ନୂଆଦିଲ୍ଲୀ: ଦେଶରେ ସମସ୍ତଙ୍କୁ ମାଗଣା କରୋନା ପ୍ରତିଷେଧକ ଟିକା ମିଳିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଏହି ସୂଚନା ଦେଇଛନ୍ତି । ଦିଲ୍ଲୀର ଗୁରୁ ତେଗ୍ ବାହାଦୁର (ଜିଟିବି)ହସ୍ପିଟାଲରେ ଟିକାକରଣ ପୂର୍ବାଭ୍ୟାସ (ଡ୍ରାଏ ରନ୍) ଅନୁଧ୍ୟାନ କରିବା ଅବସରରେ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି କେବଳ ଦିଲ୍ଲୀରେ ନୁହେଁ ସମଗ୍ର ଦେଶରେ ମାଗଣା କରୋନା ଟିକା ଦିଆଯିବ ।
ଟିକାକରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପୂରା ଦମ୍ରେ ଲାଗିଛନ୍ତି । ସେଥିପାଇଁ ଆଜି ସମଗ୍ର ଦେଶରେ ଡ୍ରାଏ ରନ୍ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆଜି ଗୁରୁ ତେଗ୍ ବାହାଦୁର ହସ୍ପିଟାଲ ପରିଦର୍ଶନ କରିଥିଲେ । ସେଠାରେ ଚାଲିଥିବା ଡ୍ରାଏ ରନ୍ର ତଦାରଖ କରିଥିଲେ । ସାମ୍ବାଦିକଙ୍କୁ ସୂଚନା ଦେଇ ସେ କହିଥିଲେ ଯେ ଗତ ଡିସେମ୍ବର ୨୮-୨୯ରେ ୪ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ ଓ ପଞ୍ଜାବରେ ଡ୍ରାଏ ରନ୍ କରାଯାଇଥିଲା । ସେଥିରୁ ମିଳିଥିବା ଫିଡ୍ବ୍ୟାକ ଆଧାରରେ ଦେଶବ୍ୟାପୀ ଡ୍ରାଏ ରନ୍ କରାଯାଇଛି । କେବଳ ଦିଲ୍ଲୀବାସୀଙ୍କୁ ନୁହେଁ, ପୂରା ଦେଶବାସୀଙ୍କୁ ମାଗଣା ଟିକା ପ୍ରଦାନ କରାଯିବ । ଏଥିସହ ଟିକାକୁ ନେଇ ଯେଉଁ ଗୁଜବ ପ୍ରଚାରିତ ହେଉଛି ସେଥିପ୍ରତି ସତର୍କ ରହିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । କହିଛନ୍ତି, ସୁରକ୍ଷିତ ତଥା ପ୍ରଭାବୀ ଟିକାକୁ ସରକାର ପ୍ରାଥମିକତା ଦେଉଛନ୍ତି । ପୋଲିଓ ଟିକାକରଣ ସମୟରେ ମଧ୍ୟ ଏଭଳି କିଛି ଗୁଜବ ପ୍ରଚାରିତ ହୋଇଥିଲା । କିନ୍ତୁ ଲୋକମାନେ ଗୁଜବକୁ ବିଶ୍ୱାସ ନ କରି ଟିକା ନେଲେ । ଯାହାଫଳରେ ବର୍ତ୍ତମାନ ଦେଶ ପୋଲିଓ ମୁକ୍ତ ହୋଇପାରିଛି ।
ପରେ ଟୁଇଟ୍ କରି ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଅଗ୍ରାଧିକାର ଭିତ୍ତିରେ ୧ କୋଟି ସ୍ୱାସ୍ଥ୍ୟକର୍ମୀ ଓ ୨ କୋଟି ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ସରକାର ମାଗଣା ଟିକା ପ୍ରଦାନ କରିବେ । ଏଥିସହ ଆଗାମୀ ଜୁଲାଇ ମାସ ସୁଦ୍ଧା ଦେଶର ଆଉ ୨୭ କୋଟି ଲୋକଙ୍କୁ କିଭଳି ଟିକା ପ୍ରଦାନ କରାଯିବ ସେଥିଲାଗି ଯୋଜନା କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଦେଶର ୩୦ କୋଟି ଲୋକଙ୍କୁ ଟିକାକରଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ସୂଚନାଯୋଗ୍ୟ ଯେ ଆଜି ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୧୬ ଜିଲ୍ଲା ଅନ୍ତର୍ଗତ ୨୫୯ ସେଣ୍ଟରରେ ଡ୍ରାଏ ରନ୍ କରାଯାଇଛି ।
ସେପଟେ କରୋନା ସଂକ୍ରମଣରେ ପେଷିହୋଇ ଯାଇଥିବା ଦେଶବାସୀଙ୍କୁ ଶନିବାର ଆଉ ଏକ ଆଶ୍ୱସ୍ତି ମିଳିଛି । ସ୍ୱଦେଶୀ କରୋନା ଟିକା ‘କୋଭାକ୍ସିନ୍’ର ଜରୁରି ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି ବିଶେଷଜ୍ଞ କମିଟି । ଆଗାମୀ ୧୦ ଦିନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଟିକାକରଣ ଯୋଜନାରେ ଏହାକୁ ସାମିଲ କରାଯିବ । ନୂଆବର୍ଷର ପ୍ରଥମ ଦିନ ଅର୍ଥାତ୍ ଶୁକ୍ରବାର ଅକ୍ସଫୋର୍ଡ ଟିକା ‘କୋଭିସିଲ୍ଡ’ର ଜରୁରି ବ୍ୟବହାର ପାଇଁ ଅନୁମତି ମିଳିଥିଲା ।
କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସ୍ସିଓ)ର ସବ୍ଜେକ୍ଟ ଏକ୍ସପର୍ଟ କମିଟି ଶନିବାର କୋଭାକ୍ସିନ୍ ଟିକାର ବିଭିନ୍ନ ପର୍ଯ୍ୟାୟ ପରୀକ୍ଷା ରିପୋର୍ଟକୁ ଭଲ ଭାବେ ତର୍ଜମା କରିଥିଲା । ଏହାପରେ ସୀମିତ ଜରୁରିକାଳୀନ ବ୍ୟବହାର ପାଇଁ ଟିକାକୁ ସବୁଜ ସଂକେତ ଦେଇଛି । ଏଥିପାଇଁ ଏହି ବିଶେଷଜ୍ଞ କମିଟି ଭାରତୀୟ ଔଷଧ ନିୟନ୍ତ୍ରକ ନିଦେ୍ର୍ଧଶାଳୟ (ଡିଜିସିଆଇ)କୁ ସୁପାରିସ ପ୍ରଦାନ କରିଛି । ଭାରତ ବାୟୋଟେକ୍ ଓ ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ଆଇସିଏମ୍ଆର୍) ମିଶି ଏହି ଟିକା ପ୍ରସ୍ତୁତ କରିଛନ୍ତି । ଏହାକୁ ମିଶାଇ ଭାରତରେ ଏବେ ଦୁଇଟି ଟିକାକୁ ଜରୁରିକାଳୀନ ବ୍ୟବହାର କରାଯାଇ ପାରିବ । ତେବେ ଉଭୟ ଟିକା ଉପରେ ବିଶେଷଜ୍ଞ କମିଟି କିଛି ନିର୍ଦ୍ଧିଷ୍ଟ ନିୟାମକ ବ୍ୟବସ୍ଥା ଲାଗୁ କରିଛି ।
Comments are closed, but trackbacks and pingbacks are open.