ପ୍ରଶାନ୍ତଙ୍କ ନାଁରେ ଚାର୍ଜଫ୍ରେମ୍

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ବହୁ ଚର୍ଚ୍ଚିତ ଚିଟ୍ଫଣ୍ଡ ଘୋଟାଲାର ମୁଖ୍ୟ ଅଭିଯୁକ୍ତ ତଥା ସି-ସୋର ଏମ୍ଡି ପ୍ରଶାନ୍ତ ଦାସଙ୍କ ନାଁରେ ନବରଙ୍ଗପୁର ସିଜେଏମ୍ ଅଦଲାତରେ ସୋମବାର ଚାର୍ଜଫ୍ରେମ୍ କରାଯାଇଛି । ତାଙ୍କ ବିରୋଧରେ ଦଫା ୪୬୭, ୪୬୮, ୪୭୧, ୪୦୬, ୪୨୦, ୧୨୦(ବି) ୩୪, ୪, ୫, ୬ ଓ ପ୍ରାଇଜ୍ ଚିଟ୍ ଏଣ୍ଡ ମନି ସର୍କୁଲେସନ୍ ଆକ୍ଟ ୧୯୭୮ ରେ ଚାର୍ଜଫ୍ରେମ୍ କରାଯାଇଛି ।
ସୂଚନା ଅନୁସାରେ, ମାମଲାକୁ ନେଇ ସୋମବାର ପ୍ରଶାନ୍ତ ନବରଙ୍ଗପୁର ସିଜେଏମ୍ ଅଦଲାତରେ ଆଇନଜୀବୀ ଶଶିଗିରି ରାଓଙ୍କ ସହ ହାଜର ହୋଇଥିଲେ । ସମାନ ମାମଲାରେ ସି-ସୋର୍ ଏଜେଣ୍ଟ ପ୍ରମୋଦ କୁମାର ନାୟକଙ୍କ ନାଁରେ ମଧ୍ୟ ଚାର୍ଜଫ୍ରେମ୍ ହୋଇଛି । ପରବର୍ତ୍ତୀ ତାରିଖରୁ ସାକ୍ଷ୍ୟ ଗ୍ରହଣ କରାଯାଇ ମାମଲାର ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସରକାରୀ ଓକିଲ ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି । ଏହି ମାମଲାର ଅନ୍ୟ ଅଭିଯୁକ୍ତ ପ୍ରମୋଦ କୁମାର ଦାସ ଆଇନଜୀବୀ ସିରାଜୁଦ୍ଧିନ ଅହମ୍ମଦ ଓ ସଞ୍ଜୟ ସୁନାଙ୍କ ସହ ଅଦାଲତରେ ହାଜର ହୋଇଥିଲେ । ସୋ-ସୋର୍ ସମ୍ପତ୍ତି ନିଲାମ ପରେ ଲୋକେ ଟଙ୍କା ଫେରିପାଇବେ ବୋଲି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିବା ପ୍ରଶାନ୍ତ ଦାସ ପ୍ରତିକ୍ରିୟାରେ କହିଛନ୍ତି ।
ସୂଚନାଯୋଗ୍ୟ, ୨୦୧୩ ରେ ସି-ସୋର ଏମଡି୍ ଶ୍ରୀ ଦାସ ଓ ତାଙ୍କ ଏଜେଣ୍ଟ ପ୍ରମୋଦଙ୍କ ନାଁରେ ନବରଙ୍ଗପୁର ସହରର ଶରତ କୁମାର ଯକ୍ଷ ନବରଙ୍ଗପୁୁର ଥାନାରେ ଏତଲା ଦେଇଥିଲେ । ଏତଲା ଅନୁଯାୟୀ, ଶ୍ରୀ ଦାସ ଓ ଏଜେଣ୍ଟ ପ୍ରମୋଦ
ଜମା ଟଙ୍କାରେ ୨ ପ୍ରତିଶତ ସୁଧ ପ୍ରତିଶ୍ରୁତି ଦେଇ ଲୋଭନୀୟ ସ୍କିମ୍ ଦେଖାଇଥିଲେ ।
ଏହାକ ନେଇ ଶରତ ତାଙ୍କ ନିଜ ନାମରେ ୫ ଲକ୍ଷ ୩୨ ହଜାର ଟଙ୍କା, ତାଙ୍କ ସ୍ତ୍ରୀ ଶୋଭାଙ୍ଗିନୀଙ୍କ ନାମରେ ୪ ଲକ୍ଷ ୨୩ ହଜାର ଟଙ୍କା ଓ ତାଙ୍କ ସଂପର୍କୀୟ ଏଡୱିନ୍ ସୁନାଙ୍କ ନାମରେ ୧ ଲକ୍ଷ ଟଙ୍କା ଓ ଅଭିନାଶ ଚନ୍ଦ୍ର ସାହୁଙ୍କ ନାମରେ ୧ ଲକ୍ଷ ଟଙ୍କା ସି-ସୋର୍ କମ୍ପାନୀରେ ଜମା କରିଥିଲେ । ଟଙ୍କା ଜମା ପରେ ପ୍ରତିମାସରେ ୨ ପ୍ରତିଶତ ସୁଧ ମିଳିଥିଲା । ୨୦୧୨ ଜୁଲାଇ ପର୍ଯ୍ୟନ୍ତ ସୁଧ ଟଙ୍କା ମିଳୁଥିଲ । କିନ୍ତୁ ଜୁଲାଇ ୨୦୧୨ ପରଠାରୁ ଆଉ ସୁଧ ମିଳି ନଥିଲା । ଜମା ଟଙ୍କା ଫେରସ୍ତ ବି ହୋଇ ନଥିଲା । ଏହାକୁ ନେଇ ପ୍ରଶାନ୍ତ ଦାସ ଓ ପ୍ରମୋଦଙ୍କ ନାଁରେ ନବରଙ୍ଗପୁର ପୁଲିସ୍ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons