ଜଳୁଛି ଜଙ୍ଗଲ, ହତାଶ ବନବିଭାଗ

Get real time updates directly on you device, subscribe now.

ବୌଦ୍ଧ,(ବି.ବି.ନୁ୍ୟଜ): ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ କିଛି ଦିନ ହେବ ନିଅାଁ ଲାଗି ବ୍ୟାପକ ଜଙ୍ଗଲ ନଷ୍ଟ ହେଉଥିବା ବେଳେ ନିଅାଁକୁ ଆୟତ୍ତ କରିବା ପାଇଁ ବନ ବିଭାଗ ଲାଗିପଡ଼ିଛି । ତଥାପି ଜଙ୍ଗଲ ପୋଡ଼ି ଥମିବାର ନା ଧରୁ ନ ଥିବାରୁ ବନ ବିଭାଗ କର୍ମଚାରୀ ହତାଶ ହୋଇ ପଡିଛନ୍ତି । ନିଅାଁକୁ ଆୟତ୍ତ କରିବାରେ ବିଭିନ୍ନ ସ୍ଥାନରେ ବନ କର୍ମଚାରୀଙ୍କ ସହିତ ସ୍ଥାନିୟ ଗ୍ରାମବାସୀ ଲାଗିପଡିଛନ୍ତି । ହେଲେ ଜଙ୍ଗଲ ପୋଡ଼ି ଥମିବାର ନା ନେଉନାହିଁ । ସେପଟେ ବନ ବିଭାଗ ଜଙ୍ଗଲରେ ନିଅାଁ ଲଗାଇବା ଅଭିଯୋଗରେ ଆଠ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ମଧ୍ୟ ଦୁର୍ବୃର୍ତ୍ତମାନେ ଜଙ୍ଗଲରେ ନିଆ ଲଗାଇ ଦେଉଛନ୍ତି ।
ଜିଲ୍ଲାର ହରଭଙ୍ଗା ବ୍ଲକ ମାଧପୁରରେ ହାତୀଧରା ଜଙ୍ଗଲରେ ୧୦ ଦିନ ହେଲା ଜଙ୍ଗଲ ଜଳୁଥିବାବେଳେ ନିଅାଁକୁ ଆୟତ୍ତ କରିବାରେ ବନ ବିଭାଗ ବିଫଳ ହୋଇଛି । ଗତକାଲି ରାଣୀସାହି ପଟ ଜଙ୍ଗଲରୁ ନିଅାଁ ଲାଗି ସନ୍ଧ୍ୟାବଳେ ଗଣ୍ଡାପାଜୁ ଗ୍ରାମଠାରୁ ମାତ୍ର ୧ କିଲୋମିଟର ଦୂର ହାତୀଧରା ଜଙ୍ଗଲରେ ଲାଗିଥିବା ଦେଖି ଗ୍ରାମବାସୀମାନେ ଭୟଭୀତ ହୋଇଯାଇଥିଲେ । ସୂଚନା ଅନୁଯାୟୀ ଗତ ଦଶବର୍ଷ ହେଲା ଜଙ୍ଗଲରେ ଏଭଳି ନିଅାଁ ଲାଗିବା କେବେ ଦେଖାଯାଇନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ପଦ୍ମତୋଳା ଜଙ୍ଗଲକୁ ସଂଯୋଗ କରୁଥିବା ଏହି ଜଙ୍ଗଲରେ ରାଜାଙ୍କ ସମୟରେ ପ୍ରଜାମାନେ ବେଠି ଖଟି ଏହି ଜଙ୍ଗଲରେ ଶାଗୁଆନ ଗଛ ଲଗାଇଥିବାର କୁହାଯାଏ । ବର୍ତମାନ ଜିଲ୍ଲାର ବଡ ଜଙ୍ଗଲ କହିଲେ ହାତୀଧରା, ମୁଣ୍ଡେଶ୍ୱର ଓ ପଦ୍ମତୋଳା ଜଙ୍ଗଲକୁ ବୁଝାଯାଏ । ହାତୀଧରା ଜଙ୍ଗଲ ମଧ୍ୟରେ ରହିଛି ଘଞ୍ଚ ଜଙ୍ଗଲ ଅଞ୍ଚଳ ଦାନିଗାଡୁ, କେରେଡିଗୁଜୁ, ବାଘଦଳି । ଏହି ଜାଗାଗୁଡ଼ିକରେ ବର୍ଷତମାମ ପାଣି ରହିଥାଏ । ତେଣୁ ଏହି ସ୍ଥାନ ହିଂସ୍ରଜନ୍ତୁ ସହିତ ହାତୀ, ବାର୍ହା, ସମ୍ବର, ହରିଣ, କୁଟୁରା ଆଦି ବନ୍ୟପ୍ରାଣୀଙ୍କ ବାସସ୍ଥଳି ପାଲଟିଛି । କିନ୍ତୁ ଏବେ ଜଙ୍ଗଲରେ ନିଅାଁ ଲାଗିଥିବା ଯୋଗୁଁ ବନଜନ୍ତୁ ଏବେ ଗ୍ରାମମୁହାଁ ହେଉଥିବା ନେଇ ସବୁ ସମୟରେ ଗ୍ରାମବାସୀମାନେ ଭୟରେ କାଳାତିପାତ କରୁଛନ୍ତି । ଜଙ୍ଗଲ ନିଅାଁ ଯୋଗୁଁ ବହୁ ମୂଲ୍ୟବାନ ଗଛ ଓ ଔଷଧୀୟ ବୃକ୍ଷ ପୋଡ଼ି ନଷ୍ଟ ହୋଇଯାଉଥିବାରୁ ସାଧାରଣରେ ଉଦ୍ବେଗ ପ୍ରକାଶ ପାଉଛି । ଗତକାଲିଠାରୁ ଜନବସତି ପାଖାପାଖି ଅଞ୍ଚଳରେ ରାତି ତମାମ ହାତୀଙ୍କ ରଡି ଶୁଣିବାକୁ ମିଳୁଥିବା ସ୍ଥାନୀୟ ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଗତକାଲି ସନ୍ଧ୍ୟାରେ ଫାୟାର ଲାଇନ କଟା ଯନ୍ତ୍ର ଧରି ବନ ବିଭାଗର ସ୍କ୍ୱାଡ୍ ପହଞ୍ଚିବା ସହ କିଛି ମାତ୍ରାରେ ନିଅାଁକୁ ଆୟତ୍ତ କରିଥିଲେ ମଧ୍ୟ ଅନେକ ଅଞ୍ଚଳରେ ଏବେ ମଧ୍ୟ ନିଅାଁ ଲାଗିଥିବା ଜଣାଯାଇଛି । ଚଳିତବର୍ଷ ବନ ବିଭାଗର ଅବହେଳା ଯୋଗୁଁ ପୂର୍ବ ପ୍ରସ୍ତୁତି ନଥିବାରୁ ଜଙ୍ଗଲ ଗୁଡିକରେ ଲାଗୁଥିବା ନିଅାଁ ସହଜରେ ଅନ୍ୟ ଅଞ୍ଚଳକୁ ବ୍ୟାପୀ ଯାଉଥିବା ଅଭିଯୋଗ ହେଉଛି । ତେବେ ଜଙ୍ଗଲ ନିଅାଁକୁ ଆୟତ୍ତ କରିବା କେବଳ ଯେ ବନ ବିଭାଗର ଦାୟିତ୍ୱ ବୋଲି ନଭାବି ଗ୍ରାମାବାସୀ, ବନ ସୁରକ୍ଷା ସମିତି ସମସ୍ତେ ମିଳିମିଶି ଉଦ୍ୟମ କଲେ ଜିଲ୍ଲାର ଜଙ୍ଗଲ ସଂପଦ ରକ୍ଷା କରାଯାଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons