କୃଷି ଆଇନରେ ନୂଆ ବ୍ୟବସ୍ଥା ଇଚ୍ଛାଧୀନ

Get real time updates directly on you device, subscribe now.

ନୂଆଦିଲ୍ଲୀ: ନୂଆ କୃଷି ସଂସ୍କାର ଆଇନ ଆସିବା ପରେ ଚାଷୀଙ୍କଠାରୁ କେହି କିଛି ଛଡ଼ାଇ ନେଇଯାଇ ନାହାନ୍ତି । ଆଇନରେ କେବଳ ନୂଆ ବ୍ୟବସ୍ଥା ସାମିଲ କରାଯାଇଛି, ଯାହା ଇଚ୍ଛାଧୀନ । ଏଗୁଡ଼ିକ ବାଧ୍ୟତାମୂଳକ ନୁହେଁ । ୩ କୃଷି ଆଇନ ବିରୋଧରେ ଚାଷୀ ଆନେ୍ଦାଳନ ପାଖାପାଖି ୮୦ ଦିନରେ ପହଞ୍ଚିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଲୋକସଭାରେ ଏହା କହିଛନ୍ତି ।
ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଆଇନ କାର୍ଯ୍ୟକାରୀ ହେବା ଦିନଠାରୁ ଦେଶରେ କୌଣସି ମଣ୍ଡି ବନ୍ଦ ହୋଇନାହିଁ । ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବ୍ୟବସ୍ଥା ଜାରି ରହିଛି । ଏମିତି କି ଏମ୍ଏସ୍ପି ବୃଦ୍ଧି ପାଇଛି । ମଣ୍ଡି ବ୍ୟବସ୍ଥାରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ । ବରଂ ଏହି ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ନେଇ ବଜେଟ୍ରେ ଆମେ ପଦକ୍ଷେପ ନେଇଛୁ ।
ଲୋକସଭାରେ ଆଜି ମୋଦି ପୁଣି ‘ଆନେ୍ଦାଳନଜୀବୀ’ ପ୍ରସଙ୍ଗ ଉଠାଇଥିଲେ । କହିଥିଲେ, ଚାଷୀଙ୍କ ଆନେ୍ଦାଳନରେ ପବିତ୍ରତା ରହିଛି । କିନ୍ତୁ ‘ଆନେ୍ଦାଳନଜୀବୀ’ ଏହି ପବିତ୍ରତାକୁ ନଷ୍ଟ କରୁଛନ୍ତି । ନିଜ ଲାଭ ପାଇଁ ସେମାନେ ଏହି ରଣନୀତି ଆପଣାଇଛନ୍ତି । ଜେଲରେ ବନ୍ଦୀ ଥିବା ଦଙ୍ଗାକାରୀ, ସମ୍ପ୍ରଦାୟବାଦୀ, ନକ୍ସଲବାଦୀଙ୍କୁ ମୁକ୍ତି ଦେବା ପାଇଁ ଚାଷୀ ଆନେ୍ଦାଳନରେ ଦାବି କରାଯାଉଛି । ଏଭଳି ଆନେ୍ଦାଳନଜୀବୀଙ୍କଠାରୁ ଦେଶକୁ ବଞ୍ଚାଇବା ଜରୁରି ।
ଦେଶରେ ଟୋଲ୍ ପ୍ଲାଜାକୁ ସବୁ ସରକାର ସ୍ୱୀକାର କରିଛନ୍ତି । ତାହା ଉପରେ କବ୍ଜା କରିବା, ତାହାକୁ ଚଳାଇବାକୁ ନ ଦେବା ଦ୍ୱାରା ଆନେ୍ଦାଳନର ପବିତ୍ରତା ନଷ୍ଟ ହେଉଛି । ପଞ୍ଜାବରେ ଟେଲିକମ୍ ଟାୱାର ଭଙ୍ଗାଯିବା ଓ ଚାଷୀଙ୍କ ଦାବି ମଧ୍ୟରେ କି ସମ୍ପର୍କ ରହିଛି? ଚାଷୀ ଆନେ୍ଦାଳନକୁ ଆନେ୍ଦାଳନଜୀବୀମାନେ ଅପବିତ୍ର କରିଛନ୍ତି । ଆନେ୍ଦାଳନକାରୀ ଯେଉଁ ଲକ୍ଷ୍ୟ ନେଇ ଆସୁଛନ୍ତି, ତାହାକୁ ଆନେ୍ଦାଳନଜୀବୀ ବିଗାଡ଼ୁଛନ୍ତି । ଉଭୟଙ୍କ ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ ରହିଛି । ଏହା ପୂର୍ବରୁ ମୋଦି ରାଜ୍ୟସଭାରେ ମଧ୍ୟ ଆନେ୍ଦାଳନଜୀବୀ ଶବ୍ଦ ବ୍ୟବହାର କରିଥିଲେ ।
ମୋଦି କହିଛନ୍ତି, କୃଷକ ସଂଗଠନଗୁଡ଼ିକ ସହ ଆଲୋଚନା କରାଯାଉଛି । ପଞ୍ଜାବରେ ଆନେ୍ଦାଳନ ବେଳେ ମଧ୍ୟ ଆଲୋଚନା ହୋଇଥିଲା । ସେମାନଙ୍କ ଆଶଙ୍କାକୁ ଦୂରେଇବା ପାଇଁ ଭରପୂର ପ୍ରୟାସ କରାଯାଇଥିଲା । ଆଗକୁ ମଧ୍ୟ ଆହୁରି ଚର୍ଚ୍ଚା ହେବ । ସେମାନେ କୌଣସି ନିର୍ଦ୍ଧିଷ୍ଟ ପ୍ରସଙ୍ଗ ଆଣି ଆସନ୍ତୁ, ତାହା ଉପରେ ଆଲୋଚନା ପାଇଁ ଆମେ ସଂକୋଚ କରିବୁ ନାହିଁ ।
କୌଣସି ସମାଜ ପାଇଁ ପରିବର୍ତ୍ତନ ଅତ୍ୟନ୍ତ ଜରୁରି । ତିନି ତଲାକ୍ ଉପରେ ଆଇନ ଆଣିବା ପାଇଁ କେହି କହି ନ ଥିଲେ । କିନ୍ତୁ ସମାଜର ହିତ ପାଇଁ ଆମେ ଏହାକୁ ନିଷେଧ କରିବା ଲାଗି ଆଇନ ଆଣିଲୁ । ରାଜା ରାମମୋହନ ରୟ, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର, ବି.ଆର୍, ଆମ୍ବେଦକର ପୁରୁଣା ପ୍ରଥା ବିରୋଧରେ ଲଢ଼ି ସେଗୁଡ଼ିକୁ ହଟାଇଥିଲେ । ସେମାନେ ସମାଜରେ ସଂସ୍କାର ଆଣିଥିଲେ । ‘ଏମିତି ଚାଲୁଥାଉ’ ମନୋବୃତ୍ତି ଆଉ କାମ କରୁନାହିଁ । ଏହି ମନୋବୃତ୍ତି ଦେଶକୁ ନଷ୍ଟ କରିଦେବ । ଆମେ ଚାଷୀଙ୍କୁ ଅଧିକ ଆତ୍ମନିର୍ଭରଶୀଳ ବନାଇବା ପାଇଁ କାମ କରୁଛୁ । ସେମାନେ କେବଳ ଗହମ ଓ ଚାଉଳ ଉପôାଦନରେ ସୀମିତ ରୁହନ୍ତୁ ନାହିଁ ।
କଂଗ୍ରେସକୁ ଟାର୍ଗେଟ୍ କରି ମୋଦି କହିଥିଲେ, ଏହି ଦଳ ୬ ଦଶନ୍ଧି ଧରି ଏକଚାଟିଆ ଶାସନ କଲା । ଏବେ ଏହାର ଏଭଳି ଅବସ୍ଥା । ରାଜ୍ୟସଭାରେ ଦଳର ଭିନ୍ନ ଆଭିମୁଖ୍ୟ ଏବଂ ଲୋକସଭାରେ ଭିନ୍ନ । ଏଭଳି ବିଭାଜିତ ଓ ଦ୍ୱନ୍ଦ୍ୱାତ୍ମକ ଦଳ କେବଳ ନିଜର ମଙ୍ଗଳ କଥା ଚିନ୍ତା କରିପାରେ, ଦେଶର ନୁହେଁ । କଂଗ୍ରେସର ନେତା ରାଜ୍ୟସଭାରେ ମଧ୍ୟ ବସିଛନ୍ତି । କିନ୍ତୁ ସେମାନେ ଆନନ୍ଦ ଓ ଉତ୍ସାହରେ ବିସ୍ତୃତ ଭାବେ ଚର୍ଚ୍ଚା କରୁଛନ୍ତି ।
