ଜୟପୁର,(ବି.ବି.ନୁ୍ୟଜ): କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ଦୁଇ ତିନୋଟି ରାଜ୍ୟ ବ୍ୟତୀତ ଅନ୍ୟ ରାଜ୍ୟର କୃଷକମାନେ ବିରୋଧ କରୁନାହାନ୍ତି । ଭୋଟ୍ ରାଜନୀତିକୁ ଦୃଷ୍ଟିରେ ରଖି କଂଗ୍ରେସ, ବାମପନ୍ଥୀ ଓ ମୋଦି ବିରୋଧୀ ଦଳ କୃଷକଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟାଉଛନ୍ତି । ସେମାନଙ୍କୁ ବାଟବଣା କରୁଛନ୍ତି । ସ୍ଥାନୀୟ ବ୍ରାହ୍ମଣୀଗାଁରେ ଆୟୋଜିକ କୃଷକ ସମାବେଶରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ପୂର୍ବତନ ସାଂସଦ ଜୁଏଲ ଓରାମ ।
କୋରାପୁଟ, କଳାହାଣ୍ଡି, ରାୟଗଡା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଚାଷୀଙ୍କୁ ନେଇ ବିଜେପି ପକ୍ଷରୁ ଆୟୋଜିତ କୃଷକ ସମାବେଶରେ ଶ୍ରୀ ଓରାମ କହିଛନ୍ତି, କୃଷି ଆଇନକୁ ନେଇ ବିରୋଧୀ ଦଳ ପକ୍ଷରୁ ଚାଷୀଙ୍କୁ ଭ୍ରମିତ କରାଯାଉଛି । ଭବିଷ୍ୟତରେ ଏମ୍ଏସ୍ପି ପ୍ରତ୍ୟାହାର ହେବ, ମଣ୍ଡି ବନ୍ଦ ହୋଇଯିବ, ଚାଷୀଙ୍କ ଜମିକୁ ଶିଳ୍ପପତିମାନେ ନେଇଯିବେ ବୋଲି ବିରୋଧୀ ପକ୍ଷରୁ ଅପ୍ରଚାର କରାଯାଉଛି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିସାରିଛନ୍ତି, ମଣ୍ଡି ବନ୍ଦ ହେବ ନାହିଁ । ଦେଶର ଯେଉଁଠି ଚାହିଁବେ ସେଠାରେ ଅଧିକ ଦରରେ ଚାଷୀ ସେମାନଙ୍କ ସାମଗ୍ରୀ ବିକ୍ରି କରିପାରିବେ । ଏଥିପାଇଁ କୌଣସି ପ୍ରତିବନ୍ଧକ ରହିବନି । ଏହାଦ୍ୱାରା ଚାଷୀ ପୂର୍ବାପେକ୍ଷା ଅଧିକ ଲାଭ ପାଇବେ । ଏମ୍ଏସ୍ପି ଚାଲୁ ରହିବ । ଦରକାର ପଡିଲେ ଏହା ବର୍ଷକୁ ବର୍ଷ ବୃଦ୍ଧି ପାଇବ । ଏହି ଆଇନରେ ଜମି କୌଣସି ପରିସ୍ଥିତିରେ ବଡବଡ କମ୍ପାନି ନେଇପାରିବେ ନାହିଁ । ଜମି ସହ ନୁହେଁ ଫସଲ ସହ ଚୁକ୍ତି କରିବେ କମ୍ପାନି । ଉପôାଦନ ସମୟରେ ଯଦି ଦର ଅଧିକ ଥିବ, ତେବେ ଚାଷୀ ଚାହିଁଲେ ଚୁକ୍ତି ବାତିଲ କରିପାରିବ । କିନ୍ତୁ ଦର ହ୍ରାସ ହେଲେ ଚୁକ୍ତି ଅନୁସାରେ ଦର ପାଇବ ଚାଷୀ । ଦରକାର ପଡିଲେ କମ୍ପାନି ବିରୋଧରେ ଚାଷୀ ଆଇନର ଆଶ୍ରୟ ନେଇପାରିବେ ବୋଲି କହିଛନ୍ତି ପୂର୍ବତନ ସାଂସଦ ଶ୍ରୀ ଓରାମ ।
ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସାଂସଦ ବସନ୍ତ ପଣ୍ଡା କହିଛନ୍ତି, କୃଷକମାନେ କିପରି ସମ୍ମାନର ସହ ବଞ୍ଚିବେ ଏଥିପାଇଁ କୃୃଷି ଆଇନ କରାଯାଇଛି । ମଣ୍ଡିରେ ଚାଷୀ କିପରି ଏମ୍ଏସ୍ପି ପାଇବ ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି । ରାଜ୍ୟ ସରକାରଙ୍କ ଯୋଗୁ ଚାଷୀ ଏହି ଦର ପାଉନି । କଟନିଛଟନି ଯୋଗୁ ଚାଷୀ ଶହଶହ ଟଙ୍କା କ୍ଷତି ସହୁଛନ୍ତି । ମିଲର ଓ ସରକାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି । କଟନିଛଟନିରୁ ଯାହା ମିଳୁଛି, ବିଜେଡିର ପାଣ୍ଠିକୁ ଯାଉଛି । ମଣ୍ଡିରେ ମୌଳିକ ସୁବିଧା ଯୋଗାଇ ଦିଆଯାଉନି । ଏଣୁ ଆଗାମୀ ଦିନରେ ବିଜେପି ପକ୍ଷରୁ ମଣ୍ଡି ଚାଲ ଅଭିଯାନ ଆରମ୍ଭ ହେବ । ଚାଷୀ କିପରି ପ୍ରକୃତ ମୂଲ୍ୟ ପାଇବ ଏଥିପାଇଁ ମଣ୍ଡିରେ ସଚେତନ କରାଯିବ । ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ, ଚାଷକୁ ଶିଳ୍ପ ମାନ୍ୟତା ଦେବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ଶୀତଳଭଣ୍ଡାର ସୁବିଧା ନଥିବାରୁ ଚାଷୀ କମ ଦରରେ ଉପôାଦିତ ସାମଗ୍ରୀ ବିକ୍ରି କରିବାକୁ ବାଧ୍ୟ ହେଉଛି । ଚାଷୀଙ୍କ ଆୟ ଦୁଇଗୁଣ କରିବାକୁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । ଫସଲ ବୀମା କରାଉଛନ୍ତି । ପୂର୍ବରୁ ବ୍ଲକକୁ ଏକ ୟୁନିିଟ୍ ଭାବେ ଗ୍ରହଣ କରାଯାଉଥିବା ବେଳେ ଏବେ ପଞ୍ଚାୟତକୁ ୟୁନିଟ ଭାବେ ଗ୍ରହଣ କରାଯାଉଛି । ଭୋଟପାଇଁ ନୁହେଁ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି କୃଷି ଆଇନ କରାଯାଇଛି । ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଓ ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତି ପ୍ରଦୀପ ପୁରୋହିତ ଯୋଗଦେଇ କେନ୍ଦ୍ର ସରକାରଙ୍କ କୃଷି ଆଇନ, ମଣ୍ଡି ଅବ୍ୟବସ୍ଥା ଓ କାଳିଆ ଯୋଜନାରେ ଚାଷୀଙ୍କୁ ସରକାର କିପରି ଠକିଛନ୍ତି ସେ ସମ୍ପର୍କରେ କହିଥିଲେ । ସେମାନେ କହିଛନ୍ତି, ବିଜେଡି ସରକାର ଶାସନକୁ ଆସିଲେ କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା ଦିଆଯିବ ବୋଲି ଘୋଷଣା କରିଥିଲେ । କିନ୍ତୁ ଏବେ ବିଭିନ୍ନ ବାହାନା ଦେଖାଇ ଆର୍ଥକ ସହାୟତା ଦିଆଯାଉନି । ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ପକ୍ଷରୁ ଚାଷୀଙ୍କୁ ଆର୍ଥିକ ସହାୟତା ଦେବାକୁ ପଦକ୍ଷେପ ନିଆଯାଉଥିବା ବେଳେ ରାଜ୍ୟ ସରକାର ଚାଷୀଙ୍କ ତାଲିକା ଦେଇପାରୁନି । ଯାହା ଫଳରେ ଲକ୍ଷଲକ୍ଷ ଚାଷୀ ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ଶ୍ରୀ ପୁରୋହିତ କହିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରତ ବିଶ୍ୱାଳ ଯୋଗଦେଇ କେନ୍ଦ୍ର ସରକାରଙ୍କ କୃଷି ଆଇନ ସମ୍ପର୍କରେ ବୁଝାଇଥିଲେ । ଶେଷରେ ବିଜେପି ନେତା ଗୌତମ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ସମାବେଶରେ ୩ ହଜାରରୁ ଅଧିକ ବିଜେପି କର୍ମୀ ଓ ଚାଷୀ ଯୋଗ ଦେଇଥିଲେ ।
Comments are closed, but trackbacks and pingbacks are open.