ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଆ ଜାତିର ସବୁଠାରୁ ବଡ଼ ପରିଚୟ ହେଉଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ । ସେ ହେଉଛନ୍ତି ଓଡ଼ିଆ ଅସ୍ମିତାର ପ୍ରତୀକ । ମହାପ୍ରଭୁଙ୍କ ପୀଠର ବିକାଶ ପାଇଁ ଶ୍ରୀମନ୍ଦିର ପରିକ୍ରମା ଯୋଜନା ପ୍ରସ୍ତୁତ ହୋଇଛି । ଏହା ହେଉଛି ଓଡ଼ିଆ ଜାତି ପାଇଁ ଐତିହାସିକ ମୁହୂର୍ତ୍ତ । ବହୁ ଯୁଗ ପରେ ଏଭଳି ମୁହୂର୍ତ୍ତ ଆସେ । ବିଧାନସଭା ସାଢେ଼ ୪ କୋଟି ଓଡ଼ିଆଙ୍କ ପ୍ରତିନିଧିତ୍ୱ କରୁଛି । ଗୃହରେ ମୁଁ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପସ୍ଥାପନା କରି ନିଜକୁ ଧନ୍ୟ ମନେ କରୁଛି ।
ବିଧାନସଭାରେ ଆଜି ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ଉପସ୍ଥାପନ କରିବା ସହ ସଂକଳ୍ପ ପ୍ରସ୍ତାବ ଆଗତ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ । ଏ ସଂକଳ୍ପକୁ ବିରୋଧୀ ବିଜେପି ଓ କଂଗ୍ରେସ ସମର୍ଥନ ଜଣାଇଥିଲେ । ସର୍ବସମ୍ମତରେ ଏ ସଂକଳ୍ପ ଗୃହରେ ପାରିତ ହୋଇଛି । ସଂକଳ୍ପ ଜରିଆରେ ମୁଖ୍ୟମନ୍ତ୍ରୀ ୩ଟି ପ୍ରସ୍ତାବ ଆଣି କହିଲେ, ଏ ଯୋଜନାକୁ ସମ୍ପୂର୍ଣ୍ଣ କରିବାକୁ ଆମେ ସମସ୍ତେ ସଂକଳ୍ପ ନେଇ କାମ କରିବା । କାମ ଶୀଘ୍ର ସାରିବାକୁ ନିÂାର ସହ ଉଦ୍ୟମ କରିବା । ପ୍ରତିଟି ଓଡ଼ିଆ ଓ ଜଗନ୍ନାଥପ୍ରେମୀ ଏ ମହାନ କାର୍ଯ୍ୟରେ ସାମିଲ ହୋଇ ନିଜର ଅବଦାନ ରଖିବାକୁ ଇଛୁକ । ଏଥିପାଇଁ ଆମେ ସମସ୍ତଙ୍କୁ ସୁଯୋଗ ଦେବା । ଏହାଛଡ଼ା ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ପୁରୀବାସୀ ତ୍ୟାଗ କରିଥିବାରୁ ମୁଖ୍ୟମନ୍ତ୍ରୀ ସଂକଳ୍ପ ପ୍ରସ୍ତାବରେ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀ ସଂକଳ୍ପ ପ୍ରସ୍ତାବ ଆଣି କହିଲେ, ଆମ ଇତିହାସ, ସଂସ୍କୃତି, ପରମ୍ପରା ଓ ଆମ ବିଶ୍ୱାସ ସବୁକିଛି ମହାପ୍ରଭୁଙ୍କୁ କେନ୍ଦ୍ର କରି ଗଢ଼ି ଉଠିଛି । ଆମର ସୌଭାଗ୍ୟ ଆମ ସମୟରେ ହିଁ ପୁରୀଧାମର ବିକାଶ ପାଇଁ ଆମକୁ ସେ ସୁଯୋଗ ଦେଇଛନ୍ତି । ଏଭଳି ସୁଯୋଗ ବହୁତ କମ୍ ଆସେ । ଆମେ ସମସ୍ତେ ସାରା ଓଡ଼ିଶାବାସୀ ମିଳିତ ଭାବେ ଏ ଅନନ୍ୟ ମୁହୂର୍ତ୍ତର ଅଂଶ ପାଲଟିଛେ । ଓଡ଼ିଆ ସ୍ୱାଭିମାନ ପାଇଁ ମହାପ୍ରଭୁ ଦିନେ କାଞ୍ଚି ଅଭିଯାନରେ ବାହାରିଥିଲେ । ଭକ୍ତର