ବ୍ରହ୍ମପୁର, (ବି.ବି.ନୁ୍ୟଜ): ବ୍ରହ୍ମପୁର ମହାନଗରେ ଏବେ ମଶା ପ୍ରବଳ । ଦିନ ରାତି କାମୁଡୁଛନ୍ତି । ଖୋଲା ଜାଗାରେ ରଖେଇ ଦେଉନାହାନ୍ତି । ସନ୍ଧ୍ୟା ସମୟ କଥା ଛାଡ଼ନ୍ତୁ, ଦିନରେ କେଉଁଠି ଠିଆ ହେଲେ ମଧ୍ୟ କାମୁଡ଼ି ଦେହରୁ ରକ୍ତ ଶୋଷି ନେବା ସହ ଶରୀର ଫଳେଇ ଦେଉଛନ୍ତି । ନାଳନର୍ଦ୍ଧମା କଥା ଛାଡ଼ନ୍ତୁ, ଶୁଖିଲା ଘରର ବନ୍ଦ କୋଠରୀରେ ମଧ୍ୟ ତ୍ରାହି ମିଳୁନି । ଏବେ କିଛି ଦିନ ଏହିଭଳି ସ୍ଥିତି ସହରରେ ଲାଗି ରହିଛି । ଏହି କାରଣରୁ ମଶାବାହାକ ରୋଗ ମଧ୍ୟ ବ୍ୟାପିବା ଆଶଙ୍କା କରାଯାଉଛି ।
ସହରରେ ଏବେ ମଶା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ । ଘରେ-ବାହାରେ ସବୁଠି ଏକା ସ୍ଥିତି । ମଶା ମାରିବାକୁ ମାରିବାକୁ ବିଏମ୍ସି ଉଦ୍ୟମ କରୁଛି, ନିୟମିତ ଭାବେ ଧୂଆଁ ଛାଡୁଛି, ହେଲେ ମଶା ମରୁନାହାନ୍ତି । ଏକଥାକୁ ସ୍ୱୀକାର ମଧ୍ୟ କରିଛନ୍ତି ବିଏମ୍ସି ଡେପୁଟୀ କମିଶନର ରୋମାଞ୍ଚଳ ଖମାରୀ । ସେ କହିଛନ୍ତି ବିଏମ୍ସି ପକ୍ଷରୁ ମଶା ମାରିବାକୁ ଟିଫା ମେସିନ୍ ଏବଂ ହ୍ୟାଣ୍ଡ ଫଗିଂ ମେସିନ୍ରେ ଧୂଆଁ ଛଡ଼ାଯାଉଛି । ଟିଫା ମେସିନ୍ରେ ଦୁଇ ଜଣ କର୍ମଚାରୀ ନିୟୋଜିତ ରହିଥିବା ବେଳେ ମୁଖ୍ୟ ରାସ୍ତାମାନଙ୍କରେ ଏହି ମେସିନ୍ ସହାୟତାରେ ଧୂଆଁ ଛଡ଼ାଯାଉଛି । ଏହାବାଦେ ସହରର ଗଳି କନ୍ଦିରେ ହ୍ୟାଣ୍ଡ୍ ଫଗିଂ ମେସିନ୍ରେ ଧୂଆଁ ଛଡ଼ାଯାଉଛି । ଏଥିପାଇଁ ନିୟୋଜିତ ହୋଇଛନ୍ତି ୪୦ ଜଣ କର୍ମଚାରୀ । କିନ୍ତୁ ମଶା ବହୁ ଉପର ପର୍ଯ୍ୟନ୍ତ ଉଡୁଥିବାରୁ ସେମାନେ ଧୂଆଁ ବାଜିଲେ ଉପରକୁ ଉଡୁଛନ୍ତି । ସେହିପରି ଡ୍ରେନ୍ରେ ମଶା ମରା ତେଲ ପକାଇବାକୁ ୨୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ବ୍ରହ୍ମପୁରରେ ୪୫୭ କିଲୋମିଟର କଚ୍ଚା ଓ ପକ୍କା ଡ୍ରେନ୍ ରହିଥିବା ବେଳେ ସେଥିରେ ମଶା ମରା ତେଲ ପକାଯାଉଛି । ସହରରେ ୨ ପ୍ରକାର ମଶା ଦେଖାଯାଉଛି । ଗୋଟିଏ ଡ୍ରେନ୍ ଓ ବିଭିନ୍ନ ଆବର୍ଜନାପୂର୍ଣ୍ଣ ଅଞ୍ଚଳରୁ ବାହାରୁଥିବା ବେଳେ ଘରର ଶୌଚାଳୟରୁ ଛୋଟ ଛୋଟ ମଶା ବାହାରି ସେହି ଘରେ ବସା ବାନ୍ଧୁଛନ୍ତି । ଏଭଳି ମଶାଙ୍କୁ ମାରିବା ସମ୍ଭବ ହୋଇପାରୁନାହିଁ । ମଶା ତେଲ ପକାଇବା ଏବଂ ଧୂଆଁ ଛାଡ଼ିବାକୁ ସ୍ୱତନ୍ତ୍ର ଅଭିଯାନ କରାଯାଇଛି । ବର୍ଷକରେ ୪ରୁ ୫ଟି ମଶାମରା ଅଭିଯାନ କରାଯାଉଥିବା ବେଳେ ପାଖାପାଖି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଧୂଆଁରେ ବିଭିନ୍ନ କାରଣରୁ ମଶା ମରୁନାହାନ୍ତି, କିନ୍ତୁ ସେମାନଙ୍କ ପ୍ରଜନନ କ୍ଷମତା ହ୍ରାସ ହେଉଛି ବୋଲି କହିଛନ୍ତି ଡେପୁଟୀ କମିଶନର୍ ।
ଗତ ଡିସେମ୍ବର ମାସରେ ପ୍ରବଳ ମଶା ହେବା ପରେ ଜାନୁଆରୀ ପହିଲାରୁ ଫେବ୍ରୁଆରୀ ୬ ତାରିଖ ପର୍ଯ୍ୟନ୍ତ ମାସେ ୬ ଦିନ ମଶା ମରା ଅଭିଯାନ ଚାଲିଥିଲା । କିଛି ଦିନ ମଶା ଉପଦ୍ରବ ହ୍ରାସ ପାଇଥିଲା । ହେଲେ ଏବେ ପୁଣି ପ୍ରବଳ ହୋଇଛି । ଘରର ଅପରିଷ୍କାର ପରିବେଶ ଏବଂ ସହର ଭିତରେ ଘରୋଇ ଜାଗାରେ ଗଢ଼ି ଉଠିଥିବା ଲତାବୁଦା ଏବଂ ଆବର୍ଜନାପୂର୍ଣ୍ଣ ଚତୁଃପାଶ୍ୱର୍ ଏଥିପାଇଁ ଦାୟୀ । ମଶା ମାରିବାକୁ ହେଲେ ପ୍ରଥମେ ସେମାନେ ରହୁଥିବା ସ୍ଥାନକୁ ସଫା କରିବାକୁ ହେବ । ସମସ୍ତ ସର୍ବସାଧାରଣ ଜାଗାକୁ ବିଏମ୍ସି ସଫା କରୁଛି । କିନ୍ତୁ ହଜାର ହଜାର ଘରୋଇ ଜାଗା ଏବେ ଆବର୍ଜନାମୟ ହୋଇ ରହିଛି, ମାଲିକମାନେ ସଫା କରୁନାହାନ୍ତି । ଫଳରେ ମଶା ଉପଦ୍ରବ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଏଣିକି ଅପରିଚ୍ଛନ୍ନ ଅବସ୍ଥାରେ ଥିବା ଘରୋଇ ଜାଗାର ମାଲିକମାନଙ୍କ ପ୍ରତି ମଧ୍ୟ ବିଏମ୍ସି କାର୍ଯ୍ୟାନୁÂାନ ଗ୍ରହଣ କରିବ ବୋଲି ଡେପୁଟୀ କମିଶନର୍ କହିଛନ୍ତି ।


Comments are closed, but trackbacks and pingbacks are open.