
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟର ସରକାରୀ ସ୍କୁଲ ପିଲାମାନଙ୍କ ପାଇଁ ବଡ଼ ଖବର । ଏଣିକି ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସେମାନେ ସୁବିଧାରେ ନାମ ଲେଖାଇପାରିବେ । ସରକାରୀ ହାଇସ୍କୁଲରେ ପାଠ ପଢ଼ୁଥିବା ପିଲାମାନଙ୍କ ପାଇଁ ରାଜ୍ୟର ଥିବା ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ୧୫% ସ୍ଥାନ ସଂରକ୍ଷିତ ରଖିବେ ସରକାର । ଗ୍ରାମାଞ୍ଚଳର ଗରିବ ମେଧାବୀ ପିଲାମାନେ ଏହାର ସୁଫଳ ପାଇବେ । ରାଜ୍ୟ କ୍ୟାବିନେଟ୍ ଏ ପ୍ରସ୍ତାବରେ ମୋହର ମାରିଥିଲା ବେଳେ ଆଜି ବିଧାନସଭାରେ ଏ ଐତିହାସିକ ସଂକଳ୍ପ ପ୍ରସ୍ତାବରେ ବାଜିଛି ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କରେ ଆଣିଥିବା ସଂକଳ୍ପ ପ୍ରସ୍ତାବ ସର୍ବସମ୍ମତକ୍ରମେ ପାରିତ ହୋଇଛି । ରାଜ୍ୟର ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ପିଲାମାନଙ୍କ ପାଇଁ ଏହା ଏକ ଯୁଗାନ୍ତକାରୀ ନିଷ୍ପତ୍ତି ।
ଗରିବ ଓ ମେଧାବୀ ପିଲାମାନଙ୍କ ସ୍ୱପ୍ନରେ ଲାଗିବ ଡେଣା । ସରକାରୀ ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବେ ସରକାର । ସେମାନଙ୍କ ପାଇଁ ୧୫ ପ୍ରତିଶତ ସଂରକ୍ଷଣ ସୁବିଧା ଦେବେ । ‘ନିଟ୍’ ଓ ‘ଜେଇଇ’ ଭଳି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ କୋଚିଂ ଅଭାବରୁ ପଛୁଆ ରହୁଥିବା ଗରିବ ପିଲାମାନଙ୍କୁ ସରକାରଙ୍କ ଏ ସଂରକ୍ଷଣ ବ୍ୟବସ୍ଥା ମେଡିକାଲ ଓ ଇଞ୍ଜିନିୟରିଂ ନାମଲେଖାରେ ବେଶ ସହାୟକ ହେବ । ଛାତ୍ର ଜୀବନର ସ୍ୱପ୍ନ ସାକାର ହେବ । ଗରିବ ଓ ମେଧାବୀ ପିଲାମାନଙ୍କୁ ଏ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏ ସଂପର୍କରେ ସରକାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରି ଆସନ୍ତା ଶିକ୍ଷାବର୍ଷରୁ ଏହା ରାଜ୍ୟରେ ଲାଗୁ କରାଯିବ ବୋଲି ସୂଚନା ମିଳିଛି ।
ବିଧାନସଭାରେ ଏ ସଂପର୍କିତ ସଂରକ୍ଷଣ ସଂକଳ୍ପ ଆଗତ କରି ମୁଖ୍ୟମନ୍ତ୍ରୀ କହିଲେ, ସର୍ବଭାରତୀୟସ୍ତରରେ ‘ନିଟ୍’ ଓ ‘ଜେଇଇ’ ପରି ଏକକ ପରୀକ୍ଷା ବ୍ୟବସ୍ଥା ଲାଗୁ ହେବା ପରେ ରାଜ୍ୟର ସରକାରୀ ହାଇସ୍କୁଲ ଓ କଲେଜର ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏ ଦୁଇ ପାଠ୍ୟକ୍ରମରେ କମିବାରେ ଲାଗିଛି । ଗ୍ର୍ରାମାଞ୍ଚଳରେ ମେଧାବୀ ପିଲା ଥିଲେ ମଧ୍ୟ ଉପଯୁକ୍ତ କୋଚିଂ ସୁବିଧା ପାଉନଥିବାରୁ ଏସବୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି । ନିଟ୍ ଓ ଜେଇଇ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ଉପଯୁକ୍ତ କୋଚିଂ ଆବଶ୍ୟକ । ମାତ୍ର ଏ କୋଚିଂ କେନ୍ଦ୍ର ମୁଖ୍ୟତଃ ସହରାଞ୍ଚଳରେ ଖୋଲିଛି । ଏଥିପାଇଁ ଅଧିକ ଟଙ୍କା ମଧ୍ୟ ଦରକାର । ଗ୍ରାମାଞ୍ଚଳର ଗରିବ ଓ ସରକାରୀ ସ୍କୁଲର ପିଲାମାନେ ଦୂରରେ ରହୁଥିବା ବେଳେ ଅର୍ଥ ଅଭାବରୁ କୋଚିଂରୁ ବଞ୍ଚିତ ହେଉଛନ୍ତି । ରାଜ୍ୟର ବହୁ ପିଲାମାନଙ୍କ ମଧ୍ୟରେ ମେଧା ଥାଇ ମଧ୍ୟ ସେମାନେ ପଛୁଆ ରହିଯାଉଛନ୍ତି । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଷମ୍ୟ ସୃଷ୍ଟି ହେଉଛି ।
ନବୀନ କହିଲେ, ଏ ସମସ୍ୟା ସଂପର୍କରେ ପୂର୍ବରୁ ରାଜ୍ୟ କ୍ୟାବିନେଟରେ ଆଲୋଚନା ହୋଇ ସରକାରୀ ସ୍କୁଲର ମେଧାବୀ ପିଲାମାନଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂରେ ନାମ ଲେଖା ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ସଂକଳ୍ପ ହୋଇଥିଲା । ଏଥିପାଇଁ ସରକାର ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଡ. ଏ କେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାସଂପନ୍ନ କମିଟି ଗଠନ କରିଥିଲେ । ଏ କମିଟି ଏ ବିଷୟକୁ ଗଭୀର ଅନୁଧ୍ୟାନ କରି ଜାଣିବାକୁ ପାଇଛନ୍ତି, ରାଜ୍ୟର ୮୬% ପିଲା ସରକାରୀ ସ୍କୁଲର ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୨୩% ରାଜ୍ୟରେ ଥିବା ମେଡିକାଲ କଲେଜ ଏବଂ ୨୧% ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବାର ସୁଯୋଗ ପାଉଛନ୍ତି । ଘରୋଇ ସ୍କୁଲରେ ମାତ୍ର ୧୨% ପିଲା ପାଠ ପଢୁଥିଲା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୬୦% ମେଡିକାଲ ଓ ଇଞ୍ଜିନିୟରିଂରେ ନାମ ଲେଖାର ସୁଯୋଗ ପାଉଛନ୍ତି । ଅର୍ଥ ଓ କୋଚିଂ ଅଭାବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଭଳି ବୈଷମ୍ୟ ସୃଷ୍ଟି ହେଉଛି ଏହା ତାର ସ୍ପଷ୍ଟ ପ୍ରମାଣ ।