ମାନ ରକ୍ଷା ପାଇଁ ମହାପ୍ରଭୁ ନନ୍ଦିଘୋଷ ଛାଡ଼ି ବାଲି ରଥରେ ବିଜେ କରିଥିଲେ । ସେ କାଳିଆ ଠାକୁର ଜଗନ୍ନାଥଙ୍କ ସେବାରେ, ତାଙ୍କ ଧାମର ବିକାଶରେ ଆମେ ଯଦି କିଛି ବି ଅବଦାନ ରଖିପାରିବା, ଜଣେ ଓଡ଼ିଆ ଭାବେ ଏହା ହେବ ଆମର ଶ୍ରେÂ ସୌଭାଗ୍ୟ । ଏ ଯୋଜନାକୁ ସରକାର କାର୍ଯ୍ୟକାରୀ ସିନା କରୁଛନ୍ତି, ମାତ୍ର ଏହା ସରକାରଙ୍କର ନୁହେଁ, ଶ୍ରୀମନ୍ଦିର ପ୍ରଶାସନର ମଧ୍ୟ ନୁହେଁ, ଏହା ହେଉଛି ସାଢେ଼ ୪ କୋଟି ଓଡ଼ିଆଙ୍କର ନିଜର ଯୋଜନା ।
ନବୀନ କହିଲେ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ସବୁ ଭକ୍ତ ଏବଂ ଜଗନ୍ନାଥପ୍ରେମୀଙ୍କ ହୃଦୟରେ ଗୋଟିଏ ଇଛା ଥାଏ ସେମାନେ କିପରି ଏକ ଶାନ୍ତ, ସୁନ୍ଦର ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଜୀବନକାଳରେ ନିଶ୍ଚୟ ଥରୁଟିଏ ଆସିବା ଏବଂ ମହାପ୍ରଭୁଙ୍କ ଟିକିଏ ଝଲକ ପାଇବା ହେଉଛି ଲକ୍ଷ ଲକ୍ଷ ଭକ୍ତଙ୍କର ଏକମାତ୍ର ଇଛା । ସବୁଭକ୍ତ ଯେଭଳି ଏକ ଦିବ୍ୟ ଅନୁଭବ ନେଇ ଫେରିବେ ତାହା ଆମ ସମସ୍ତଙ୍କ ଦାୟିତ୍ୱ । ଯେତେବେଳେ ଜଷ୍ଟିସ୍ ବି ପି ଦାସ କମିଟି ଶ୍ରୀମନ୍ଦିର ନିରାପତ୍ତା କରିଡର ପାଇଁ ସୁପାରିଶ କଲେ, ସେତେବେଳେ ୩ଟି ଲକ୍ଷ୍ୟ ନେଇ ଶ୍ରୀମନ୍ଦିର ପରିକ୍ରମା ଯୋଜନା ବିଷୟରେ ଚିନ୍ତା କରାଯାଇଥିଲା । ଏଗୁଡ଼ିକ ହେଲା, ଶ୍ରୀମନ୍ଦିର ନିରାପତ୍ତା । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ନିରାପତ୍ତା ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି । ଗଜପତି ମହାରାଜଙ୍କ ନେତୃତ୍ୱରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏ ବିଷୟରେ ବହୁ ଆଲୋଚନା କରିବା ପରେ ଏ ଯୋଜନା ପ୍ରସ୍ତୁତ କରିଛି ।
ସେ କହିଲେ, ଏହି ମହାନ କାର୍ଯ୍ୟ ପାଇଁ ମୁଁ ଗଜପତି ମହାରାଜାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି । ଏ ଯୋଜନାକୁ ଆଗେଇନେବାକୁ ସେବାୟତ ବନ୍ଧୁ ଓ ପୁରୀର ଜନସାଧାରଣ ସହଯୋଗ କରିଥିବାରୁ ମୁଁ ଧନ୍ୟବାଦ ଜଣାଉଛି । ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ଡ.ସୁବାସ ପାଣିଙ୍କୁ ମଧ୍ୟ ଧନ୍ୟବାଦ । ବହୁ ଲୋକ ଏ ମହାନ କାର୍ଯ୍ୟରେ ସହଯୋଗ କରି ଆମକୁ ଉତ୍ସାହିତ କରଛନ୍ତି । ତେଣୁ ଏ ଯୋଜନା ପ୍ରସ୍ତୁତିରେ ସହଯୋଗ କରିଥିବା ପ୍ରତ୍ୟେକଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।
