ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ଚାଷୀଙ୍କ ଟ୍ରାକ୍ଟର ପରେଡ୍ ବେଳେ ସଂଘଟିତ ବ୍ୟାପକ ଭଙ୍ଗାରୁଜା ଓ ହିଂସାକାଣ୍ଡ ପରେ କୃଷକ ସଙ୍ଗଠନଗୁଡ଼ିକ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଦୁଇଟି ପ୍ରମୁଖ ସଙ୍ଗଠନ ହିଂସାକାଣ୍ଡକୁ ନିନ୍ଦା କରିବା ସହ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ୫୮ ଦିନ ଧରି ଚାଲିଥିବା ଆନେ୍ଦାଳନରୁ ଓହରି ଯାଇଛନ୍ତି । ସେପଟେ ଦିଲ୍ଲୀ ହିଂସା ମାମଲାରେ ବୁଧବାର ୩୭ ଚାଷୀନେତାଙ୍କ ବିରୋଧରେ ମାମଲା ହୋଇଛି । ୨୦୦ ବିକ୍ଷୋଭକାରୀଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ । ସୁରକ୍ଷାକୁ ଦୃଷ୍ଟିରେ ରଖି ଲାଲକିଲ୍ଲାରେ ରାପିଡ୍ ଆକ୍ସନ ଫୋର୍ସ (ଆର୍ଏଏଫ୍) ମୁତୟନ କରାଯାଇଛି ।
ଖବର ମୁତାବକ, ରାଷ୍ଟ୍ରୀୟ କିଷାନ ମଜଦୁର ସଙ୍ଗଠନ ଓ ଭାରତୀୟ କିଷାନ ୟୁନିଅନ (ଭାନୁ) ଚାଷୀ ଆନେ୍ଦାଳନରୁ ବାହାରି ଯିବାକୁ ନିଷ୍ପତ୍ତି ନେଇଛନ୍ତି । ଏମିତି କି ଭାନୁ ସଙ୍ଗଠନର ସଦସ୍ୟମାନେ ଚିଲ୍ଲା ସୀମାରେ ଲଗାଇଥିବା ଟେଣ୍ଟ ଉପାଡ଼ିବା ଆରମ୍ଭ କରିଛନ୍ତି । ପ୍ରଥମେ ବୁଧବାର ଅପରାହ୍ନ ୪ଟାରେ ରାଷ୍ଟ୍ରୀୟ କିଷାନ ମଜଦୁର ସଙ୍ଗଠନ ଆନେ୍ଦାଳନରୁ ନିଜକୁ ଦୂରେଇ ନେବାକୁ ଘୋଷଣା କରିଥିଲା । ଏହାର ୧୫ ମିନିଟ୍ ପରେ ଭାରତୀୟ କିଷାନ ୟୁନିଅନ ସମାନ ଘୋଷଣା କରିଥିଲା ।
ଭାନୁର ସଭାପତି ଠାକୁର ଭାନୁପ୍ରତାପ ସିଂହ କହିଛନ୍ତି, ଗତକାଲି ଦିଲ୍ଲୀରେ ଯେଉଁଭଳି ଘଟଣା ଘଟିଲା, ସେଥିପାଇଁ ମୁଁ ମର୍ମାହତ । ଏହା ମୋତେ ଗଭୀର ଯନ୍ତ୍ରଣା ଦେଇଛି । ତେଣୁ ଆମେ ୫୮ ଦିନବ୍ୟାପୀ ଆନେ୍ଦାଳନରୁ ଓହରି ଯାଉଛୁ ।
ଚାଷୀ ନେତା ଭି.ଏମ୍. ସିଂହ ଘୋଷଣା କରି କହିଛନ୍ତି, ରାଷ୍ଟ୍ରୀୟ କିଷାନ ମଜଦୁର ସଂଘ ଏବେ ଆନେ୍ଦାଳନରୁ ନିଜକୁ ପ୍ରତ୍ୟାହାର କରିନେଉଛି । ଆନେ୍ଦାଳନରେ ଏହି ସଂଘ ଆଉ ସାମିଲ ହେବନାହିଁ । ଆମେ ଏଠାକୁ କାହାକୁ ସହିଦ କରିବାକୁ ଆସିନାହୁଁ । ଦିଲ୍ଲୀ ହିଂସା ପାଇଁ ଚାଷୀ ନେତା ରାକେଶ ଟିକାୟତଙ୍କୁ ଦାୟୀ କରି ସେ କହିଛନ୍ତି, ଟିକାୟତ ସରକାରଙ୍କ ସହ ବୈଠକରେ ସାମିଲ ହୋଇଥିଲେ । କିନ୍ତୁ ଆଖୁ କିମ୍ବା ଧାନଚାଷୀଙ୍କ ଅଭିଯୋଗ ନେଇ ସେ ଥରୁଟିଏ କହି ନ ଥିଲେ । ଅନ୍ୟପକ୍ଷରେ ହିନ୍ଦୁସ୍ତାନର ପତାକା, ଗରିମା ଓ ମର୍ଯ୍ୟାଦାକୁ ଆମେ ଭଲ ଭାବେ ବୁଝୁଛୁ । ଏଥିପ୍ରତି କୌଣସି ପ୍ରକାର ଆଘାତ ପହଞ୍ଚାଉଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁÂାନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।