ଏହି ବୈଷମ୍ୟ ଦୂର କରିବା ସହ ମେଧାବୀଙ୍କ ସ୍ୱପ୍ନ ପୂରଣ କରିବାକୁ କମିଟି ସୁପାରିଶ କରିଛି ଯେ, ମେଡିକାଲ ଓ ବୈଷୟିକ ଶିକ୍ଷାରେ ନାମଲେଖା ପାଇଁ ସରକାରୀ ସ୍କୁଲ ପିଲାଙ୍କ ପାଇଁ ୧୫ ପ୍ରତିଶତ ସଂରକ୍ଷଣ ରଖାଯାଉ । ଏହି ସଂରକ୍ଷଣ ସୁବିଧା ସମସ୍ତ ସଂରକ୍ଷିତ ବର୍ଗ ତଥା ସାଧାରଣ ବର୍ଗର ପିଲାମାନଙ୍କ ପାଇଁ ସମାନୁପାତିକ ଭାବେ ଲାଗୁ କରାଯିବ । ଏହାକୁ କାର୍ଯ୍ୟକାରୀ କରିବାକୁ ଓଡ଼ିଶା ବୃତ୍ତିଗତ ଶିକ୍ଷାନୁÂାନ (ନିୟନ୍ତ୍ରଣ ଓ ନାମଲେଖା) ଆଇନ ଅନୁସାରେ ସରକାର ଏ ସଂପର୍କରେ ବିଜ୍ଞପ୍ତି ଜାରି କରିପାରିବେ । ତେଣୁ ଲକ୍ଷ ଲକ୍ଷ ମେଧାବୀ ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗୃହ କମିଟିର ଏ ସୁପାରିଶକୁ ସର୍ବସମ୍ମତ ଭାବେ ପାରିତ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । କୋଚିଂ ନେବାକୁ ସକ୍ଷମ ନଥିବା ମେଧାବୀ ପିଲାମାନଙ୍କୁ ଏହା ଡାକ୍ତର କିମ୍ବା ଇଂଜିନିୟର ହେବାରେ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ । ବିଧାନସଭାରେ ଉଚ୍ଚ କ୍ଷମତାସଂପନ୍ନ କମିଟିର ରିପୋର୍ଟକୁ ଉପସ୍ଥାପନ କରାଯାଇଥିଲା ।
ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଆଲୋଚନାରେ ଅଂଶଗ୍ରହଣ କରି କହିଲେ, ସରକାର ୨୦ ବର୍ଷ ଶାସନ କରିବା ପରେ ସରକାରୀ ସ୍କୁଲର ବାସ୍ତବ ସ୍ଥିତି ଜାଣିପାରିଲେ । ସରକାରୀ ଭାବେ ପିଲାମାନଙ୍କୁ କୋଚିଂ ଦେବାର ବ୍ୟବସ୍ଥା କରାଯାଉ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ସରକାରୀ ସ୍କୁଲର ଭିତ୍ତିଭୂମି ଅତି ଦୁର୍ବଳ । ବହୁ ସ୍କୁଲରେ ଶିକ୍ଷକ ନାହାନ୍ତି । ଭିତ୍ତିଭୂମି ସୁଦୃଢ଼ କରାଯାଉ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ଅନ୍ୟ ରାଜ୍ୟରେ ଏ ବ୍ୟବସ୍ଥା ଲାଗୁ ହୋଇଛି । ଏ ନେଇ ମାମଲା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଚାଲିଛି । ତେବେ ଏ ପ୍ରସ୍ତାବ ସ୍ୱାଗତଯୋଗ୍ୟ । ଶାସକ ଦଳର ସଭ୍ୟ ଅତନୁ ସବ୍ୟସାଚୀ ନାୟକ କହିଲେ, ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କର ଐତିହାସିକ ନିଷ୍ପତ୍ତି । ରାଜ୍ୟରେ ଅସମାନତା ଦୂର ପାଇଁ ଉଚ୍ଚ କ୍ଷମତାସଂପନ୍ନ କମିଟି ସୁପାରିଶ କରିଥିବା ୧୫% ସଂରକ୍ଷଣ ଲାଗୁ କରାଯାଉ । ଏହାପରେ ଏ ସଂକଳ୍ପ ପ୍ରସ୍ତାବ ସର୍ବସମ୍ମତରେ ପାରିତ ହୋଇଥିଲା ।


Comments are closed, but trackbacks and pingbacks are open.