ନବୀନ କହିଲେ, ଶ୍ରୀମନ୍ଦିର ହେଉଛି ଆମର ଆଧ୍ୟାତ୍ମିକ ଐତିହ୍ୟର କେନ୍ଦ୍ର । ପୁରୁଷ ପୁରୁଷ ଧରି ଉତ୍ତରାଧିକାରୀ ସୂତ୍ରରେ ଏହା ଆମେ ପାଇଛେ । ଏହି ଅମୂଲ୍ୟ ସମ୍ପଦକୁ ଆମେ ଉତ୍ତରାଧିକାରୀ ସୂତ୍ରରେ ଭବିଷ୍ୟତ ବଂଶଧରମାନଙ୍କ ପାଇଁ ସାଇତି ରଖିଛୁ । ଏହି ଉତ୍ସାହ ନେଇ ଆମକୁ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ଦେଖିବାକୁ ହେବ ଏବଂ ମିଳିତ ଭାବେ ତାକୁ ସାକାର କରିବାକୁ ହେବ ।
ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଲେ, ଶ୍ରୀମନ୍ଦିର ସହ ପ୍ରତିଟି ଓଡ଼ିଆଙ୍କର ନିବିଡ଼ ସଂପର୍କ ରହିଛି । ଜଗନ୍ନାଥ ଆମର ଆଦ୍ୟ ଦେବତା । ଆମେ ଏ ସଂକଳ୍ପକୁ ସ୍ୱାଗତ କରୁଛୁ । ଶ୍ରୀକ୍ଷେତ୍ର ବିଶ୍ୱର ଏକ ନମ୍ବର ଆଧ୍ୟାତ୍ମିକ କେନ୍ଦ୍ର ହେଉ । କଂଗ୍ରେସ ଦଳର ନେତା ନରସିଂହ ମିଶ୍ର କହିଲେ, ଆମ ଓଡ଼ିଆଙ୍କ ଭାବାବେଗ ସହ ଶ୍ରୀଜଗନ୍ନାଥ ଜଡ଼ିତ । ଏହା ସରକାରଙ୍କର ଏକ ବଡ଼ ପରିକଳ୍ପନା ଏବଂ ଭଲ କାମ ଏଥିରେ ସନେ୍ଦହ ନାହିଁ । ଏହାଦ୍ୱାରା ବହୁ ପର୍ଯ୍ୟଟକ ଓଡ଼ିଶା ଆସିବେ, ଆମ ରାଜକୋଷକୁ ଅଧିକ ପାଣ୍ଠି ଆସିବ । ପୁରୀ ପାଇଁ ଓଡ଼ିଶା ବାହାରେ ପରିଚିତ । ଏ ପରିଚୟ ଏବେ ଆହୁରି ପୃଥିବୀର ଅନ୍ୟ ଅଞ୍ଚଳକୁ ବ୍ୟାପିବ । କଂଗ୍ରେସ ଦଳ ଏ ସଂକଳ୍ପକୁ ପୂର୍ଣ୍ଣ ସମର୍ଥନ କରୁଛି । ଯେଉଁମାନେ ଏଥିରେ ସହଯୋଗ କରିଛନ୍ତି ସମସ୍ତଙ୍କୁ ଧନ୍ୟବାଦ । ତେବେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ସଂପର୍କିତ ବୃତ୍ତଚିତ୍ର ଗୃହରେ ପ୍ରଦର୍ଶନକୁ ନରସିଂହ ନାପସନ୍ଦ କରିବା ସହ ଏହା ନୂଆ ପରମ୍ପରା ସୃଷ୍ଟି କଲା ବୋଲି ଅଭଯୋଗ କରିଥିଲେ । ଶାସକ ଦଳ ପକ୍ଷରୁ ସଭ୍ୟ ଦେବୀ ପ୍ରସାଦ ମିଶ୍ର କହିଲେ, ଆଜି ଆମ ଓଡ଼ିଆଙ୍କ ପାଇଁ ହେଉଛି ଐତିହାସିକ ଦିନ । ମହାପ୍ରଭୁ ହେଉଛନ୍ତି ବିଶ୍ୱନିୟନ୍ତା । ଏ ବିକାଶ ଯୋଜନା ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବ ଆଣିବ । ଦଳ ମତ ନିର୍ବିଶେଷରେ ସମର୍ଥନ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ଏହାପରେ ଏହି ସଂକଳ୍ପ ଗୃହର ଅନୁମୋଦନ ପାଇଥିଲା ।


Comments are closed, but trackbacks and pingbacks are open.