
ବ୍ରହ୍ମପୁର,(ବି.ବି.ନୁ୍ୟଜ): ୪ ବର୍ଷ ଧରି ନିଖୋଜ ଥିବା ମାନସିକ ରୋଗଗ୍ରସ୍ତ ମହିଳା ପରିବାରକୁ ଫେରିଛନ୍ତି । ବ୍ରହ୍ମପୁରର ସ୍ୱେଚ୍ଛାସେବୀ ଅନୁÂାନ ‘ପରିଚୟ’ ମହିଳାଙ୍କୁ ତାଙ୍କ ପରିବାର ସହ ଯୋଡ଼ିଛି । ଗୁଜରାଟ ଅହମ୍ମଦାବାଦ ସହରର ଦେବୀଦାସ ସୁଧାକର ଭାବସାରଙ୍କ ସ୍ତ୍ରୀ ମୀନାକ୍ଷି ଘରକୁ ଫେରିଛନ୍ତି । ତାଙ୍କ ସ୍ୱାମୀ, ୨୦ ବର୍ଷ ଓ ୧୨ ବର୍ଷ ବୟସର ଦୁଇ ପୁଅ ବ୍ରହ୍ମପୁରବାସୀ ଓ ପରିଚୟ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଦୁଇ ପୁଅ ଓ ସ୍ୱାମୀକୁ ନେଇ ମୀନାକ୍ଷିଙ୍କ ପରିବାର । ପରିବାର ହସଖୁସିରେ ଚାଲିଥିଲା । କିଛି ବର୍ଷ ତଳେ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲେ । କୌଣସି ଏକ ଟ୍ରେନ୍ରେ ୪ ବର୍ଷ ତଳେ କୌଣସିମତେ ବ୍ରହ୍ମପୁର ଚାଲି ଆସିଥିଲେ । ପରିବାର ଲୋକ ଅହମ୍ମଦାବାଦ ପୁଲିସରେ ଅଭିଯୋଗ କରିଥିଲେ ଏବଂ ସ୍ଥାନୀୟ ଏକ ଥାନାରେ ନିଖୋଜ ମାମଲା ମଧ୍ୟ ରୁଜୁ ହୋଇଥିଲା । ବହୁ ଖୋଜାଖୋଜି ସତ୍ତେ୍ୱ ମୀନାକ୍ଷିଙ୍କୁ ପାଇନଥିଲେ ପରିବାର ଲୋକ । ସେପଟେ ମାନସିକ ରୋଗରେ ପୀଡ଼ିତ ମୀନାକ୍ଷି ନିଜର ପରିଚୟ କହିପାରୁ ନଥିଲେ । ବ୍ରହ୍ମପୁରରେ ଏଣେତେଣେ ବୁଲି କୌଣସିମତେ ଜୀବନ ବିତାଉଥିଲେ ସେ ।
ତେବେ ନିକଟରେ କିଛି ସ୍ୱେଚ୍ଛାସେବୀ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଚିକିତ୍ସା ଆରମ୍ଭ ହୋଇଥିଲା । ସାମାନ୍ୟ ସୁସ୍ଥ ହେବା ପରେ ପରିଚୟ ସଂସ୍ଥାର ସଦସ୍ୟମାନେ ତାଙ୍କ ଚିକିତ୍ସା ଜାରି ରଖିଥିଲେ । ମାସକ ତଳେ ମିନାକ୍ଷୀ ନିଜର ନାମ ଓ ଠିକଣା କହିବାକୁ ସକ୍ଷମ ହୋଇଥିଲେ । ‘ପରିଚୟ’ ସଦସ୍ୟ ମାନେ ଅହମ୍ମଦାବାଦ ଯାଇ ପୁଲିସ ସହାୟତାରେ ଏବଂ ନିଜେ ମଧ୍ୟ ଖୋଜାଖୋଜି କରିଥିଲେ । ଶେଷରେ ମୀନାକ୍ଷିଙ୍କ ଘର ଠିକଣା ପାଇ ଫଟୋ ଦେଖାଇଥିଲେ । ୪ ବର୍ଷ ତଳେ ହଜିଯାଇଥିବା ମାଆକୁ ଦେଖିବାକୁ ପୁଅମାନେ ବ୍ୟାକୁଳ ହୋଇ ବ୍ରହ୍ମପୁର ଆସିଥିଲେ । ଏଠାରେ ପରିବାର ଏକାଠି ହୋଇ ଘରକୁ ଫେରିଛନ୍ତି ।
Comments are closed, but trackbacks and pingbacks are open.