
ମାଲକାନଗିରି,(ବି.ବି.ନୁ୍ୟଜ):ଆନ୍ଧ୍ର, ଓଡିଶା, ଛତିଶଗଡ ଓ ତେଲେଙ୍ଗାନ ଚାରିରାଜ୍ୟ ସୀମାନ୍ତ ମାଲକାନଗିରି ଜିଲ୍ଲାର ଗଣପର୍ବ ବା ବଡଯାତ୍ରା କୋଭିଡ କଟକଣା ଭିତରେ ଜାରି ରହିଛି । ମଙ୍ଗଳବାର ରାତିରେ ଠାକୁର ଶ୍ରୀ କାନାମରାଜ, ବାଲରାଜ, ପୋତରାଜ ଓ ମା ମୁତ୍ୟାଲୁମ୍ମା ମାଉଲି ମା’ ମନ୍ଦିରଠାରେ ଶେଷ ଅନ୍ନଭୋଗ ପାଇଛନ୍ତି ।
ସୂଚନା ଅନୁସାରେ, ମଙ୍ଗଳବାର ଦିନ ତମାମ ପୀଠରେ କାଳିସୀ ନୃତ୍ୟ ସାଙ୍ଗକୁ ଲାଠିଧାରୀ ଦିଶାରୀ, ପୂଜାରୀ ଓ ଗୁଣିଆଙ୍କ ନାଟ ଦେଖିବାକୁ ମିଳିଛି । ଖଇରାପାଲ୍ଲୀରୁ ଆସିଥିବା ବଡଯାତ୍ରାର ମୁଖ୍ୟ ହନୁମାଙ୍କଡ ଚମଡାରେ ନିର୍ମିତ ରୁଂ ବାଇଦ(ଦୁନ୍ଦରୀ ବାଇଦ) ଭକ୍ତ ଓ ଦର୍ଶକଙ୍କ ପାଇଁ ବେଶ୍ ଆକର୍ଷଣୀୟ ଥିଲା । ଅନେକ ମାନସିକଧାରୀ କାଳିସୀ ନିଜ ଗାଲରେ ଲୁହା ତ୍ରିଶୁଳ ଓ ଲୁହା କଣ୍ଟା ଫୁଟାଇ ନାଟ କରିଛନ୍ତି । ଏଥିସହ ଲୁହାକଣ୍ଟା କଠଉରେ ଚାଲିଛନ୍ତି । ଆଉ କେତଜଣ ନିଜ ଦେହକୁ ଲୁହାକଣ୍ଟା ଚାବୁକରେ ପିଟି ରକ୍ତାକ୍ତ କରିଛନ୍ତି । ଗତ ଚାରି ଦିନ ଧରି ଭକ୍ତମାନେ ବଡଯାତ୍ରା ଠାକୁରଙ୍କୁ ଦର୍ଶନ କରି ପୂଜା କରିଛନ୍ତି ।
ଶ୍ରଦ୍ଧାଳୁଙ୍କ ଭାଷାରେ ଠାକୁରଙ୍କ ମହିମା ଅପାର । ଦୀର୍ଘ ୮୦ କିଲୋମିଟର ରାସ୍ତା ପାଦରେ ଚାଲିଚାଲି ଭକ୍ତମାନେ ଠାକୁରଙ୍କ ବିମାନକୁ କାନେ୍ଧଇ ମାନ୍ୟମକୋଣ୍ଡା ପୋଲେରୁ ପୀଠରୁ ଆସୁଥିବା ବେଳେ ବିଭିନ୍ନ ପୀଠରୁ ଲାଠି ସହିତ ଠାକୁରଙ୍କ ପାରା ଆସିଥାନ୍ତି । ଶତାଧିକ ସଂଖ୍ୟାରେ ପାରା ଠାକୁରଙ୍କ ବିମାନ ଉପରେ ନିରବ ହୋଇ ବସି ରହିଥାନ୍ତି । ଯେତେ ବାଜା ରୋଷଣୀ, ଢୋଲ, ଆତସବାଜ ଶବ୍ଦ ହେଲେ ମଧ୍ୟ ଏଗୁଡିକ ବିମାନ ଛାଡି ଯାଇ ନଥାନ୍ତି । ଚଳିତ ବର୍ଷ କରୋନା କଟକଣା ସହ ନାଇଟ କଫୁ୍ର୍ୟ ଯୋଗୁ ବାଣିଜ୍ୟ ମେଳା, ମୀନାବଜାର, ରାମଦୋଳି, ବ୍ରେକ ଡ୍ୟାନ୍ସ, ସନ୍ତରଣ ପୋଖରୀ, ବୋଟ ଚାଳନା, ସର୍କସ ଆଦିକୁ ବାରଣ କରାଯାଇଛି । ଭକ୍ତ ଓ ଦର୍ଶକଙ୍କ ସଂଖ୍ୟା ଢେର୍ କମି ଯାଇଛି । ଶ୍ରଦ୍ଧାଳୁ ଓ ଭକ୍ତମାନେ କରୋନା କଟକଣା ମାନି ମାସ୍କ ପରିଧାନ ସହିତ ସାମାଜିକ ଦୂରତା ଅବଲମ୍ବନ କରି ଯାତ୍ରାରେ ସାମିଲ ହୋଇଛନ୍ତି । ମାନବାଧିକାର କର୍ମୀ, ମାରୁୱାଡି, ସତ୍ୟସାଇ ସେବା ସଂସ୍ଥା ସହ ଶିବାନନ୍ଦ ଆଶ୍ରମ, ଟାଉନ କ୍ଲବ, ଗାନ୍ଧି କ୍ଲବ ଆଦି ପକ୍ଷରୁ ଭକ୍ତଙ୍କ ପାଇଁ ଦହିପଣା, ଲେମ୍ବୁପାଣି ବ୍ୟବସ୍ଥା କରାଯାଇଛି । ପୁଲିସ ପ୍ରାଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତହସିଲଦାର ଡ.ଗୁଣନିଧି ନାୟକ, ଏସଡିପିଏ ଅଂଶୁମାନ ଦ୍ୱିବେଦୀ, ମାଲକାନଗରି ଆଦର୍ଶ ଥାନା ଅଧିକାରୀ ରାମପ୍ରସାଦ ନାଗ ପ୍ରମୁଖ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି । ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ ରାଜ୍ୟରୁ ଭକ୍ତଙ୍କୁ ବାରଣ ଥିବାରୁ ଉପସ୍ଥିତି କମି ୍ୟାଇଛି । ଗତ ରବିବାର ରାତିରେ ଠାକୁରଙ୍କ ବିମାନକୁ ଶୋଭାଯାତ୍ରାରେ ମାଣ୍ଡିଆଭଟା ମଣ୍ଡପ ନିକଟରୁ ମା ମାଉଲି ମା ମନ୍ଦିର ପୀଠକୁ ନିଆଯାଇଥିଲା । ଗତ ୨୨ ରୁ ମାନ୍ୟମକୋଣ୍ଡା ପୋଲେରୁଠାରୁ ଯାତ୍ରା ଆରମ୍ଭ ହୋଇଛି । ଯାତ୍ରା ପ୍ରତି ଦୁଇ ବର୍ଷରେ ଥରେ ଦୋଳ ପୂର୍ଣ୍ଣିମାରେ ପଡିଥାଏ । ଯାତ୍ରା ସମୟରେ ମାଲକାନଗିରି ସହରବାସୀ ହୋଲି ନଖେଳି ଠାକୁରଙ୍କ ନିକଟରେ ଭୋଗ ଲଗାଇ ମାନସିକ ପୂରଣ କରିଥାନ୍ତି । ଆସନ୍ତା ବୁଧବାର ଭୋରରୁ ଠାକୁରମାନେ ନିଜ ପୀଠକୁ ପ୍ରତ୍ୟାବର୍ତ୍ତନ କରିବେ ।
Comments are closed, but trackbacks and pingbacks are open.