କୋଠା ଭୁଶୁଡ଼ିବା ଘଟଣା: ୧୩ ଯବାନଙ୍କ ସମେତ ୧୪ ମୃତ

Get real time updates directly on you device, subscribe now.

ସିମଲା: ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାରେ ଗତକାଲି କୋଠା ଭୁଶୁଡିବା ଘଟଣାରେ ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଗତକାଲି ୩ ଜଣଙ୍କ ମୃତଦେହ ମିଳିଥିଲା ବେଳେ ଆଜି ଭଙ୍ଗା କୋଠା ତଳୁ ଆହୁରି ୧୧ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ମଧ୍ୟରେ ୧୩ ଜଣ ସେନା ଯବାନ ଓ ଉକ୍ତ କୋଠାର ମାଲିକଙ୍କ ପତ୍ନୀ ଅଛନ୍ତି । ଭଙ୍ଗା କୋଠା ତଳୁ ୧୭ ଯବାନ ଓ ୧୧ ସାଧାରଣ ନାଗରିକଙ୍କୁ ଜୀବିତ ଉଦ୍ଧାର କରାଯାଇଛି ।ଆହୁରି ୭ ଜଣ ଭଙ୍ଗା କୋଠାତଳେ ଚାପିହୋଇ ରହିଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି ରହିଛି ।
ଗତକାଲି ରାତି ତମାମ ଉଦ୍ଧାର କାର‌୍ୟ୍ୟ ଚାଲିଥିଲା । ସ୍ଥାନୀୟ ଅଗ୍ନିଶମ ବାହିନୀ, ରାଜ୍ୟ ପୁଲିସ, ଏନ୍‌ଡିଆରଏଫ ଓ ସେନା ପକ୍ଷରୁ ଏହି ଉଦ୍ଧାର କାର‌୍ୟ୍ୟ ଚାଲିଛି । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ରାଜୀବ ଶୈଜାଲ, ସାଂସଦ ସୁରେଶ କଶ୍ୟପ ଓ ବିଧାନସଭା ବାଚସ୍ପତି ରାଜୀବ ବିନ୍ଦାଲ ଆଜି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହାର ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣା ବେଳେ କୋଠାର ମାଲିକ ଶୈଳ କୁମାର ସେଠାରେ ଉପସ୍ଥିତ ନଥିଲେ । ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି ।
ଗତକାଲି ସୋଲନ ଜିଲ୍ଲାର ଦଗଶାଇ କ୍ୟାଣ୍ଟନମେଣ୍ଟର ୩୦ଜଣ ଯବାନ ଉତ୍ତରାଖଣ୍ଡ ଅଭିମୁଖେ ଯାଉଥିଲା ବେଳେ ଅପରାହ୍ନ ୪ଟାରେ କୁମାରହାଟି-ନାହାନ ଜାତୀୟ ରାଜପଥ କଡରେ ଥିବା ସେହି ତିନି ମହଲା ବିଶିଷ୍ଟ କୋଠା ନିକଟରେ ଅଟକି ରହିଥିଲେ । ସେହି କୋଠାରେ ଚାଲିଥିବା ଢ଼ାବାକୁ ସେମାନେ ଲଞ୍ଚ କରିବାକୁ ଯାଇଥିଲେ । ଲଞ୍ଚ କରୁଥିଲା ବେଳେ ପ୍ରବଳ ବର୍ଷା ଯୋଗୁ କୋଠାଟି ହଠାତ୍‌ ଭୁଶୁଡି ପଡିଥିଲା । ଫଳରେ ସମସ୍ତ ଯବାନ ଓ ସେଠାରେ ଥିବା ଅନ୍ୟ ସାଧାରଣ ନାଗରିକମାନେ ଭଙ୍ଗା କୋଠାତଳେ ଚାପିହୋଇଯାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons