କଟକ,(ବି.ବି.ନ୍ୟୁଜ୍): ଜବାହରଲାଲ୍ ନେହରୁ ଇନ୍ଡୋର ଷ୍ଟାଡିୟମ୍ ଠାରେ ଆରମ୍ଭ ହୋଇଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନ୍ସିପ୍ରେ ଭାରତ ବିଜୟ ଅଭିଯାନ ଆରମ୍ଭ କରିଛି । ଆୟୋଜକ ଭାବେ ଦଳୀୟ ଖେଳାଳି ପ୍ରତିଯୋଗିତାରେ ପ୍ରଭାବ ବିସ୍ତାର କରି ପ୍ରତିପକ୍ଷକୁ ମାତ୍ ଦେଇଛନ୍ତି । ଲିଗ୍ ପର୍ଯ୍ୟାୟର ପ୍ରଥମ ରାଉଣ୍ଡରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଚିତ୍ତାକର୍ଷକ ବିଜୟ ହାସଲ କରି କ୍ୱାର୍ଟରଫାଇନାଲ୍ ରାଉଣ୍ଡରେ ସ୍ଥାନ ଏକପ୍ରକାର ପକ୍କା କରିପାରିଛନ୍ତି ।
ଟିମ୍ ଇଭେଣ୍ଟରେ ଜି.ସାଥିୟାନ୍, ଶରତ କମଲ, ହରମିତ ଦେଶାଇଙ୍କ ଭାଗିଦାରୀରେ ଭାରତ ପ୍ରତିଯୋଗିତାକୁ ଓହ୍ଲାଇଛି । ପ୍ରଥମ ରାଉଣ୍ଡରେ ଭାରତ ପ୍ରତିପକ୍ଷ ସ୍କଟ୍ଲାଣ୍ଡକୁ ଟକ୍କର ଦେଇଛି । ଏଥିରେ ଭାରତ ୩-୦ ସେଟ୍ରେ ସ୍କଟ୍ଲାଣ୍ଡ୍କୁ ମାତ୍ ଦେବାରେ ସଫଳ ହୋଇପାରିଛି । ବିଶ୍ୱ ର୍ୟାଙ୍କିଂରେ ୨୪ନମ୍ବର ସ୍ଥାନରେ ଥିବା ଜି.ସାଥିୟାନ୍ ପ୍ରଥମ ଖେଳାଳି ଭାବେ ମଇଦାନକୁ ଓହ୍ଲାଇଥିଲେ । ତାଙ୍କ ସାମ୍ନାରେ ଥିଲେ ସ୍କଟ୍ଲାଣ୍ଡ୍ ଷ୍ଟାର୍ ନିଆଲ୍ କାମେରନ୍ । ସାଥିୟାନ୍ ପ୍ରଥମରୁ ନିଆଲ୍ଙ୍କ ଉପରେ ଚାପ ପକାଇଥିଲେ । ଯାହାଫଳରେ ୧୧-୪, ୧୧-୭, ୧୧-୮ରେ ତିନି ସେଟ୍ ଜିତି ରାଉଣ୍ଡଲିଗ୍ରେ ବିଜୟର ମୂଳଦୁଆ ପକାଇଥିଲେ । ତାଙ୍କ ପରକୁ ଶରତ କମଲ୍ ଓହ୍ଲାଇ ସ୍କଟ୍ଲାଣ୍ଡ୍ର କୋଲିନ୍ ଡାଲଗ୍ଲେଇସ୍ଙ୍କୁ ୧୧-୨, ୧୧-୬, ୧୧-୯ ରେ ପରାସ୍ତ କରି ଦଳକୁ ୨-୦ ସେଟ୍ରେ ଆଗୁଆ କରାଇଥିଲେ । ଶେଷରେ ହରମିତ ଦେଶାଇ ମଧ୍ୟ ୧୧-୨, ୧୧-୬, ୧୧-୧ ପଏଣ୍ଟରେ ଡାଇଲାନ୍ କରିଙ୍କୁ ହରାଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିଥିଲେ । ପୁରୁଷ ଟିମ୍ ଇଭେଣ୍ଟର ଅନ୍ୟ ମ୍ୟାଚ ଗୁଡିକରେ ଇଂଲଣ୍ଡ ୩-୦ ସେଟ୍ରେ ସାଇପ୍ରସ୍କୁ, ନାଇଜେରିଆ ୩-୦ ସେଟ୍ରେ ବାଂଲାଦେଶକୁ, ଅଷ୍ଟ୍ରେଲିଆ ୩-୦ ସେଟ୍ରେ ୱେଲ୍ସକୁ ହରାଇଛି ।
ମହିଳା ବର୍ଗରେ ବି ଭାରତ ବିଜୟ ଅଭିଯାନ ଆରମ୍ଭ କରିଛି । ମନିକା ବାତ୍ରା, ଅର୍ଚ୍ଚନା କମାଥ୍, ଆହ୍ୟିକା ମୁଖାର୍ଜୀଙ୍କ ଭାଗିଦାରୀରେ ଭାରତ ଶ୍ରୀଲଙ୍କାକୁ ପ୍ରଥମ ରାଉଣ୍ଡରେ ପରାସ୍ତ କରିଛି । ରାଉଣ୍ଡ ଲିଗ୍ର ଏହି ପ୍ରଥମ ମୁକାବିଲା ମନିକା ଦଳ ତରଫରୁ ଓପନ୍ କରିଥିଲେ । ସାମ୍ନାରେ ଥିଲେ ଶ୍ରୀଲଙ୍କାର ବିମାନ୍ଦି ବାନ୍ଦରା । ମନିକାଙ୍କ ଖେଳ କୌଶଳ ଆଗରେ ବିମାନ୍ଦି ସାଧାରଣ ଦୁର୍ବଳ ସାବ୍ୟସ୍ତ ହୋଇଥିଲେ । ଯାହାଫଳରେ ମନିକା ୧୧-୫, ୧୧-୪, ୧୧-୫ ପଏଣ୍ଟ୍ରେ ବିଜୟଲାଭ କରିଥିଲେ । ପରେ ଅର୍ଚ୍ଚନା ୧୧-୫,୧୧-୫, ୧୨-୧୦ ପଏଣ୍ଟରେ ଇସାରା ମଦୁରଙ୍ଗୀଙ୍କୁ, ଆହ୍ୟିକା ୧୧-୩, ୧୧-୩, ୮-୧୧, ୧୧-୪ ପଏଣ୍ଟରେ ଚାମଥାସରାଙ୍କୁ ହରାଇ ଦଳ ପାଇଁ ବିଜୟ ନିଶ୍ଚିତ କରାଇଥିଲେ । ସେହିପରି ଭାରତ ଟିମ୍ ଇଭେଣ୍ଟର ଦ୍ୱିତୀୟ ମୁକାବିଲାରେ ଦକ୍ଷିଣଆଫ୍ରିକାକୁ ୩-୦ ସେଟ୍ରେ ମାତ୍ ଦେଇଛି । ଅର୍ଚ୍ଚନା କମାଥ୍ ୧୧-୬, ୧୧-୨, ୧୧-୨ ରେ ପ୍ରତିପକ୍ଷ ଡାନିସା ପଟେଲ୍ଙ୍କୁ, ମଧୁରିକା ୧୧-୨, ୧୧-୫, ୧୧-୩ରେ ପଲେସା ସୁଲାଇବଙ୍କୁ, ସୁତିର୍ଥା ୧୧-୧, ୧୧-୪, ୧୧-୪ ପଏଣ୍ଟରେ ସିମେନ୍ ମୋକେରିଙ୍କୁ ହରାଇ ଭାରତକୁ କ୍ୱାର୍ଟରଫାଇନାଲରେ ପ୍ରବେଶ କରାଛନ୍ତି । ମହିଳା ବର୍ଗର ଅନ୍ୟ ମ୍ୟାଚ ଗୁଡିକରେ ଶକ୍ତିଶାଳୀ ସିଙ୍ଗାପୁର ୩-୦ ସେଟ୍ରେ ସ୍କଟ୍ଲାଣ୍ଡକୁ, ଅଷ୍ଟ୍ରେଲିଆ ୩-୦ ସେଟ୍ରେ ସାଇପ୍ରସ୍କୁ, ନାଇଜେରିଆ ୩-୦ ସେଟ୍ରେ ବାଂଲାଦେଶକୁ, ସିଙ୍ଗାପୁର ୩-୦ ସେଟ୍ରେ ୱେଲ୍ସଙ୍କୁ ହରାଇ ଆଗକୁ ବଢିଛନ୍ତି ।


Comments are closed, but trackbacks and pingbacks are open.