ଜୟପୁର,(ବି.ବି.ନୁ୍ୟଜ): କୋଲାବ ନଦୀରେ ଆଜି ଦେଖିବାକୁ ମିଳିଛି ଏକ କୁମ୍ଭୀର । ପାତ୍ରପୁଟ ବ୍ରିଜ୍ ନିକଟରେ କୁମ୍ଭୀରଟିକୁ ଦେଖି କେତେକ ଲୋକ ଏହାର ଭିଡିଓ ଉତ୍ତୋଳନ କରିଛନ୍ତି । ଖବରପାଇ ପହଞ୍ଚିଛି ବନ ବିଭାଗ । କୁମ୍ଭୀରର ଗତିବିଧି ଉପରେ କଡ଼ା ନଜର ରଖିଛି । ତେବେ ଗୋଟିଏ ନା ତା’ଠାରୁ ଅଧିକ କୁମ୍ଭୀର ଅଛନ୍ତି, ତାକୁ ନେଇ ଆରମ୍ଭ ହୋଇଛି ଅନୁସନ୍ଧାନ । ବନ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରାଇ ଦିଆଯାଇଛି । ପାତ୍ରପୁଟ ବି୍ରଜ୍ ନିକଟରେ ଆଜି ବିଭାଗ ମାରିଛି ଏକ ସତର୍କ ବୋର୍ଡ । କୁମ୍ଭୀର ପ୍ରତି ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି । ପାଣି ଭିତରକୁ ଯିବା ଲାଗି ବାରଣ କରାଯାଇଛି । ପାତ୍ରପୁଟ ଏକ ପିକ୍ନିକ୍ ସ୍ପଟ୍ ହୋଇଥିବାରୁ ପର୍ଯ୍ୟଟକମାନେ ଅଧିକ ସତର୍କ ରହିବାକୁ କୁହାଯାଇଛି ।
ପାତ୍ରପୁଟ ବ୍ରିଜ୍ ନିକଟରେ ଆଜି କେତେକ ଲୋକ ଠିଆ ହୋଇ ସେଲ୍ଫି ନେଉଥିଲେ । ଏହି ସମୟରେ ବ୍ରିଜ୍ର ପୂର୍ବଦିଗରେ ଏକ କୁମ୍ଭୀର ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ସେମାନେ ଏହାର ଫଟୋ ଉଠାଇବା ସହ ଭିଡିଓ ଉତ୍ତୋଳନ କରିଥିଲେ । ଖବରପାଇ ପହଞ୍ଚିଥିଲା ବନ ବିଭାଗ । ସାବଧାନ ରହିବାକୁ ସୂଚନା ଥିବା ସ୍ୱତନ୍ତ୍ର ବୋର୍ଡ ମାରିଥିଲା । ଜୟପୁର ରେଞ୍ଜର ରଶ୍ମିରଞ୍ଜନ ସ୍ୱାଇଁ କହିଛନ୍ତି, କୁମ୍ଭୀର ଉପରେ ନଜର ରଖିବାକୁ ଫରେଷ୍ଟର ରାମଚନ୍ଦ୍ର ନେପାକ ଓ ଗାର୍ଡ ଅରୁଣ କୁମାର ଜେନାଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ସେମାନେ ଏହାର ଅନୁଧ୍ୟାନ କରି ରିପୋର୍ଟ ଦେବେ । କେତେ ସଂଖ୍ୟାରେ କୁମ୍ଭୀର ଅଛନ୍ତି, ନିରୀକ୍ଷଣ ପରେ ତାହା ସ୍ପଷ୍ଟ ହେବ । ସାଧାରଣତଃ ଲୁଣି ଜଳରେ ରହୁଥିବା କୁମ୍ଭୀର ଅଧିକ ଭୟଙ୍କର ହୋଇଥାନ୍ତି । ତଥାପି ମଧୁରଜଳରେ ରହୁଥିବା କୁମ୍ଭୀର ମଣିଷ ଓ ପ୍ରାଣୀଙ୍କ ପାଇଁ ସବୁବେଳେ ବିପଦ ସାବ୍ୟସ୍ତ ହୋଇଛନ୍ତି । ଏହାକୁ ଆଖିରେ ରଖି କୁମ୍ଭୀର ଗଣନା ଉପରେ ପଦକ୍ଷେପ ନିଆଯିବ । କୋଲାବ ନଦୀରେ ସେମାନଙ୍କ ଚଳପ୍ରଚଳ ଉପରେ ଦୃଷ୍ଟି ଦିଆଯିବ ।
ପାତ୍ରପୁଟ ନିକଟରେ ଆଜି ଏହି କୁମ୍ଭୀର ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । କାରଣ କୂଳରେ ରହୁଥିବା ଅଧିକାଂଶ ଲୋକ ଏହି ନଦୀରେ ଗାଧୋଇଥାନ୍ତି । ପର୍ଯ୍ୟଟକମାନେ ବ୍ରିଜ୍ ନିକଟରେ ବଣଭୋଜି କରିବା ବେଳେ ନଦୀ ପାଣି ବ୍ୟବହାର କରିଥାନ୍ତି । ତେଣୁ ବନ ବିଭାଗ ପକ୍ଷରୁ ଆଖପାଖ ବିଭିନ୍ନ ଅଞ୍ଚଳରେ ଅଧିକରୁ ଅଧିକ ସାବଧାନ ବୋର୍ଡ ମାରିବା ଲାଗି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।


Comments are closed, but trackbacks and pingbacks are open.