ସେପଟେ ଦିଲ୍ଲୀ ହିଂସା ଘଟଣାକୁ ଦୃଷ୍ଟିରେ ରଖି ଚାଷୀମାନେ ଫେବ୍ରୁଆରୀ ୧ରେ ହେବାକୁ ଥିବା ପଦଯାତ୍ରାକୁ ସ୍ଥଗିତ ରଖିଛନ୍ତି । ସାଧାରଣ ବଜେଟ୍ ଆଗତ ଦିନ ସଂସଦ ଅଭିମୁଖେ ଏହି ପଦଯାତ୍ରା ଯିବାର ଥିଲା । ଚାଷୀ ନେତା ଦର୍ଶନ ପାଲ କହିଛନ୍ତି, ଫେବ୍ରୁଆରୀ ୧ ଅର୍ଥାତ୍ ବଜେଟ୍ ଦିନ ସଂସଦ ଅଭିମୁଖେ ହେବାକୁ ଥିବା ପଦଯାତ୍ରାକୁ ସ୍ଥଗିତ ରଖାଯାଇଛି । କିନ୍ତୁ କେନ୍ଦ୍ରର ୩ କୃଷି ସଂସ୍କାର ଆଇନ ବିରୋଧରେ ଆନେ୍ଦାଳନ ଓ ସାଧାରଣ ସଭା ଜାରି ରହିବ । ଜାନୁଆରୀ ୩୦ରେ ଦେଶବ୍ୟାପୀ ଅନଶନ ଧର୍ମଘଟ କରାଯିବ ।
ଉଲ୍ଲେଖଯୋଗ୍ୟ, ଆମେରିକାର କ୍ୟାପିଟଲ ହିଲ୍ ଉପରେ ଆକ୍ରମଣ ଘଟଣା ମନରୁ ଲିଭି ନ ଥିବା ବେଳେ ଭାରତରେ ସେହିଭଳି ଏକ ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ମଙ୍ଗଳବାର ଦେଶ ଏହାର ପବିତ୍ର ୭୨ତମ ସାଧାରଣତନ୍ତ୍ର ଦିବସ ପାଳନରେ ମସଗୁଲ ଥିଲା ବେଳେ ଖୋଦ ରାଜଧାନୀରେ ଘଟିଥିଲା ବ୍ୟାପକ ହିଂସାକାଣ୍ଡ । ଦେଶ ପାଇଁ ଗୌରବ ଲାଲକିଲ୍ଲାଠାରେ ଘଟିଥିଲା ଏ ଘଟଣା । କୃଷି ଆଇନ ବିରୋଧରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଏହି ଅଭାବନୀୟ ଘଟଣା ଘଟିଛି । ଏଥିରେ ପାଖାପାଖି ୩୯୪ ପୁଲିସ କର୍ମୀ ଆହତ ହୋଇଛନ୍ତି । ୩୦ରୁ ଅଧିକ ପୁଲିସ ଗାଡ଼ି ନଷ୍ଟ ହୋଇଛି । ଘଟଣାରେ ୨୨ଟି ଏଫଆଇଆର ରୁଜୁ ହୋଇଥିବା ବେଳେ ୨୦୦ ହିଂସା ସୃଷ୍ଟିକାରୀଙ୍କୁ ଗିରଫ କରାଯାଇଛି ।
ସିଂଘୁ ଓ ଟିକରି ସମେତ ଦିଲ୍ଲୀର ବିଭିନ୍ନ ସୀମା ଅଞ୍ଚଳରେ ଆନେ୍ଦାଳନ ଜାରି ରଖିଥିବା ଚାଷୀମାନେ ୨୬ ତାରିଖରେ ଟ୍ରାକ୍ଟର ପରେଡ ବାହାର କରିଥିଲେ । ଯେଉଁ ରୁଟ୍ ଓ ସମୟରେ ପରେଡ୍ ଯିବା ନେଇ ଦିଲ୍ଲୀ ପୁଲିସ ସହ ସହମତି ହୋଇଥିଲା, ଚାଷୀମାନେ ସେଥିରୁ ବାହାରି ଲାଲକିଲ୍ଲା ପର୍ଯ୍ୟନ୍ତ ପହଞ୍ଚିଥିଲେ । ଚାଷୀମାନେ ପ୍ରଥମେ ସିଂଘୁ ସୀମାରୁ ଆସିଥିଲେ । ହିଂସା ସୃଷ୍ଟିକାରୀ ଏଠାରେ ମୁତୟନ ଥିବା ପୁଲିସ ଉପରେ ବାଡ଼ି ଓ ଠେଙ୍ଗା ଦ୍ୱାରା ଆକ୍ରମଣ କରିଥିଲେ । ଜୀବନ ବଞ୍ଚାଇବା ପାଇଁ ଅନେକ ପୁଲିସ କର୍ମୀ ଲାଲକିଲ୍ଲାରେ ୧୫ ଫୁଟ ଉଚ୍ଚରୁ ଡେଇଁବାକୁ ବାଧ୍ୟ ହୋଇଥିଲେ । ଏହାର ଏକ ଭିଡିଓ ବି ସାମ୍ନାକୁ ଆସିଛି । ଏହି ଘଟଣାରେ ୪୧ ପୁଲିସ କର୍ମୀ ଆହତ ହୋଇଛନ୍ତି ।
