ଗ୍ରାମ୍ୟ ସଡ଼କ କାମ ବନ୍ଦ କଲେ ଗ୍ରାମବାସୀ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ):ଗୋଡ ମାରିଲେ ରାସ୍ତାରୁ ପିଚୁ ମିଶା ଗୋଡି ଉଠିଯାଉଛି । ଖାଲି ବାଲି ଗଣ୍ଡେ ଲେଖାଏଁ ପକାଇ ଦେଇ ତା ଉପରେ ଗୋଡି ବିଛାଇ ଦିଆଯାଇଛି । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଗିରିକାନପାଲ୍ଲୀ ପଞ୍ଚାୟତ ଏମପିଭି-୫୬ ଓ ଏମଭି-୫୯ ଗାଁକୁ ଯୋଡୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ କାମ ଏଭଳି ହୋଇଛି । ଏହାକୁ ନେଇ ଉଭୟ ଗ୍ରାମର ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ କାମ ବନ୍ଦ କରିଛନ୍ତି । ତୁରନ୍ତ ରାସ୍ତାକୁ ଉଚିତ୍ ମାନରେ କରା ନଗଲେ ଜିଲ୍ଲାପାଳଙ୍କ ନିକଟକୁ ଯାଇ ଅଭିଯୋଗ କରିବେ ବୋଲି ଗ୍ରାମବାସୀ କହିଛନ୍ତି ।
ଗାଁ ଲୋକେ କହିଛନ୍ତି, ରାସ୍ତା କାମ ସମ୍ପୂର୍ଣ୍ଣ ନିମ୍ନ ମାନର ହୋଇଛି । ସରକାରୀ ନିୟମ ଅନୁସାରେ ନିର୍ମାଣ ସମୟରେ ମେଟାଲ ପକାଯାଇନି । ମୋରମ୍ ଢାଳି ପାଣି ପକାଇ ରୋଲିଂ କରିବା ନିୟମ ଥିଲେ ହେଁ ସମ୍ପୃକ୍ତ ଠିକାଦାର ଏହା କରିନାହାନ୍ତି । ଶୁଖିଲା ରାସ୍ତା ଉପରେ ଅଧ ଇଞ୍ଚର ପିଚୁ ମିଶା ଗୋଡି ବିଛାଇ ରୋଲିଂ କରାଯାଉଛି । ଦୀର୍ଘ ୪୦ ବର୍ଷ ପରେ ଏହି ରାସ୍ତା ନିର୍ମାଣ ହେଉଥିଲେ ହେଁ ଗୋଡ ମାରିଲେ ପିଚୁ ମିଶା ଗୋଡି ସବୁ ଉଠିଯାଉଛି । କାର୍ଯ୍ୟର ସୂଚନା ଫଳକ ଅନୁସାରେ, ନଅ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି । ମରାମତି ବାବାଦକୁ ୩ ଲକ୍ଷ ୧୧ ହଜାର ଟଙ୍କା ରହିଛି । କାମ ଆରମ୍ଭ ସମୟ ୧୦-୬-୨୦୧୯ ଓ ଶେଷ ହେବା ସମୟ ୬-୩-୨୦ ଉଲ୍ଲେଖ ରହିଛି । କାମ ବର୍ଷେ ତଳେ ଶେଷ ହୋଇଥିବା ଦର୍ଶାଯାଇଥିଲେ ହେଁ ଏବେ କରାଯାଉଛି । ଏପରିକି କାମରେ ଶିଶୁ ଶ୍ରମିକଙ୍କୁ ନିୟୋଜିତ କରାଯାଉଥିବା ଗ୍ରାମବାସୀ କହିଛନ୍ତି । ଏହି କାମର ଯନ୍ତ୍ରୀ କିଏ ଓ ଠିକାଦାର କିଏ ସେ ସମ୍ପର୍କରେ ମଧ୍ୟ ଫଳକରେ କୌଣସି ପ୍ରକାର ସୂଚନା ନାହିଁ । ଏପରିସ୍ଥଳେ, ରାସ୍ତା କାମକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ଦେବାକୁ ଉଭୟ ଗାଁର ବିପ୍ଳବ ବିଶ୍ୱାସ, ଶଙ୍କର ଦତ୍ତ, ନରେଶ ମଣ୍ଡଳ, ନିରଞ୍ଜନ ମଣ୍ଡଳ, ବିମଳ ମଜୁମଦାର, ନିର୍ମଳ ସରଦାର, ରବିନ ସରଦାର, ସୁଶାନ୍ତ ମଣ୍ଡଳ, ଦୀପକ ରାୟ କହିଛନ୍ତି । ସରକାରୀ ନିୟମ ଅନୁସାରେ କାମ ହେଲେ ଅନୁମତି ମିଳିବ ନଚେତ୍ ବନ୍ଦ ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons