
ବୋରିଗୁମ୍ମା,(ବି.ବି.ନୁ୍ୟଜ): କୋଠା ନିର୍ମାଣ ହୋଇ ୮ ବର୍ଷ ବିତିଲା । କାର୍ଯ୍ୟକ୍ଷମ ଦିଗରେ ନିଆଯାଉନି କୌଣସି ପଦକ୍ଷେପ । ଫଳରେ କୋଠାକୁ କାର୍ଯ୍ୟକ୍ଷମ କରାଯାଉନଥିବାରୁ ଉଦ୍ଘାଟନ ଫଳକ ଭାଙ୍ଗାଯାଇଛି । କାନ୍ଥଗୁଡିକ ବର୍ଷା ପାଣି ବାଜି କଳା ପଡ଼ିଯାଇଛି । କେନ୍ଦ୍ର ପରିସରରେ ଅନାବନା ଗଛ ଉଠି ପୂରା ପରିବେଶକୁ ନଷ୍ଟ କରୁଛି । ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠିରେ ପରିଣତ ହୋଇଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ ସେମଳାଗୁଡା ଗାଁରେ ପ୍ରାଣୀଧନ କେନ୍ଦ୍ର । ଜଣେ ଏଲ୍ଆଇଙ୍କୁ ନିଯୁକ୍ତି ଦେବା ସହ ସେମଳାଗୁଡା ଗାଁର ପ୍ରାଣୀଧନ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ଲାଗି ଦାବି ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ୨୦୧୨-୧୩ ଆର୍ଥିକ ବର୍ଷରେ ସେମଳାଗୁଡା ଗାଁରେ ଆଉ ଏକ ନୂଆ ପ୍ରାଣୀଧନ କେନ୍ଦ୍ର ଖୋଲାଯିବା ଲାଗି ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ କୋଠା ନିର୍ମାଣ କରାଗଲା । ଉଦେ୍ଧଶ୍ୟ ଥିଲା ସ୍ଥାନୀୟ ଅଞ୍ଚଳର ପ୍ରାଣୀ ସଂପଦର ସୁରକ୍ଷା କରିବା । କିନ୍ତୁ ନିର୍ମାଣ ହେବା ଦିନଠାରୁ ଏହାକୁ କାର୍ଯ୍ୟକ୍ଷମ କରିବା ଦିଗରେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଫଳରେ ଗୃହପାଳିତ ଚାଷଙ୍କ କୌଣସି କାମରେ ଆସୁନି ଏହି କେନ୍ଦ୍ର । ଦିନକୁ ଦିନ ଜରାଜୀର୍ଣ୍ଣ ହେବାରେ ଲାଗି କୋଠା । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।
ବ୍ଲକ୍ର କୁମୁଲି ଭିଡି ଅଧୀନରେ ୧୦ଟି ପ୍ରାଣୀଧନ କେନ୍ଦ୍ର ରହିଛି । ସେହିପରି ବ୍ଲକ୍ରେ ମୋଟ ୧୭ଟି ପ୍ରାଣୀଧନ କେନ୍ଦ୍ରରେ ମୋଟ ୧୩ଜଣ ଏଲ୍ଆଇ କାର୍ଯ୍ୟରତ ଅଛନ୍ତି । ସେହିପରି ନକୁଳଗୁଡା, ସେମଳାଗୁଡା ଏବଂ ନୂଆଗୁଡା ଗୋରୁମାଲିକମାନେ ୭ କିମି ଦୂର ବି.ସିଂହପୁର ପ୍ରାଣୀଧନ କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି । ଠିକ୍ ସମୟରେ ଚିକିତ୍ସା ସୁବିଧା ନପାଇ ବହୁ ଗୋରୁଗାଈଙ୍କ ମୃତୁ୍ୟ ହୋଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପ୍ରାଣୀଧନ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ସହ ଜଣେ ଏଲ୍ଆଇଙ୍କୁ ଏଠାରେ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ।
ଏ ସମ୍ପର୍କରେ ଆମେ ବିଭିଓ ଡାକ୍ତର ଦେବାଶିଷ କରଙ୍କୁ ଯୋଗାଯୋଗ କରିଥିଲୁ । ସେ କହିଛନ୍ତି ଯେ, ଏ ସମ୍ପର୍କରେ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦେଇଛନ୍ତି । ହେଲେ ସରକାଙ୍କଠାରୁ ଯେବେ ସାଙ୍କସନ୍ ଅର୍ଡର ଆସିଲେ ଜଣେ ଏଲ୍ଆଇକୁ ସେମଳାଗୁଡା ପ୍ରାଣୀଧନ କେନ୍ଦ୍ରରେ ନିଯୁକ୍ତି କରାଯିବ ବୋଲି କହିଛନ୍ତି ।


Comments are closed, but trackbacks and pingbacks are open.