ମଙ୍ଗଳବାର ଅପରାହ୍ନ ପାଖାପାଖି ୨ଟାରେ ହଜାର ହଜାର ଚାଷୀ ମୁଖ୍ୟ ଫାଟକ ଦେଇ ଲାଲକିଲ୍ଲା ମଧ୍ୟରେ ପ୍ରବେଶ କରିଥିଲେ । ସେମାନେ ଭିତରେ ପଶିବା ପରେ ବ୍ୟାପକ ଭଙ୍ଗାରୁଜା ଆରମ୍ଭ କରିଥିଲେ । ଏମିତି କି କିଲ୍ଲାର ପ୍ରାଚୀର ଉପରେ ଚଢ଼ି ଧାର୍ମିକ ଧ୍ୱଜା ନିଶାନ ସାହିବ ଏବଂ ଚାଷୀଙ୍କ ପତାକା ଉଡ଼ାଇଥିଲେ । ପ୍ରତିବର୍ଷ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ଏହି ସ୍ଥାନରେ ଜାତୀୟ ପତାକା ତ୍ରିରଙ୍ଗା ଉଡ଼ାଇଥାନ୍ତି । ଏଠାରେ ଉପଦ୍ରବୀ ଚାଷୀମାନଙ୍କ ଦ୍ୱାରା ପାଖାପାଖି ୯୦ ମିନିଟ ଧରି ହଙ୍ଗାମା ଚାଲିଥିଲା । ଏହାପରେ ପୁଲିସ ଉପଦ୍ରବ କରୁଥିବା ଚାଷୀମାନଙ୍କ ଉପରେ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଥିଲା । ସେମାନଙ୍କୁ ଘଉଡ଼ାଇ ବାହାର କରିଦେଇଥିଲା ।
ମଙ୍ଗଳବାର ଦିନ ୧୨ଟାରେ ଚାଷୀଙ୍କ ଟ୍ରାକ୍ଟର ପରେଡ ବାହାରିବା ନେଇ ଧାର୍ଯ୍ୟ ହୋଇଥିଲା । ୧୨ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପରେଡ ହେବା ନେଇ ଅନୁମତି ମିଳିଥିଲା । ଦିଲ୍ଲୀରେ ପ୍ରବେଶ ପାଇଁ ସିଂଘୁ, ଟିକରି ଓ ଗାଜିପୁରଠାରେ ଏଣ୍ଟି୍ର ପଏଣ୍ଟ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଗଣତନ୍ତ୍ର ଦିବସ ପରେଡ ପୂର୍ବରୁ ସକାଳ ୮ଟା ୩୦ରେ ସେମାନେ ଜୋରଜବରଦସ୍ତ ବ୍ୟାରିକେଡ ଭାଙ୍ଗି ଦିଲ୍ଲୀରେ ପ୍ରବେଶ କରିଥିଲେ । ଆଇଟିଓ ନିକଟରେ ଏକ ଟ୍ରାକ୍ଟର ଓଲଟିବାରୁ ଜଣେ ଚାଷୀଙ୍କ ମୃତୁ୍ୟ ହୋଇଥିଲା । ଘଟଣା ପରେ ହରିଆଣା ଓ ପଞ୍ଜାବ ସରକାର ନିଜ ନିଜ ରାଜ୍ୟରେ ହାଇ ଆଲର୍ଟ ଜାରି କରିଛନ୍ତି ।
ହିଂସାକାଣ୍ଡ ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ । ଏହାପରେ ଦିଲ୍ଲୀକୁ ଅର୍ଦ୍ଧସାମରିକ ବାହିନୀ ଏବଂ ଅତିରିକ୍ତ କମ୍ପାନି ପଠାଇବା ପାଇଁ ଶାହ ନିଦେ୍ର୍ଧଶ ଦେଇଥିଲେ । ହିଂସା ସୃଷ୍ଟିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁÂାନ ନେବା ପାଇଁ ଦିଲ୍ଲୀ ପୁଲିସକୁ ନିଦେ୍ର୍ଧଶ ଦିଆଯାଇଛି । ହରିଆଣା କ୍ୟାବିନେଟ ମଧ୍ୟ ଜରୁରି ବୈଠକ ଡକାଇଥିଲା । ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ପୁଲିସକୁ ଆଲର୍ଟ ରହିବା ପାଇଁ ନିଦେ୍ର୍ଧଶ ଦେଇଥିଲେ ।
