
କୋରାପୁଟ,(ବି.ବି.ନୁ୍ୟଜ): କୋରାପୁଟ ଜିଲ୍ଲାରେ ବିଭିନ୍ନ ଦମକଳ କେନ୍ଦ୍ରରେ କର୍ମଚାରୀ ଅଭାବ ଏବେ ବିଭାଗ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଘରପୋଡ଼ି ଠାରୁ ଚଳିତବର୍ଷ ଜଙ୍ଗଲ ପୋଡ଼ି ମାମଲା ଅଧିକ ଆସୁଥିବାରୁ କମ୍ ସଂଖ୍ୟକ କର୍ମଚାରୀଙ୍କ ଉପରେ ଚାପ ପଡୁଛି । କାର୍ଯ୍ୟ ସମ୍ପାଦନରେ ସମସ୍ୟା ହେଉଛି । ଜିଲ୍ଲାର ୧୪ଟି ସ୍ଥାନରେ ଦମକଳ କେନ୍ଦ୍ର ଖୋଲାଯାଇଛି ।
କୋରାପୁଟ ସଦର ମହକୁମା ଦମକଳ କେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା କେନ୍ଦ୍ରରେ ଆବଶ୍ୟକ କର୍ମଚାରୀ ନାହାନ୍ତି । ୬ରୁ ୮ଜଣ କର୍ମଚାରୀଙ୍କୁ ନେଇ କେନ୍ଦ୍ର ଚାଲିଛି । ଏପରିକି ଜିଲ୍ଲାର ବନ୍ଧୁଗାଁ, ନାରାୟଣପାଟଣା, ଲମତାପୁଟ, ନନ୍ଦପୁର ଓ କୁନ୍ଦୁରା ଦମକଳ କେନ୍ଦ୍ରରେ ଅଗ୍ନିଶମ ଅଧିକାରୀ ପଦବି ଖାଲିପଡ଼ିଛି । ବିଶେଷକରି କୋରାପୁଟ ସଦର ମହକୁମାରେ ଜଣେ ଅଗ୍ନିଶମ ଅଧିକାରୀଙ୍କ ସହିତ ୧୫ଜଣ କର୍ମଚାରୀ ରହିବା କଥା । ମାତ୍ର ୮ଜଣ କର୍ମଚାରୀ ଅଛନ୍ତି । କୋରାପୁଟରେ ୭ଜଣ କନେଷ୍ଟବଳ ପଦବି ଖାଲି ପଡ଼ିଥିବା କୋରାପୁଟ ଅଗ୍ନିଶମ ବିଭାଗ ଅଧିକାରୀ ସଂଜୟ କୁମାର ବେହେରା କହିଛନ୍ତି । ଶ୍ରୀ ବେହେରା କହିଛନ୍ତି ଚଳିତବର୍ଷ ଘରପୋଡ଼ି ଠାରୁ ଜଙ୍ଗଲ ପୋଡ଼ି ମାମଲା ଅଧିକ ଆସିଛି । ଚଳିତବର୍ଷ ଆଜିପର୍ଯ୍ୟନ୍ତ ୧୦ଟି ମାମଲା ଆସିଥିବା ବେଳେ ସେଥି ମଧ୍ୟରେ ଜଙ୍ଗଲ ପୋଡ଼ି ୬ଟି ମାମଲା ରହିଛି । ଜିଲ୍ଲାର କୋରାପୁଟ ଓ ଜୟପୁର ସହରାଞ୍ଚଳରେ ଦମକଳକେନ୍ଦ୍ର ଥିବାବେଳେ ଅନ୍ୟ ବ୍ଲକ ସଦର ମହକୁମାରେ ଦମକଳ କେନ୍ଦ୍ର ଅଛି । ଏବେ ଗରମ ୩୪ ଡ଼ିଗ୍ରୀ ଡେ଼ଇଁଲାଣି । ଗରମଦିନରେ ସାଧାରଣତଃ ଅଗ୍ନିକାଣ୍ଡ ଘଟଣା ଅଧିକ ରହିଥାଏ । ଜିଲ୍ଲାରେ ଏବେ ଘରପୋଡ଼ି କେସ୍ ବହୁତ କମ୍ ଆସୁଛି । ଗ୍ୟାସ୍ ଲିକ୍ ଦ୍ୱାରା ଅଗ୍ନିକାଣ୍ଡ ଓ ସଟସର୍କିଟ ଦ୍ୱାରା ଅଗ୍ନିକାଣ୍ଡ ମାମଲା ବହୁତ କମ ରହିଛି । ଜିଲ୍ଲାର ୧୪ଟି ବ୍ଲକରେ ଖୋଲା ଯାଇଥିବା କେନ୍ଦ୍ରଗୁଡ଼ିକର ନିଜସ୍ୱ ଗୃହ ଓ ଗାଡ଼ି ରହିଛି । ପ୍ରାୟ ଗାଡ଼ି କାର୍ଯ୍ୟକ୍ଷମ ଅଛି । କିନ୍ତୁ ବ୍ଲକ ଗୁଡ଼ିକରେ କର୍ମଚାରୀଙ୍କ ଅଭାବ ରହିଥିବାରୁ ଯୋଉଁମାନେ ଅଛନ୍ତି ସେମାନଙ୍କ ଉପରେ ଅଧିକ ଚାପ ରହୁଛି ।
କୋରାପୁଟ ଓ ଜୟପୁରକୁ ଛାଡ଼ିଦେଲେ ବ୍ଲକ ଗୁଡ଼ିକର କେନ୍ଦ୍ରରେ ୧୦ ଜଣଙ୍କ ସ୍ଥାନରେ ୫ରୁ ୬ ଜଣ କର୍ମଚାରୀ ଅଛନ୍ତି । ଫଳରେ ବ୍ଲକ ଅଞ୍ଚଳରେ କୌଣସି ସ୍ଥାନରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଲେ ସୀମିତ କର୍ମଚାରୀ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହେଉଛି । ଖାଲିଥିବା ପଦବି ପୂରଣ କରାଯିବା ଜରୁରୀ ବୋଲି ବିଭାଗ କହିଛି । ସୂଚନା ଥାଉ କି ଜିଲ୍ଲାରେ କୋରାପୁଟ ଓ ଜୟପୁର ଦମକଳ କେନ୍ଦ୍ରରେ ଗୋଟିଏ ଲେଖାଏଁ ୪୦୭ ଭ୍ୟାନ ରହିଛି । ପାଣି ଟାଙ୍କି ଗାଡ଼ି ୩ଟି ଲେଖାଏଁ ଅଛି । ସେହିପରି ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଗୋଟିଏ ପମ୍ପଗାଡ଼ି ଓ ଗୋଟିଏ ପାଣିଟାଙ୍କି ଗାଡ଼ି ରହିଛି । ସବୁ ବ୍ଲକରେ କେନ୍ଦ୍ର ସ୍ଥାପନ ହେବା ଦ୍ୱାରା କୋରାପୁଟ ଓ ଜୟପୁର କେନ୍ଦ୍ରକୁ ଅପେକ୍ଷାକୃତ ଅଗ୍ନିକାଣ୍ଡ କେସ୍ ପୂର୍ବାପେକ୍ଷା କମ ଆସୁଛି ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି । ବ୍ଲକଗୁଡ଼ିକରେ ଦମକଳ କେନ୍ଦ୍ର ହେବା ପରେ ପ୍ରାୟ ଗାଁଗୁଡ଼ିକ ୨୫ରୁ ୩୦କିମି ମଧ୍ୟରେ ରହୁଛି । ତେଣୁ ଯେକୌଣସି ଘଟଣା ଘଟିଲେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଅାଁକୁ ଆୟତ୍ତ କରିବାରେ ସମର୍ଥ ହୋଇପାରୁଛନ୍ତି ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି ।


Comments are closed, but trackbacks and pingbacks are open.