ଟ୍ରାକ୍ଟର ରାଲି ହିଂସାରେ ୮୩ ଯବାନ ଆହତ

Get real time updates directly on you device, subscribe now.

ନୂଆଦିଲ୍ଲୀ : ଦିଲ୍ଲୀରେ ନୂଆ କୃଷି ଆଇନକୁ ବିରୋଧ କରି ଟ୍ରାକ୍ଟର ମାର୍ଚ୍ଚ ବେଳେ ଘଟିଥିବା ହିଂସାକାଣ୍ଡରେ ଅନେକ ସଂଖ୍ୟାରେ ପୋଲିସ କର୍ମଚାରୀ ଏବଂ ଯବାନ ଆହତ ହୋଇଛନ୍ତି । ସୂଚନା ମୁତାବକ ପୋଲିସ କର୍ମୀ ଏବଂ ଚାଷୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ବେଳେ ପ୍ରାୟ ୮୩ ଜଣ ଯବାନ ଆହତ ହୋଇଛନ୍ତି । ସମସ୍ଥଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହି ଘଟଣାକୁ ନେଇ ଦିଲ୍ଲୀ ପୋଲିସ କହିଛି ଯେ, ଯବାନମାନେ ସମସ୍ତ ସର୍ତ୍ତ ଅନୁପାଳନ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରିଥିଲେ । କିନ୍ତୁ ପ୍ରଦର୍ଶନକାରୀମାନେ ନିର୍ଦ୍ଦାରିତ ସମୟ ପୂର୍ବରୁ ଟ୍ରାକ୍ଟର ମାର୍ଚ୍ଚ ଆରମ୍ଭ କରିଦେଇଥିଲେ । ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀ ଆଲୋକ କୁମାର କହିଛନ୍ତି, ଭୟାନକ ଭାବେ ଟ୍ରାକ୍ଟର ଚଳାଇ ପୋଲିସ ଉପରକୁ ଆକ୍ରମଣ ପାଇଁ ପ୍ରୟାସ କରାଯାଇଥିଲା । ବିଭିନ୍ନ ସ୍ଥାନରେ ପ୍ରଦର୍ଶନକାରୀମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ସାଧାରଣ ଜନତାଙ୍କ ସମ୍ପତ୍ତି ମଧ୍ୟ ଏଥିରେ ନଷ୍ଟ ହୋଇଛି । ଘଟଣାରେ ସଂପୃକ୍ତ ଥିବା ଏବଂ ବ୍ୟାପକ ହିଂସା ଘଟାଇଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସଂଯୁକ୍ତ ପୋଲିସ କମିସନର ଆଲୋକ କୁମାର କହିଛନ୍ତି ।
ଚାଷୀମାନଙ୍କ ଟ୍ରାକ୍ଟର ପରେଡ୍‌ ବେଳେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପରିମାଣର ପୋଲିସ ଫୋର୍ସ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଥିଲା ।
ସୂଚନା ଅନୁଯାୟୀ ଦିଲ୍ଲୀରେ ହିଂସାକୁ ଦେଖି ଆହୁରି ପ୍ରାୟ ୧୫୦୦ ରୁ ୨୦୦୦ ଯବାନଙ୍କୁ ମୁତୟନ କରାଯିବ । ଗଣତନ୍ତ୍ର ଦିବସ ପାଇଁ ପୂର୍ବରୁ ୪୫୦୦ ଅର୍ଦ୍ଧସାମରିକ ବଳ ମୁତୟନ ଥିଲେ । ତେବେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରୁ ଆହୁରି ଅଧିକ ସଂଖ୍ୟାରେ ଯବାନ ମୁତୟନ କରାଯିବ ।
ତେବେ ଦିଲ୍ଲୀରେ ଅପ୍ରୀତିକର ପରିସ୍ଥିତିକୁ ଆଖିଆଗରେ ରଖି ମେଟ୍ରୋ ପକ୍ଷରୁ ଅନେକ ପ୍ରବେଶ ଏବଂ ପ୍ରସ୍ଥାନ ରାସ୍ତାକୁ ବନ୍ଦ କରିଦିଆଯାଇଥିଲା । DMRC ମୁତାବକ ଲାଲ କିଲ୍ଲା, ଇନ୍ଦ୍ରପ୍ରସ୍ତ ମେଟ୍ରୋ, ଆଇଟିଓ ସମେତ ଅନେକ ମେଟ୍ରୋ ଷ୍ଟେସନ୍‌କୁ ବନ୍ଦ କରିଦିଆଯାଇଥିଲା ।
ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲିରେ ହିଂସା ଘଟଣା ପରେ ଅନେକ ସ୍ଥାନରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦିଆଯାଇଛି । ସିଂଘୁ ବର୍ଡର, ଟିକରୀ ବର୍ଡର, ଗାଜୀପୁର ବର୍ଡର, ମୁବାରକା ଚୌକ ଏବଂ ନାଂଗଲୋଇାର ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦିଆଯାଇଛି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦେଶ ଦିଆଯାଇଛି । ଗୃହ ମନ୍ତ୍ରାଳୟ ଅନୁଯାୟୀ ମଙ୍ଗଳବାର ରାତି ୧୨ଟା ଯାଏଁ ଏହି ସବୁ ସ୍ଥାନମାନଙ୍କରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons