
ରାୟଗଡ଼ା,(ବି.ବି.ନୁ୍ୟଜ): ଜିଲ୍ଲାର ୧୨୨ ସ୍କୁଲକୁ ବନ୍ଦ କରିଛନ୍ତି ରାଜ୍ୟ ସରକାର । ଆବଶ୍ୟକ ଛାତ୍ରଛାତ୍ରୀ ଅଭାବରୁ ଏବର୍ଷ ଏସବୁ ବିଦ୍ୟାଳୟ ବନ୍ଦ କରାଯାଇଛି । ସେ ଭିତରେ ରହିଛି ୭୬ଟି ପ୍ରାଥମିକ ବିଦ୍ୟାଳୟ, ୪୩ଟି ଉଚ୍ଚ ପ୍ରାଥମିକ ଏବଂ ୩ଟି ବିଦ୍ୟାଳୟ ଏକ କିଲୋମିଟର ପରିଧି ମଧ୍ୟରେ ଅଧିକ ରହିଥିବାରୁ । ଏସବୁ ବିଦ୍ୟାଳୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରାଯାଇଛି । ଏ ଭିତରେ ଏମିତି କେତେକ ସ୍କୁଲ ରହିଛି, ଯେଉଁଠି ବର୍ଷାଧିକ କାଳ ହେବ ଜଣେହେଲେ ଛାତ୍ରଛାତ୍ରୀ ନଥିଲେ । ମିଳିଥିବା ସୂଚନା ଅନୁଯାୟୀ, ପ୍ରାଥମିକ ସ୍ତରରେ ୧୪୨ଟି ବିଦ୍ୟାଳୟ ବନ୍ଦ ନିମନ୍ତେ ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । କାରଣ ସେଗୁଡ଼ିକରେ ୧୫ରୁ କମ୍ ପିଲା ରହିଥିଲେ । ଏସବୁ ବିଦ୍ୟାଳୟ ବନ୍ଦ ପାଇଁ ଜିଲ୍ଲାସ୍ତରରେ ନିଷ୍ପତ୍ତି ନିଆଯାଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା । ରାଜ୍ୟ ସରକାର ୧୪୧ ବିଦ୍ୟାଳୟ ବନ୍ଦପାଇଁ ଅନୁମତି ପ୍ରଦାନ କରିଥିଲେ । ସେ ଭିତରୁ ଚଳିତବର୍ଷ ୭୬ଟି ବିଦ୍ୟାଳୟ ବନ୍ଦ ହୋଇଛି । ସେହିପରି ଉଚ୍ଚ ପ୍ରାଥମିକ ସ୍ତରରେ ଷÂ ଓ ସପ୍ତମ ଶ୍ରେଣୀ ରହିଥିବା ୫୧ଟି ବିଦ୍ୟାଳୟରେ ୨୦ରୁ କମ ପିଲା ରହିଥିବାରୁ ସେଗୁଡ଼ିକୁ ବନ୍ଦ ପାଇଁ ଜିଲ୍ଲାସ୍ତରରେ ନିଷ୍ପତ୍ତି ନିଆଯାଇ ସରକାରଙ୍କୁ ଜଣାଇ ଦିଆଯାଇଥିଲା । ସରକାର ୪୮ ଟି ବିଦ୍ୟାଳୟ ବନ୍ଦପାଇଁ ଅନୁମତି ପ୍ରଦାନ କରିଥିଲେ । ଏବେସୁଦ୍ଧା ୪୩ଟି ବିଦ୍ୟାଳୟ ବନ୍ଦ ହୋଇଛି । ଏସବୁ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପୂର୍ବଭଳି ଚାଲୁ ରହିବ । ଷÂ ଓ ସପ୍ତମ ଶ୍ରେଣୀ ବନ୍ଦ କରାଯାଇଛି ।
୨୫ରୁ କମ୍ ପିଲା ଥିବା ଏବଂ ଏକ କିଲୋମିଟର ପରିଧି ମଧ୍ୟରେ ଏକାଧିକ ବିଦ୍ୟାଳୟ ରହିଥିବା ୧୯ଟି ଗାଁକୁ ଚିହ୍ନଟ କରାଯାଇଥିଲା । ସେଗୁଡ଼ିକୁ ବନ୍ଦ ପାଇଁ ସମଗ୍ର ଶିକ୍ଷା ବିଭାଗ ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଇଥିଲା । ରାଜ୍ୟ ସରକାର ୮ଟି ବିଦ୍ୟାଳୟ ବନ୍ଦ ପାଇଁ ଅନୁମତି ଦେଇଥିଲେ । ସେଥିରୁ ଏପର୍ଯ୍ୟନ୍ତ ୩ଟି ବନ୍ଦ ହୋଇଛି । ବଳକା ବିଦ୍ୟାଳୟଗୁଡ଼ିକୁ ଖୁବଶୀଘ୍ର ବନ୍ଦ କରାଯିବ ବୋଲି ସୂଚନା ମିଳିଛି । ଏସବୁ ବିଦ୍ୟାଳୟରେ ନାମ ଲେଖାଇଥିବା ବହୁ ଛାତ୍ରଛାତ୍ରୀ ମଙ୍ଗଳ ବିଭାଗ ଅଧୀନରେ ଥିବା ଆଶ୍ରମ ଏବଂ ସେବାଶ୍ରମଗୁଡ଼ିକରେ ନାମ ଲେଖାଇବା ଯୋଗୁ ଶିକ୍ଷା ବିଭାଗ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀ ଶୂନ୍ୟ ହୋଇଥିବା ଜଣାପଡ଼ିଛି । ଫଳସ୍ୱରୂପ ଅନେକ ବିଦ୍ୟାଳୟରେ ଜଣେ ହେଲେ ଛାତ୍ରଛାତ୍ରୀ ବର୍ଷାଧିକ କାଳ ହେବ ନାହାନ୍ତି । ପିଲାନଥିବା ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ବସି ବସି ସରକାରଙ୍କଠାରୁ ମୋଟା ଅଙ୍କର ଦରମା ନେଉଥିଲେ । ମୁଖ୍ୟତଃ ଷÂ ଓ ସପ୍ତମ ଶ୍ରେଣୀ ରହିଥିବା ଉଚ୍ଚପ୍ରାଥମିକ ସେrନରେ ଏହାର ମାତ୍ରା ସର୍ବାଧିକ ।
ଚଳିତବର୍ଷ କାଶୀପୁର ବ୍ଲକର ଲେଖାପାଇ, କଲ୍ୟାଣସିଂହପୁର ବ୍ଲକର ରାଇଲିଗୁଡ଼ା, ଗୁଣପୁର ବ୍ଲକର ସପରାଇଗୁଡ଼ା, ମୁନିଗୁଡ଼ା ବ୍ଲକର ଆମ୍ବାଧୁନି, ଡେଙ୍ଗୁଣି, ଲଟାଗୁଡ଼ା, ଦୁଲେରିଗାଁ, ଗୁଚୁକାପଙ୍ଗା, ଝିଲିଗୁଡ଼ା, ରାମନାଗୁଡ଼ା ବ୍ଲକର କଣ୍ଡାବାରିଡ଼ି, ତାଣ୍ଡିକଣା, ଆଚପା, ଆଦମାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷÂ ଓ ସପ୍ତମ ଶ୍ରେଣୀରେ ଜଣେ ହେଲେ ଛାତ୍ରଛାତ୍ରୀ ନାହାନ୍ତି । କେବଳ ଦୁର୍ଗମ ଗାଁ ନୁହେଁ, ରାୟଗଡ଼ା ସହରର ଅଣ୍ଟାରିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୭ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ରାୟଗଡ଼ା ବ୍ଲକର କୁସୁକୁ ବିଦ୍ୟାଳୟରେ ୫, ଚନ୍ଦ୍ରପୁର ବ୍ଲକର ଗନ୍ଦାଗୁଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪, ଗୁଡ଼ାରୀ ବ୍ଲକର ପାରିକପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨ ଜଣ ଛାତ୍ରଛାତ୍ରୀ ରହିଥିବା ଜଣାପଡ଼ିଛି । ହାତଗଣତି ଛାତ୍ରଛାତ୍ରୀ ରହିଥିବା ଏହି ବିଦ୍ୟାଳୟଗୁଡ଼ିକ କେବଳ ଉଦାହରଣ ମାତ୍ର । ଜିଲ୍ଲାର ଅନେକ ବିଦ୍ୟାଳୟରେ ଏଭଳି ସ୍ଥିତି ଉପୁଜିଛି । ଯେଉଁସବୁ ବିଦ୍ୟାଳୟ ବନ୍ଦ ହୋଇଛି, ତାହାର କୋଠା ଖୁବଶୀଘ୍ର ପଞ୍ଚାୟତିରାଜ ବିଭାଗକୁ ହସ୍ତାନ୍ତର ହେବ ବୋଲି ସୂଚନା ମିଳିଛି । ଏହାପରେ ପଂଚାୟତିରାଜ ବିଭାଗ ପକ୍ଷରୁ ତାହାର ଉଚିତ ବ୍ୟବହାର କରାଯିବ ।


Comments are closed, but trackbacks and pingbacks are open.