
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲାରେ ଅନୁସୂଚିତ ଜାତିର ଲୋକଙ୍କୁ ଅବହେଳା କରାଯାଉଛି । ଜନସଂଖ୍ୟା ଅନୁପାତରେ ଏଠାରେ ୩୩ ପ୍ରତିଶତ ଅନୁସୂଚିତ ଜାତି ଲୋକ ବସବାସ କରୁଥିବାବେଳେ ରାଜନୀତି, ସରକାରୀ ଚାକିରୀ କ୍ଷେତ୍ରରେ ଯଥେଷ୍ଟ ସୁଯୋଗ ମିଳୁନି । ସେହିପରି, ଅନ୍ୟାନ୍ୟ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଉଛି । ଏଭଳି ଅଭିଯୋଗ କରିଛି ନବରଙ୍ଗପୁର ଅନୁସୂଚିତ ଜାତି(ଏସ୍ସି) ସଂଘ । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମସ୍ୟାଗୁଡିକୁ ଗୁରୁତ୍ୱ ଦେଇ ସମାଧାନ ନକଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନେ୍ଦାଳନ କରାଯିବ ବୋଲି ସଙ୍ଘ ପକ୍ଷରୁ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି ।
ସୂଚନା ଅନୁସାରେ,ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଏହାର ଆୟୋଜନ କରାଯାଇଥିଲା । ସଂଘ ସଭାପତି ରାଜେନ୍ଦ୍ର କୁମାର ବେହେରା, ସମ୍ପାଦକ ଭଗବାନ ବୈରାଗୀ ପ୍ରମୁଖ କହିଛନ୍ତି, ଅନୁସୂଚିତ ଜାତିର ପିଲାଙ୍କ ପାଇଁ ସ୍ୱତନ୍ତ୍ର ଆବାସିକ ବିଦ୍ୟାଳୟ ଜିଲ୍ଲାରେ ନାହିଁ । ମଙ୍ଗଳ ବିଭାଗରେ ଅନୁସୂଚିତ ଜନଜାତିର ପିଲାଙ୍କ ପାଇଁ ୯୦ ପ୍ରତିଶତ ସିଟ୍ ସଂରକ୍ଷଣ ରହିଥିବା ବେଳେ ଅନୁସୂଚିତ ଜାତି(ଏସ୍ସି) ପିଲାଙ୍କ ମାତ୍ର ୧୦ ପ୍ରତିଶତ ସିଟ୍ ରହିଛି । ଫଳରେ ଅନେକ ପିଲା ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ସରକାର ରାଜ୍ୟଭିତ୍ତିକ ନିଯୁକ୍ତି କରୁଥିବାରୁ ଜିଲ୍ଲାରେ ଅନେକ ପାଠ ପଢୁଆ ପିଲା ଚାକିରି କରିପାରୁନାହାନ୍ତି । ଏପରିସ୍ଥଳେ, ଜିଲ୍ଲାଭିତ୍ତିକ ନିଯୁକ୍ତି ପାଇଁ ସଂଘ ଦାବି କରିଛି । ସଙ୍ଘ ଏହା ମଧ୍ୟ କହିଛି, ରାଜନୀତି କ୍ଷେତ୍ରରେ ଜିଲ୍ଲାରେ ୧୦ ଟି ବ୍ଲକ, ୧୮୯ ପଞ୍ଚାୟତ, ୧୦ ଟି ସମବାୟ ସମିତି ଓ ୪ ଟି ବିଧାନସଭା ଆସନ ରହିଛି । ଏହିସବୁ ଆସନରେ ଆଦିବାସୀ( ଅନୁସୂଚିତ ଜନଜାତି)ଙ୍କ ପାଇଁ ସ୍ଥାନ ସଂରକ୍ଷିତ ରହିଛି । କିନ୍ତୁ ଅନୁସୂଚିତ ଜାତି ଲୋକ ଅବହେଳିତ ହୋଇ ରହିଛନ୍ତି । ଘରଡିହ ଓ ଜଙ୍ଗଲ ଜମି ପଟ୍ଟା ଲୋକଙ୍କୁ ମିଳୁନି । ଏ ସମସ୍ତ କ୍ଷେତ୍ରରେ ଅନୁସୂଚିତ ଜନଜାତି ଲୋକ ଅବହେଳାର ଶିକାର ହେଉଛନ୍ତି । ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂଘ ଜିଲ୍ଲା ଆବାହକ ଭୀମ ହରିଜନ, ଉପଦେଷ୍ଟା ଜଗନ୍ନାଥ ବାଘେ, ଉପସଭାପତି ନିର୍ମଳ ଖଣ୍ଡପାନ, ସହସମ୍ପାଦକ ଧନଞ୍ଜୟ ନାଗ, ଦୋସା ମାଝି, ପ୍ରକାଶ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.