ଭାଷଣରେ ବାରମ୍ବାର ବାଧା ସୃଷ୍ଟି ହେବାରୁ ମୋଦି ସାମାନ୍ୟ ରାଗିଯାଇଥିଲେ । କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ କହିଥିଲେ, ‘ବହୁତ ହେଲା । ମୁଁ ଆପଣଙ୍କୁ ସମ୍ମାନ ଦିଏ । ବେଙ୍ଗଲରେ ଟିଏମ୍ସିଠାରୁ ଆପଣଙ୍କର ଅଧିକ ପ୍ରଚାର ହେବ । ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । କିନ୍ତୁ ଲୋକସଭାରେ ଏଭଳି ହେବା ଶୋଭା ପାଉନାହିଁ । ଆପଣ ଏମିତି କାହିଁକି କରୁଛନ୍ତି?’
ମୋଦି କହିଥିଲେ, ଆମେ ଯେବେ ବିରୋଧୀ ଦଳରେ ଥିଲୁ, ଦେଶର ବିକାଶ ଓ ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରୁଥିଲୁ । ଆଜି ଆଶ୍ଚର୍ଯ୍ୟଜନକ ଭାବେ ବିକାଶ ପ୍ରସଙ୍ଗରେ କୌଣସି ଆଲୋଚନା ହେଉନାହିଁ । ବିରୋଧୀ ଦଳଗୁଡ଼ିକର ପ୍ରସଙ୍ଗ ବଦଳିଯାଇଛି । ମୋଦିଙ୍କ ଦେଢ଼ଘଣ୍ଟାର ଭାଷଣ ବେଳେ ବିରୋଧୀ ଦଳଗୁଡ଼ିକ ୮ ଥର ହଙ୍ଗାମା କରିଥିଲେ । କଂଗ୍ରେସ ସାଂସଦମାନେ କକ୍ଷତ୍ୟାଗ କରିଥିଲେ । ମୋଦି ନିଜ ଅଭିଭାଷଣରେ ରାଷ୍ଟ୍ରପତିଙ୍କ ଭାଷଣକୁ ଭାରତର ‘ସଂକଳ୍ପ ଶକ୍ତି’ ବୋଲି ଦର୍ଶାଇଥିଲେ । ସେ ଆହୁରି କହିଥିଲେ, କରୋନା ପରେ ବିଶ୍ୱରେ ଏକ ନୂଆ ବିଶ୍ୱ ଦେଖିବାକୁ ମିଳିଛି । ଏହି ନୂଆ ବିଶ୍ୱରେ ଆତ୍ମନିର୍ଭର ଭାରତ ଆମକୁ ଯଥେଷ୍ଟ ସହାୟକ ହେବ ।
ଅନ୍ୟପକ୍ଷରେ ଆନେ୍ଦାଳନକୁ ବ୍ୟାପକ କରିବା ଲାଗି ଆଜି କୃଷକ ସଂଗଠନଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚା ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ ଆସନ୍ତା ୧୨ ତାରିଖରୁ ରାଜସ୍ଥାନରେ ଟୋଲ୍ ଆଦାୟକୁ ଅନୁମତି ଦିଆଯିବ ନାହିଁ । ଏହାଛଡ଼ା ୧୮ ତାରିଖରେ ଦେଶବ୍ୟାପୀ ୪ ଘଣ୍ଟିଆ ରେଳରୋକ କରାଯିବ । ପୂର୍ବାହ୍ନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦେଶରେ ରେଳ ଚଳାଚଳକୁ ବନ୍ଦ କରାଯିବ ବୋଲି ମୋର୍ଚ୍ଚା ପକ୍ଷରୁ ଏକ ବିବୃତିରେ କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons