ଟୋକିଓ: ଏଠାରେ ଚାଲିଥିବା ଅଲିମ୍ପିକ୍ସ ଗେମ୍ସ ଟେଷ୍ଟ ଇଭେଣ୍ଟରେ ଭାରତର ଷ୍ଟାର୍ ମହିଳା ତୀରନ୍ଦାଜ ଦୀପିକା କୁମାରୀ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ଫାଇନାଲରେ କୋରିଆର ଆନ ସାନଙ୍କଠୁ ୬-୦ରେ ପରାଜିତ ହୋଇଥିଲେ । ଯୋଗ୍ୟତା ପର୍ଯ୍ୟାୟରେ ଦୀପିକା ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ଏହାପରେ କ୍ୱାର୍ଟରରେ ସେ ୬-୫ରେ ଇଟାଲୀର ତାତିଆନା ଆଣ୍ଡ୍ରେଓଲିଙ୍କୁ ପରାସ୍ତ କରିଥିଲେ । ସେମି ଫାଇନାଲ୍ ଏକ ତରଫା ରହିଥିଲା । ଦୀପକା ଏହି ରାଉଣ୍ଡ୍ରେ ଚୀନ୍ର ଅଷ୍ଟମ ସିଡ୍ ଝେଙ୍ଗ ୟିଚାଇଙ୍କୁ ୬-୦ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ହେଲେ ୧୮ ବର୍ଷିୟା ୟାନଙ୍କୁ ହରାଇବା ତାଙ୍କ ପକ୍ଷରେ କଷ୍ଟକର ହୋଇ ଯାଇଥିଲା । ଅନ୍ୟ ଭାରତୀୟଙ୍କ ମଧ୍ୟରେ ଏଲ୍ ବୋମ୍ବଲ୍ୟା ଦେବୀ ଦ୍ୱିତୀୟ ରାଉଣ୍ଡ୍ରେ ପରାଜିତ ହୋଇଥିବାବେଳେ କୋମଲିକା ବାରି ପ୍ରଥମ ରାଉଣ୍ଡ୍ରୁ ବିଦାୟ ନେଇଥିଲେ । ବ୍ୟକ୍ତିଗତ ଇଭେଣ୍ଟରେ ଦୀପିକାଙ୍କ ରୌପ୍ୟ ପଦକ ଭାରତୀୟ ତୀରନ୍ଦାଜୀ ଦଳର ମନୋବଳ ଦ୍ୱିଗୁଣିତ କରିଛି । ସୂଚନାଯୋଗ୍ୟ, ଭାରତୀୟ ତୀରନ୍ଦାଜୀ ଦଳ ଏପର୍ଯ୍ୟନ୍ତ କୌଣସି ବର୍ଗରେ ଅଲିମ୍ପିକ୍ସ ଟିକେଟ୍ ହାସଲ କରିପାରି ନାହିଁ । ଆସନ୍ତା ନଭେମ୍ବରରେ ବ୍ୟାଂକକ୍ ଠାରେ ହେବାକୁ ଥିବା ଏସୀୟ ଚାମ୍ପିଅନ୍ସିପ୍ ଜରିଆରେ ଭାରତୀୟ ଦଳ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିବ ବୋଲି ଦୀପିକା ପ୍ରକାଶ କରିଛନ୍ତି ।


Comments are closed, but trackbacks and pingbacks are open.