
ବଲାଙ୍ଗିର,(ବି.ବି.ନୁ୍ୟଜ): କାମ କରିବାର ଇଚ୍ଛା ଥିଲେ, ନିଜ ଅଞ୍ଚଳରେ ମଧ୍ୟ କରିହେବ । କାମିକା ମଣିଷ କେବେ ହେଲେ ଭୋକିଲା ରହିବ ନାହିଁ । ରାଜ୍ୟ ବାହାରକୁ ଦାଦନ ଯିବା ପରିବର୍ତ୍ତେ ନିଜ ଅଞ୍ଚଳରେ ସ୍ୱାଭିମାନର ସହିତ କାମ କରି ଲକ୍ଷାଧିକ ଟଙ୍କା ରୋଜଗାର କରିହେବ । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଆଡ଼ବାହାଲ ପଞ୍ଚାୟତ ଘଣ୍ଟସଡ଼ା ଗାଁର ଭୁବନେଶ୍ୱର ଛୁରାଙ୍କ ପରିବାର । ଏହି ବାର୍ତ୍ତାକୁ ସେମାନେ କେବଳ ପ୍ରମାଣିତ କରିନାହାନ୍ତି ବରଂ ମନରେଗା ଯୋଜନାରେ ଇତିହାସ ରଚିଛନ୍ତି । ବର୍ଷକରେ ୩୦୦ ଶ୍ରମ ଦିବସ କାର୍ଯ୍ୟ କରି ରାଜ୍ୟସ୍ତରରେ ପ୍ରଥମ ପରିବାର ଭାବରେ ରେକଡର଼୍ ହାସଲ କରିଛନ୍ତି ।
ଏହି ଯୋଜନାରେ କାର୍ଯ୍ୟ କରିବା ପରେ ଶ୍ରୀ ଛୁରାଙ୍କ ପରିବାରକୁ ୯୦ ହଜାର ୬୪୪ ଟଙ୍କା ପାରିଶ୍ରମିକ ମିଳିଛି । ମନରେଗା ଯୋଜନାରେ ଛୁରା ପରିବାରକୁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଥମେ ୧୦୦ ଶ୍ରମ ଦିବସ ଦିଆଯାଇଥିଲା । ପରବର୍ତ୍ତି ୨୦୦ ଶ୍ରମ ଦିବସ ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯାଇଛି । ମନରେଗାରେ ଶ୍ରୀ ଛୁରାଙ୍କ ପରିବାର ଘରେ ରହି ରୋଜଗାର କରିଥିବାରୁ ଆଗକୁ ଆଉ ଦାଦନ ଯିବେନାହିଁ ବୋଲି କହିଛନ୍ତି । ଅପରପକ୍ଷେ, ମନରେଗାର ଏହି ସଫଳତାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଦାଦନପ୍ରବଣ ବଲାଙ୍ଗିର ଜିଲ୍ଲା ପାଇଁ ଛୁରା ପରିବାର ରୋଲ ମଡେଲ । ସେମାନେ ମନରେଗା ଯୋଜନାର ସଂପୂର୍ଣ୍ଣ ଲାଭ ଉଠାଇଛନ୍ତି । ଜିଲ୍ଲାର ଅନ୍ୟ ୬ଟି ଦାଦନ ପ୍ରବଣ ଜିଲ୍ଲାରୁ ଏଭଳି ଆହୁରି ଅନେକ ପରିବାର ରେକଡର଼୍ କରନ୍ତୁ ବୋଲି ଆମେ ଆଶା କରୁଛୁ । ଶ୍ରମିକଙ୍କୁ କାମ ଦେବାରେ ବଲାଙ୍ଗିର ଜିଲ୍ଲା ରାଜ୍ୟରେ ରେକଡର଼୍ କରିଛି ଏବଂ ଏହା ଆଗକୁ ଜାରି ରଖିବାକୁ ଚେଷ୍ଟା କରିବୁ ।
ସୂଚନାଯୋଗ୍ୟଯେ, ୨୦୧୯-୨୦ ଆର୍ଥିକ ବର୍ଷର ନଭେମ୍ବର ମାସ ପର୍ଯ୍ୟନ୍ତ ଭାରତ ସରକାର ମନରେଗା ଯୋଜନାରେ ଜବକାଡର଼୍ଧାରୀଙ୍କୁ ୧୦୦ଦିନର କାମ ପ୍ରଦାନ କରୁଥିଲେ । ମାତ୍ର ୨୦୧୯-୨୦ ମସିହା ନଭେମ୍ବର ମାସରେ ଓଡ଼ିଶା ସରକାର ଦାଦନ ପ୍ରବଣ ଜିଲ୍ଲାମାନଙ୍କରେ ମନରେଗା ଯୋଜନାକୁ ଆହୁରି କ୍ରିୟାଶୀଳ କରିବାକୁ ଏକ ସ୍ୱତନ୍ତ୍ର ‘ଦାଦନ ପ୍ରୋଜେକ୍ଟ’ ହାତକୁ ନେଇଥିଲେ । ଏହି ଯୋଜନା ଅଧିନରେ ରାଜ୍ୟର ୨୦ଟି ଦାଦନ ପ୍ରବଣ ବ୍ଲକରେ ମନରେଗା କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଗଲା । ସେଥିରେ ବଲାଙ୍ଗିର ଜିଲ୍ଲାର ୬ଟି ବ୍ଲକ ସ୍ଥାନ ପାଇଲା ଏବଂ ଏହି ବ୍ଲକମାନଙ୍କରେ ଜବକାଡର଼୍ଧାରୀଙ୍କୁ ଆହୁରି ୧୦୦ଦିନ ଅଧିକ ଅର୍ଥାତ ୨୦୦ଦିନର କାମ ପ୍ରଦାନ କରାଗଲା । ଯାହା ଏପର୍ଯ୍ୟନ୍ତ ଚାଲିଥିଲା । କିନ୍ତୁ ଗତ ୨୦୨୧ ମସିହା ଫେବୃଆରୀରେ ପୁଣି ୧୦୦ଦିନ ଅଧିକ ଦିଆଗଲା । ଅର୍ଥାତ ଏବେ ଜବକାଡର଼୍ଧାରୀଙ୍କୁ ସରକାରଙ୍କ ପକ୍ଷରୁ ୩୦୦ଦିନର କାମ ଦିଆଯାଇଛି । ସେହିକ୍ରମରେ ୩୦୦ଦିନ କ୍ରମାଗତ କାମ କରି ଟିଟିଲାଗଡ଼ ବ୍ଲକ ଆଡ଼ବାହାଲ ପଞ୍ଚାୟତ ଅନ୍ତର୍ଗତ ଘଣ୍ଟସଡା ଗାଁର ଭୁବନେଶ୍ୱର ଛୁରାଙ୍କ ପରିବାର ଏହାର ଲାଭ ଉଠାଇଛନ୍ତି । ଛୁରା ପରିବାରର ୪ଜଣ ସଦସ୍ୟ ୩୦୦ଦିନ କାମ କରି ସମୁଦାୟ ୯୦ହଜାର ୬୪୪ଟଙ୍କା ପ୍ରାପ୍ୟ ପାଇଛନ୍ତି । ଶ୍ରୀ ଛୁରାଙ୍କ ସହିତ ପରିବାରର ୪ଜଣ ସଦସ୍ୟ ସୁଲୋଚନା ଛୁରା, ସପୁର ଛୁରା ଏବଂ ଅଜିତ ଛୁରା କାମ କରିଛନ୍ତି । ଭୁବନେଶ୍ୱର ୨୦୦୬ ମସିହାରୁ ଜବକାଡର଼୍ ପାଇଛନ୍ତି । ସେ କିଛିଦିନ କାମ କରି ତେଲେଙ୍ଗାନାକୁ ଦାଦନ ଶ୍ରମିକ ଭାବରେ ଚାଲିଯାଇଥିଲେ । ଦୀର୍ଘବର୍ଷ ସେଠାରେ ରହି କାର୍ଯ୍ୟ କରିବା ପରେ ୨୦୧୭ ମସିହାରେ ଘରକୁ ଫେରିଥିଲେ । ସେଠାରୁ ୨୦୧୭ ଏବଂ ୨୦୧୮ ମସିହାରେ କିଛି ମାସ ପାଇଁ କାମ କରିଥିଲେ । ହେଲେ ୨୦୧୯ ମସିହାରେ ସେ ପୁଣି ଦାଦନ ଚାଲିଯାଇଥିଲେ । କିନ୍ତୁ କରୋନା ପୂର୍ବରୁ ବଲାଙ୍ଗିର ଫେରିଆସିଥିଲେ ଏବଂ ୨୦୨୦ମସିହା ଏପ୍ରିଲ ୨୯ତାରିଖରୁ ମନରେଗା ଯୋଜନାରେ କାମ ଆରମ୍ଭ କରିଥିଲେ । ଏଥିରେ ନିଜ ଅଞ୍ଚଳର ବିଭିନ୍ନ ବନ୍ଧକଟାର ଉନ୍ନତିକରଣ ଏବଂ ପୁନରୁଦ୍ଧାର କାର୍ଯ୍ୟ କରିଥିଲେ ।


Comments are closed, but trackbacks and pingbacks are open.