ସ୍ୱାଭିମାନ ଅଞ୍ଚଳରେ ମାଣ୍ଡିଆର ଅଭାବୀ ବିକ୍ରି

Get real time updates directly on you device, subscribe now.

ଚିତ୍ରକୋଣ୍ଡା,(ବି.ବି.ନୁ୍ୟଜ): ଟାର୍ଗେଟ ପୂରଣ ହୋଇଗଲା କୁହାଯାଇ ବନ୍ଦ କରିଦିଆଗଲା ମାଣ୍ଡିଆ ମଣ୍ଡି । ଏହାକୁ ନେଇ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ହଜାର ହଜାର ଚାଷୀ ଅସନ୍ତୁଷ୍ଟ । ନିର୍ଦ୍ଧାରିତ ସମୟ ପୂର୍ବରୁ ମଣ୍ଡି ବନ୍ଦ କରି ଦିଆଯିବାରୁ ଏହି ବ୍ଲକ୍ର ୩ ହଜାରରୁ ଅଧିକ ଚାଷୀ ମାଣ୍ଡିଆ ବିକିବାରୁ ବଞ୍ଚିତ ହୋଇଛନ୍ତି । ସେମାନଙ୍କ ପାଖରେ ପଡ଼ିରହିଛି ହଜାର ହଜାର କ୍ୱିଣ୍ଟାଲ ମାଣ୍ଡିଆ । ବାଧ୍ୟ ହୋଇ ବାହାର ବ୍ୟବସାୟୀ ଏବଂ ଦଲାଲଙ୍କୁ ଅଧା ଦରରେ ବିକ୍ରି କରୁଛନ୍ତି । ସ୍ୱାଭିମାନ ଅଞ୍ଚଳ ଉପରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଫୋକସ ଦେଉଥିବା ବେଳେ ଆଦିବାସୀଙ୍କ ପ୍ରତି ଏଭଳି ଅବହେଳାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି । ସରକାର ଏହାର ପୁନର୍ବିଚାର କରିବାକୁ ଦାବି ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ କେତୋଟି ମଣ୍ଡି ଖୋଲି ମାଣ୍ଡିଆ ଉଠାଇବାକୁ ନିବେଦନ କରାଯାଇଛି ।
ଚିତ୍ରକୋଣ୍ଡା ଅଞ୍ଚଳ ହେଉଛି ମାଣ୍ଡିଆର ଖଣି । ବିଶେଷକରି ବଡପଡା, ପାପରମେଟଲା, ରାଲେଗଡା, ଅଣ୍ଡିରାପାଲ୍ଲି, ଯୋଡାମ୍ବ ଏବଂ ଧୂଳିପୁଟ ପଞ୍ଚାୟତରେ ହଳଦୀ, ମୁଗ, ବିରି, କାନ୍ଦୁଲ ଏବଂ ଅନ୍ୟାନ୍ୟ ଲାଭକରୀ ଫସଲ ସହ ପ୍ରଚୁର ମାଣ୍ଡିଆ ଚାଷ କରାଯାଇଥାଏ । ମାଣ୍ଡିଆ ଅମଳ ହେବା ବେଳକୁ ଏଠାରେ ମାର୍ଚ୍ଚ ଶେଷ ହୋଇଯାଇଥାଏ । ଚଳିତବର୍ଷ ଏଠାରେ ଫେବ୍ରୁଆରୀ ଶେଷରେ ମଣ୍ଡି ବନ୍ଦ କରିଦିଆଯାଇଛି । ଏଥିଯୋଗୁ ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି । ଚଳିତ ବର୍ଷ ମାଣ୍ଡିଆ କିଣିବା ଲାଗି ମାଲକାନଗିରି ଜିଲ୍ଲାକୁ ୨୩ ହଜାର କ୍ୱିଣ୍ଟାଲର ଟାର୍ଗେଟ ଦିଆଯାଇଥିଲା । ଏହିକ୍ରମରେ ଚିତ୍ରକୋଣ୍ଡା ବ୍ଲକ୍ରୁ ୭ ହଜାର କ୍ୱିଣ୍ଟାଲ ଉଠାଯିବ ବୋଲି ଟିଡିସିସି ପକ୍ଷରୁ କୁହାଯାଇଥିଲା । ମୋଟ ୪ ହଜାର ୧୩୯ ଚାଷୀ ନାମ ପଞ୍ଜୀକରଣ କରିଥିଲେ । ବ୍ଲକ୍ରେ ୨୮ଟି ମଣ୍ଡି ଖୋଲାଯାଇ ମାତ୍ର ୧୧୧୪ ଚାଷୀଙ୍କଠାରୁ କିଣାଯାଇଛି ୪ ହଜାର ୯୭୦ କ୍ୱିଣ୍ଟାଲ ମାଣ୍ଡିଆ । ବଳକା ୩ ହଜାର ୨୫ଜଣ ଚାଷୀ ମାଣ୍ଡିଆ ବିକିବାରୁ ବଞ୍ଚିତ ହୋଇଛନ୍ତି ।
ଗତବର୍ଷ କରୋନା ପାଇଁ ମାର୍ଚ୍ଚ ୨୨ ତାରିଖରେ ଲକ୍ଡାଉନ୍ ଘୋଷଣା କରାଯାଇଥିଲା । ତଥାପି ସ୍ୱାଭିମାନ ଅଞ୍ଚଳରେ ଏପ୍ରିଲ୍ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିଥିବା ମାଣ୍ଡିଆ ମଣ୍ଡି । ଏ ବର୍ଷ କ’ଣ ପାଇଁ ଫେବ୍ରୁଆରୀ ଶେଷରେ ମଣ୍ଡି ବନ୍ଦ କରି ଦିଆଗଲା, ତାକୁ ନେଇ ଚାଷୀମାନେ ପ୍ରଶ୍ନ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ମଣ୍ଡି ଦାୟିତ୍ୱରେ ଥିବା ଅଧିକାରୀମାନେ ଏଭଳି ଚଞ୍ଚକତା କରିଛନ୍ତି । ଅନ୍ୟ ବ୍ଲକ୍ରେ ଅଧିକ ମାଣ୍ଡିଆ ଅମଳ ହୋଇଥିବା ଦର୍ଶାଇ ସ୍ୱାଭିମାନ ଅଞ୍ଚଳକୁ ପଛରେ ପକାଇଛନ୍ତି । ସରକାର ମାଣ୍ଡିଆ କେଜି ୩୨ ଟଙ୍କା ୯୫ ପଇସା ଧାର୍ଯ୍ୟ କରିଥିବା ବେଳେ ବ୍ୟବସାୟୀ ଏବଂ ଦଲାଲମାନେ କେଜି ୧୬ରୁ ୨୦ ଟଙ୍କା ମଧ୍ୟରେ କିଣି ନେଉଛନ୍ତି । ଏହାଦ୍ୱାରା ସେମାନେ ହଜାର ହଜାର ଟଙ୍କା କ୍ଷତି ସହୁଛନ୍ତି । ଯଦି ସରକାରଙ୍କ ସ୍ୱାଭିମାନ ଅଞ୍ଚଳର ଚାଷୀଙ୍କ ପ୍ରତି ସାମାନ୍ୟ ଦରଦ ଥାଆନ୍ତା, ତା’ହେଲେ କୌଣସି ପରିସ୍ଥିତିରେ ଏଭଳି ପରିସ୍ଥିତି ଉପୁଜିନଥାନ୍ତା । ଜିଲ୍ଲା ପ୍ରଶାସନ ବଳକା ୩ ହଜାର ଚାଷୀଙ୍କଠାରୁ ତୁରନ୍ତ ମାଣ୍ଡିଆ ଉଠାଇବା ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons