କୋଚ ଚୟନ ଅଡୁଆ ଟଳିଲା

Get real time updates directly on you device, subscribe now.

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ନୂତନ କୋଚ୍ ପାଇଁ ବିସିସିଆଇ ଆବେଦନର ଆହ୍ୱାନ କରିବା ପରେ ନୂତନ ସମସ୍ୟା ଉଭା ହୋଇଥିଲା । କ୍ରିକେଟ୍ ପରାମର୍ଶଦାତା କମିଟି (ସିଏସି)ସଦସ୍ୟମାନେ ବ୍ୟକ୍ତିଗତ ସ୍ୱାର୍ଥ ମାମଲାକୁ ଯୋଗୁଁ ପୁନର୍ବାର କୋଚ୍ ଚୟନ କରିବାକୁ ଅମଙ୍ଗ ଥିବାରୁ ନୂଆ କୋଚ୍ ଚୟନ ପ୍ରକ୍ରିୟାରେ ଅସୁବିଧା ହେବା ସ୍ପଷ୍ଟ ଜଣା ପଡ଼ୁଥିଲା । ହେଲେ ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି ମାତ୍ର ଦିନକ ମଧ୍ୟରେ ନୂତନ ସିଏସି ଗଠନ କରିବାକୁ ସବୁ ଯୋଜନା ଚୂଡ଼ାନ୍ତ କରିଛି ।
ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍ ଲକ୍ଷ୍ମଣ ପୂର୍ବରୁ ସିଏସିର ସଦସ୍ୟ ରହିଥିଲେ । ବର୍ତ୍ତମାନ ସେମାନଙ୍କ ସ୍ଥାନରେ ପୂର୍ବତନ କ୍ରିକେଟ୍ ଖେଳାଳି କପିଳ ଦେବ, ଅଂଶୁମାନ ଗାଏକୱାଡ୍ ଓ ଶାନ୍ତା ରଙ୍ଗସ୍ୱାମୀଙ୍କୁ ସିଏସିର ନୂଆ ସଦସ୍ୟ ରୂପେ ଚୟନ କରାଯାଇଛି । ଏହି ତିନି ଜଣିଆ ସିଏସିଙ୍କ ଉପରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଚୟନ ଦାୟିତ୍ୱ ନ୍ୟସ୍ତ ରହିବ । ବିସିସିଆଇ ସିଇଓ ରାହୁଲ ଜୋହରି ଅନ୍ୟ ସହକାରୀ କୋଚ୍ ଓ ସଦସ୍ୟଙ୍କୁ ଚୟନ କରିବେ । ବିସିସିଆଇ କ୍ରିକେଟ୍ ଅପରେସନ୍ର ସାଧାରଣ ପରିଚାଳକ ସବା କରିମ ଏହି ତିନି ପୂର୍ବତନ ଖେଳାଳିଙ୍କୁ ସିଏସି ସଦସ୍ୟତା ପାଇଁ ରାଜି କରାଇଥିବା ଜଣା ପଡ଼ିଛି ।
ବିସିସିଆଇର ନୂଆ ସମ୍ବିଧାନ ଧାରା ୨୪(୫) ଅନୁଯାୟୀ ବିସିସିଆଇ କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ତ ଦଳର ଅଫିସିଆଲ ନିଯୁକ୍ତ କରିବେ । ଏମାନଙ୍କ ମଧ୍ୟରେ ସହକାରୀ କୋଚ୍, ମ୍ୟାନେଜର, ଫିଜିଓ, ଟ୍ରେନର, ଭିଡ଼ିଓ ଆନାଲିଷ୍ଟ, ନ୍ୟୁଟ୍ରିସନିଷ୍ଟ ଓ ଅନ୍ୟାନ୍ୟ କୋଚିଂ ସଦସ୍ୟ ରହିଛନ୍ତି । ସେହିପରି ଧାରା ୨୬(୨)ଏ ଅନୁଯାୟୀ କ୍ରିକେଟ୍ ପରାମର୍ଶଦାତା କମିଟି(ସିଏସି) ସମସ୍ତ ଦଳର ମୁଖ୍ୟ କୋଚ୍ ନିଯୁକ୍ତ କରିବେ । ପୂର୍ବରୁ ସିଏସି ଗଠନ ବେଳେ ଏହାର ସଦସ୍ୟଙ୍କ ଦାୟିତ୍ୱ ଓ କାର୍ଯ୍ୟକାଳ ବିଷୟରେ କିଛି ସ୍ପଷ୍ଟ କରାଯାଇ ନଥିଲା । ବିସିସିଆଇ ନୂତନ ସିଏସି ଗଠନ କରିବାର ନିୟମ ରହିଛି । ହେଲେ ବୋର୍ଡର ବାର୍ଷିକ ସାଧାରଣ ବୈଠକରେ ହିଁ ନୂତନ ସିଏସି ଗଠନ କରାଯାଇ ପାରିବ ବୋଲି ସମ୍ବିଧାନର ଧାରା ୨୬ରେ ଉଲ୍ଲେଖ ରହିଛି । ସାଧାରଣ ବୈଠକ ହୋଇ ନଥିବାରୁ ପ୍ରଶାସକ କମିଟି ଅସ୍ଥାୟୀ ସଏସି ପ୍ରସ୍ତୁତ କରିଛି ।
ଇତି ମଧ୍ୟରେ ବିସିସିଆଇର ୫ଜଣିଆ ସିନିୟର ଚୟନ କମିଟିର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ତେଣୁ ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି ନବ ନିଯୁକ୍ତ ସିଏସିକୁ ପରବର୍ତ୍ତୀ ଚୟନ କମିଟି ଗଠନ ଦାୟିତ୍ୱ ପ୍ରଦାନ କରିଛି । ଏମ୍ଏସକେ ପ୍ରସାଦ ବର୍ତ୍ତମାନ ଚୟନ କମିଟି ମୁଖ୍ୟ ରହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସରଣଦୀପ ସିଂହ, ଦେବାଙ୍ଗ ଗାନ୍ଧୀ, ଜତିନ ପାରଞ୍ଜପେ ଓ ଗଗନ ଖୋଡ଼ା ଚୟନ କମିଟି ସଦସ୍ୟ ରହିଛନ୍ତି । ଆଗାମୀ ୱେଷ୍ଟ ଇଣ୍ଡିଜ ଗସ୍ତ ପାଇଁ ୧୯ ତାରିଖରେ ଭାରତୀୟ ଦଳ ଚୟନ କରାଯିବ । ସୂଚନାଯୋଗ୍ୟ, ପ୍ରସାଦଙ୍କ ଚୟନ କମିଟିର ଏହା ଶେଷ କାର୍ଯ୍ୟ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons