜାରି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons