ବ୍ରହ୍ମପୁର,(ବି.ବି.ନୁ୍ୟଜ): ବ୍ରହ୍ମପୁର ଜଗନ୍ନାଥପୁର ଷ୍ଟେସନ୍ ରେଳ ଫାଟକ ରେଳ ଲାଇନ୍ରେ ଫସିଲା ମାଲ୍ବାହୀ ଟ୍ରକ୍ । ଟ୍ରେନ୍ ଲାଇନ୍ ଅତିକ୍ରମ କରୁଥିବା ବେଳେ ଟ୍ରକ୍ଟି ମଝିରେ ଅଟକି ଯାଇଛି । ବ୍ରେକ୍ଫେଲ୍ ଓ ଷ୍ଟେରିଂ ଭାଙ୍ଗିଯିବା କାରଣରୁ ଟ୍ରକ୍ଟି ଟ୍ରେନ୍ ଲାଇନ୍ ଉପରେ ରହିଛି । ଫଳରେ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ୍ ଓ ଭୁବନେଶ୍ୱର-ପଲାସା ସ୍ପେଶାଲ ଟ୍ରେନ ଅଟକି ରହିଛି ।
ଆଜି କୋଣାର୍କ ଏକ୍ସପ୍ରେସ୍ ବ୍ରହ୍ମପୁର ଷ୍ଟେସନ୍ରେ ପହଞ୍ଚିବାରେ ୪୦ମିନିଟ୍ ବିଳମ୍ବ ରହିଥିଲା । ରାତି ୯ଟା ୧୫ରେ ବ୍ରହ୍ମପୁର ରେଳ ଷ୍ଟେସନ୍ ଅତିକ୍ରମ କରିବା ପରେ ୯ଟା ୧୭ରୁ ସିଗ୍ନାଲ୍ ନମିଳିବା କାରଣରୁ ବ୍ରହ୍ମପୁର ଉପକଣ୍ଠରେ ଅଟକି ରହିଛି । ଶୂନ୍ଶାନ ଜାଗାରେ ଟ୍ରେନ୍ଟି ଅଟକି ରହିଥିବାରୁ ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେହିପରି ଜେନାପୁର ଷ୍ଟେସନରେ ଭୁବନେଶ୍ୱର-ପଲାସା ସ୍ପେଶାଲ ଟ୍ରେନ ଅଟକି ରହିଛି ବୋଲି ସୂଚନା ମିଳିଛି । ଟ୍ରକ୍କୁ ଟ୍ରେନ୍ ଲାଇନ୍ରୁ ବାହାର କରିବାକୁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ଜଗନ୍ନାଥପୁର ରେଳ ଷ୍ଟେସନ୍ ମ୍ୟାନେଜର ଧ୍ରୁବ ଜାନି । ଶୀଘ୍ର ଟ୍ରକ୍କୁ ବାହାର କରିବା ପରେ ଅନ୍ୟ ଟ୍ରେନ୍ ଯାତାୟାତ କରିବ । ଟ୍ରକ୍ ବାହାର କରିବା ପାଇଁ ଗୋପାଳପୁର ଥାନା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ଆଉ ଏକ ଟ୍ରକ୍ ସାହାଯ୍ୟରେ ଫସିଥିବା ଟ୍ରକ୍କୁ ଭିଡ଼ି ବାହାର କରିବାକୁ ଉଦ୍ୟମ କରାଯାଉଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଟ୍ରେନ୍ ଲାଇନ୍ରୁ ଟ୍ରକ୍ ବାହାରି ନାହିଁ । ବ୍ରହ୍ମପୁର ରେଳ ଷ୍ଟେସନ୍ରେ ମଧ୍ୟ ଏଥିପ୍ରତି ସତର୍କ କରାଯାଇଛି ବୋଲି କହିଛନ୍ତି ମ୍ୟାନେଜର ଦୁର୍ଗା ପ୍ରସାଦ ବ୍ରହ୍ମା । ଟ୍ରକ୍ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି । ଅପରପକ୍ଷରେ ବିଳମ୍ବିତ ରାତି ସୁଦ୍ଧା ରେଳ ଲାଇନରୁ ଟ୍ରକ ଉଠାଇ ନିଆଯିବ ବୋଲି ପୂର୍ବତଟ ରେଳପଥର ବରିÂ ଅଧିକାରୀ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.