ଦିଲ୍ଲୀ ପୁଲିସ ପକ୍ଷରୁ ଚାଷୀ ନେତା ରାକେଶ ଟିକାୟତ ଓ ଅନ୍ୟ କେତେଜଣ ନେତା ଯଥା ଦର୍ଶନ ପାଲ୍, ରାଜିନ୍ଦର ସିଂହ, ବଲବୀର ସିଂହ ରାଜେୱାଲ, ବୁଟା ସିଂହ ବୁର୍ଜଗିଲ ଓ ଯୋଗୀନ୍ଦର ସିଂହ ଉଗ୍ରହାଙ୍କ ବିରୋଧରେ ମାମଲା ଦାୟର କରାଯାଇଛି । ଟ୍ରାକ୍ଟର ରାଲି ବାବଦରେ ଜାରି ହୋଇଥିବା ଏନ୍ଓସିର ଉଲ୍ଲଂଘନ ଅଭିଯୋଗରେ ଏହି ମାମଲା ହୋଇଛି ।
ଅନ୍ୟପକ୍ଷରେ ଲାଲକିଲ୍ଲାରେ ଭଙ୍ଗାରୁଜା ଓ ହିଂସାକାଣ୍ଡ ଘଟାଇଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ କହିଛନ୍ତି । ସେ କହିଛନ୍ତି, ଗତକାଲିର ଘଟଣା ପରେ ମୁଁ ମନ୍ତ୍ରଣାଳୟ ଓ ପ୍ରତ୍ନତତ୍ତ୍ୱ ସର୍ଭେ ଅଧିକାରୀଙ୍କ ସହ ଯାଇ ସ୍ଥିତି ସମୀକ୍ଷା କରିଛି । ଏ ନେଇ ରିପୋର୍ଟ ଯଥାଶୀଘ୍ର ପ୍ରସ୍ତୁତ କରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଦେବା ପାଇଁ ମୁଁ ନିଦେ୍ର୍ଧଶ ଦେଇଛି । ରିପୋର୍ଟ ଆସିବା ପରେ ଘଟଣା ସହ ଜଡ଼ିତ ଅନ୍ୟ ତଥ୍ୟ ସାମ୍ନାକୁ ଆସିବ ।
କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେ଼କର ଦିଲ୍ଲୀ ହିଂସାକୁ ଗଭୀର ନିନ୍ଦା କରିବା ସହ ତ୍ରିରଙ୍ଗା ପ୍ରତି ହୋଇଥିବା ଅପମାନକୁ ଭାରତ କଦାପି ଭୁଲିବ ନାହିଁ ବୋଲି କହିଛନ୍ତି । ଏଥିସହ ଦେଶରେ ଅଶାନ୍ତି ସୃଷ୍ଟି ପାଇଁ କଂଗ୍ରେସ ଆନେ୍ଦାଳନକୁ ଇନ୍ଧନ ଯୋଗାଉଥିବା ସେ ଅଭିଯୋଗ କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧି ଚାଷୀମାନଙ୍କୁ ଉସୁକାଉଥିବା ମଧ୍ୟ ସେ କହିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଜାଭଡେ଼କର କହିଛନ୍ତି, ପଞ୍ଜାବରେ କଂଗ୍ରେସ ସରକାର ଚାଲିଥିବା ବେଳେ ସେଠାକାର କିଛି ଚାଷୀ ଜାନୁଆରୀ ୨୬ରେ ଶେଷ ମ୍ୟାଚ୍ ହେବ ବୋଲି କହିଥିଲେ । ତେଣୁ ପଞ୍ଜାବ ସରକାର ଟ୍ରାକ୍ଟରଗୁଡ଼ିକ ଉପରେ ନଜର ରଖି ଅପରାଧୀଙ୍କୁ ଗିରଫ କରିବା ଉଚିତ ଥିଲା ।


Comments are closed, but trackbacks and pingbacks are open.