ମୟୂରଭଞ୍ଜ: ଖୋଦ ରାଜସ୍ବମନ୍ତ୍ରୀଙ୍କ ଜିଲ୍ଲାରେ ରାଜସ୍ବ ଲୁଟ। ବିଶ୍ୱ ମହାମାରୀ ସାଜି ଓଡ଼ିଶାରେ ମଧ୍ୟ କାୟବିସ୍ତାର କରିଥିବା କରୋନା ମୁକାବିଲା କରିବାକୁ ଯାଇ ବିଭିନ୍ନ ଭାବରେ ରାଜସ୍ବ କ୍ଷତି ସହୁଛନ୍ତି ରାଜ୍ୟ ସରକାର । ହେଲେ ଏପଟେ ସରକାରୀ ରାଜସ୍ବ ଲୁଟୁଛନ୍ତି ସକ୍ରିୟ ହୋଇଉଠିଥିବା ବାଲିମାଫିଆ। ବେଆଇନ ବାଲି ଉତ୍ତୋଳନ ଉପରେ ଅଙ୍କୁଶ ଲଗାଇବା ଦାୟିତ୍ବରେ ଥିବା ସଂପୃକ୍ତ ବିଭାଗୀୟ କାର୍ୟ୍ୟାଳୟ ସହ ମାସିକିଆ ଚୁକ୍ତିଭିତ୍ତିରେ ମୋଟାଅଙ୍କ ଦେଇ ଲଗାମଛଡ଼ା ବାଲି ମାଫିଆ ବୋଲି ଅଭିଯୋଗ ଏବେ ପ୍ରମୁଖ ଆଲୋଚନାର ବିଷୟ ପାଲଟିଛି । ଫଳରେ ବିଭିନ୍ନ ସ୍ଥାନରେ ବାଲିର ଅଭାବୀ ବିକ୍ରି ସହିତ ହୁହୁ ହୋଇ ବଢୁଛି ଦାମ । ଜିଲ୍ଲାର ଅଧିକାଂଶ ତହସିଲ ଅନ୍ତର୍ଗତ ବିଭିନ୍ନ ନଦୀରେ ଥିବା ବାଲିଘାଟର ନିଲାମ ଅବଧି ଶେଷ ହୋଇଥିବାରୁ ବାଲି ମାଫିଆମାନେ ଏ ସୁଯୋଗ ହାତଛଡା କରୁନଥିବା ଦେଖିବାକୁ ମିଳୁଛି । ତେବେ ବାଲି ମାଫିଆଙ୍କ ମାସିକିଆ ଖାଇ ସଂପୃକ୍ତ ସରକାରୀ ବାବୁମାନେ ଅନୁକମ୍ପା ଦେଖାଉ ଥିବାରୁ ନିର୍ମାଣ କାର୍ୟ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି । ଆଉ ଅଧିକ ପ୍ରଭାବିତ ହେଉଛି ବିଜୁ ପକ୍କାଘର,ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କାର୍ୟ୍ୟାଦେଶ ପାଇଥିବା ନିରୀହ ଗରିବ ହିତାଧିକାରୀ । ତେବେ ଏଭଳି ଅନିୟମିତତା ପ୍ରାୟତଃ ଜିଲ୍ଲାର ସବୁ ଅଞ୍ଚଳରେ ଦେଖିବାକୁ ମିଳୁଥିବା ବେଳେ ବହୁଳ ଭାବରେ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଳକ ତଥା ତହସିଲ ଅଧୀନ ନୂଆଗାଁ ବୈତରଣୀ ନଦୀରେ । ଏଠାରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ଲୁଟୁଛନ୍ତି ବିପୁଳ ସରକାରୀ ରାଜସ୍ଵ । ଆଉ ପ୍ରଶାସନ ଆଖି ଆଗରେ ଖୁଲମଖୁଲା ଟ୍ରାକ୍ଟର, ହାଇଓ୍ବାରେ ବାଲି ଲୋଡ କରି ରୋଜଗାର କରୁଛନ୍ତି ଲକ୍ଷଲକ୍ଷ ଟଙ୍କା । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରରୁଆଁ ତହସିଲ କାର୍ୟ୍ୟାଳୟ ଅଧୀନରେ । ଜିଲ୍ଲା ପ୍ରଶାସନକୁ ଖାତିର ନାହିଁ ବାଲି ମାଫିଆଙ୍କ । ଏହାର ସୁଯୋଗ ନେଇ ମେସିନ ସାହାଯ୍ୟରେ ଦିନରେ ଟ୍ରାକ୍ଟର ତ ପୁଣି ରାତିରେ ହାଇଓ୍ବାରେ ଚୋରା ବାଲିଚାଲାଣ ଆରମ୍ଭ କରିଛନ୍ତି ସ୍ଥାନୀୟ ବାଲିମାଫିଆ । ଖାଲି ଚାଲାଣ ନୁହେଁ ବେଆଇନ ଭାବେ ନିଲାମ ହୋଇନଥିବା ନଦୀଘାଟରୁ ବିଳମ୍ବିତ ରାତିରେ ବାଲି ଉଠାଇ ନେଉଥିବା ଭଳି ଗୁରୁତ୍ତର ଅଭିଯୋଗ ହେଉଛି । କିନ୍ତୁ ଚୁପଚାପ ନ ବସି ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖି ସୁଯୋଗ ଖୋଜୁଥିଲେ ବାଲି ମାଫିଆ । ଆଉ ସୁଯୋଗ ହାତଛଡା ନ କରି ମୋଟା ଅଙ୍କର ଟଙ୍କା ରୋଜଗାର କରି ବାଲିଚୋରରୁ ପାଲଟିଗଲେ ଭଦ୍ରଲୋକ । ସେହିପରି ବେଆଇନ ଭାବେ ବାଲି ବିକ୍ରିକରି ଟଙ୍କା ରୋଜଗାର କରିବା ଯେମିତି ଏମାନଙ୍କର କୌଳିକବୃତ୍ତି ହୋଇଗଲାଣି ବୋଲି ସାଧାରଣରେ ଅଭିଯୋଗ ହେଉଛି । ତେବେ ବାଲି ମାଫିଆମାନେ ଦିନରାତି ନଦୀରୁ ବାଲି ଉଠାଇ ଖୁଲମଖୁଲା ବାଲି ବିକ୍ରି କରୁଥିବା ଦେଖାଯାଉଛି । ପୁଣି ବିନା ରୟାଲଟିରେ। ରରୁଆଁ ଆରଆଇ ସର୍କଲ ଅନ୍ତର୍ଗତ ନୂଆଗାଁ ଗ୍ରାମର ବୈତରଣୀ ନଦୀରୁ ଶହ ଶହ ଟ୍ରିପ ବାଲି ଉଠାଣ ହୋଉଥିବା ବେଳେ ବୈତରଣୀ ନଦୀର ବିଭିନ୍ନ ସ୍ଥାନରେ ୮ରୁ ୧୦ ଫୁଟ ଗାତ ହୋଇଥିବା ଦେଖାଯାଇଛି । ତେବେ ବିଭିନ୍ନ ସମୟରେ ତହସିଲ କାର୍ୟ୍ୟାଳୟରେ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ ବିଭିନ୍ନ ପ୍ରକାର ଆଳ ଦେଖାଇ ଚୁପ ବସୁଛି ରାଜସ୍ୱ ବିଭାଗ। ଅନ୍ୟପଟେ ରାଜ୍ୟ ସରକାର ପୋଲିସକୁ ମଧ୍ୟ ଚୋରା ବାଲିଚାଲାଣ ରୋକିବାର କ୍ଷମତା ନ୍ୟସ୍ତ କରିଥିବା ବେଳେ ବିଭିନ୍ନ ଆଳ ଦେଖାଇ ଚୁପ ରହିବା ସନ୍ଦେହ ଜନକ ହୋଇଥିଲା ବେଳେ ପୋଲିସର ସାଧୁତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ସ୍ଥାନୀୟ ପ୍ରଶାସନର ଛତ୍ରଛାୟା ତଳେ ଦିନରାତି ବେଧଡକ ଭାବେ ବୈତରଣୀ ନଦୀରୁ ବାଲି ଉଠାଣ ପ୍ରଶାସନ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରୁଥିବା ବେଳେ ବାଲି ମାଫିଆଙ୍କ ପଛରେ ରାଜନୈତିକ ସମର୍ଥନ ରହିଥିବା ସନ୍ଦେହ ପ୍ରକାଶ ପାଉଛି। ଯାହାକି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସାଧୁତା, ଦକ୍ଷତା ଏବଂ ସ୍ବଚ୍ଛତା ପ୍ରତି ସନ୍ଦେହ ସୃଷ୍ଟି କରୁଛି । ଚୋରା ବାଲିଚାଲାଣ ରୋକିବା ଦିଗରେ ପଦକ୍ଷେପ ନେଇ ସରକାର ସହୁଥିବା ବିପୁଳ ରାଜସ୍ଵ କ୍ଷତିକୁ ଅଟକାଇବା ସହିତ ବେଆଇନ ବାଲି ଜବତ କରି ସମ୍ପୃକ୍ତଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
Comments are closed, but trackbacks and pingbacks are open.