ଅର୍ଥମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ ତାତିଲେ ମହାରଥୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଶାସକ ଦଳ ବିଧାୟକ ଓ ମନ୍ତ୍ରୀଙ୍କ ମଧ୍ୟରେ ଆଜି ଗୃହରେ ବେଶ୍ ତୁ ତୁ ମେଁ ମେଁ ହୋଇଛି । ବିଧାୟକ ପ୍ରଦୀପ ମହାରଥୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି । ଏପଟେ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମହାରଥୀଙ୍କୁ ଆକ୍ଷେପ କରିବା ଏବଂ ମହାରଥୀ ତା’ର ପାଲଟା ଜବାବ ଦେବା ଘଟଣା ବିଧାନସଭା ପରିସରକୁ ଅଧିକ ଗରମ କରିଛି । ମହାରଥୀ ଜିଦ୍ ଧରିଛନ୍ତି, ତାଙ୍କ ବିରୋଧରେ ମନ୍ତ୍ରୀ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର କରାଯାଉ, ନଚେତ୍ ସେ ଗୃହକୁ ଆସିବେ ନାହିଁ ।
କେନ୍ଦ୍ରାପଡ଼ା ଏସ୍ପିଙ୍କ ପ୍ରସଙ୍ଗରେ ଗୃହରେ ବିରୋଧୀ ଦଳ ହଙ୍ଗାମା ଚଳାଇଥିବା ଭିତରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ ଏକ ପଏଣ୍ଟ ଅଫ୍ ଅର୍ଡର ଉଠାଇଥିଲେ । ଶ୍ରୀ ମହାରଥୀ କହିଥିଲେ, ଗତକାଲି କୃଷିମନ୍ତ୍ରୀଙ୍କ ତରଫରୁ ଗୃହରେ ଉତ୍ତର ଦେଉଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଭୁଲ ତଥ୍ୟ ଦେଇଛନ୍ତି । ମୋ ସମୟରେ ରାଜ୍ୟର ଶୀତଳଭଣ୍ଡାର ସଂଖ୍ୟା ୧୨୮ରୁ ୪୮କୁ ଖସି ଆସିଥିବା ସେ କହିଛନ୍ତି । କିନ୍ତୁ ମୋ ସମୟରେ ୪୮ଟି ଶୀତଳଭଣ୍ଡାର କରାଯାଇଛି । ମୋ ସମୟରେ ରାଜ୍ୟ ୪ ଥର କୃଷି କର୍ମଣ ପୁରସ୍କାର ପାଇଛି । ନିରଞ୍ଜନଙ୍କ ନିର୍ବାଚନମଣ୍ଡଳୀର ଜଣେ ମହିଳା ଚାଷୀ ୨ ଲକ୍ଷ ଟଙ୍କାର ପୁରସ୍କାର ପାଇଛନ୍ତି । ସେହିଭଳି ଆଳୁ ମିଶନ ସମ୍ପର୍କରେ ମନ୍ତ୍ରୀ କାଲି ମୋତେ ଆକ୍ଷେପ କରି କହିଥିଲେ, ମୋ ସମୟରେ ତ’ ଆରମ୍ଭ ହୋଇଥିଲା, ବନ୍ଦ ବି ହୋଇଗଲା । ବାସ୍ତବରେ ଆଳୁ ଚାଷ ପୂର୍ବରୁ ରାଜ୍ୟରେ ୧୨,୦୦୦ ହେକ୍ଟର ଜମିରେ ହେଉଥିଲା । ମୋ ସମୟରେ ମୁଁ ଏହାକୁ ୨୫,୦୦୦ ହେକ୍ଟରକୁ ବୃଦ୍ଧି କରିଥିଲି । ମୋ ସମୟରେ ଆଳୁ ମିଶନ ବନ୍ଦ ହୋଇନାହିଁ ।
ବାଚସ୍ପତିଙ୍କୁ ଲକ୍ଷ୍ୟ କରି ମହାରଥୀ କହିଥିଲେ, ସେ (ନିରଞ୍ଜନ) ମନ୍ତ୍ରୀ ହୋଇଗଲେ ବୋଲି କ’ଣ ମୋ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇବେ । ମୁଁ ଚାଷୀ ଘରର ପୁଅ । ଚାଷ କ’ଣ ମୁଁ ଜଣେ । ଅନ୍ୟକୁ ଆକ୍ଷେପ କରି ମନ ଦୁଃଖ କରି ବାହା ବାହା ନେବାକୁ ଚେଷ୍ଟା କରନ୍ତୁ ନାହିଁ ମନ୍ତ୍ରୀ । ଭାବବିହ୍ୱଳ ହୋଇ ମହାରଥୀ କହିଥିଲେ, ମୁଁ ସାର୍! ଅଶୀ ମସିହାରୁ ବିଜୁ ବାବୁଙ୍କ ସମୟରୁ ବିଧାୟକ ହେଲିଣି । କେବେ ବି ହାରିନି । ମନ୍ତ୍ରୀଙ୍କ କଥା ମୋତେ ଭୀଷଣ ବାଧିଛି । ମୁଁ କାଲିଠାରୁ ଖାଇନି । ମୋର ସବୁ ସମ୍ମାନ ଚାଲିଗଲା ସାର୍ । ଗତକାଲି ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ଦେଲା ବେଳେ ମନ୍ତ୍ରୀ ମୋ ପ୍ରତି ଯେଉଁ ଆକ୍ଷେପ କରିଛନ୍ତି, ତାହାକୁ ଗୃହ ବିବରଣୀରୁ ବାଦ୍ ନ ଦେଲେ ମୁଁ ଆଉ ଗୃହକୁ ଆସିବି ନାହିଁ ବୋଲି ଚଢ଼ା ଗଳାରେ କହିଥିଲେ ମହାରଥୀ ।
ବାଚସ୍ପତି ଏ ସମ୍ପର୍କରେ କହିଥିଲେ, ମନ୍ତ୍ରୀ କ’ଣ କହିଛନ୍ତି ତାହା ସେ ପରୀକ୍ଷା ନିରୀକ୍ଷା କରିବେ ଏବଂ ଯଦି କିଛି ଆପତ୍ତିଜନକ ଥାଏ, ତେବେ ସେ ସମ୍ପର୍କରେ ବିଚାର କରିବେ । ବାଚସ୍ପତିଙ୍କ ଏହି କଥାରେ ବିଜେପି ସଦସ୍ୟମାନେ ପ୍ରତିବାଦ କରିଥିଲେ । ବରିଷ୍ଠ ସଦସ୍ୟ ଜୟନାରାୟଣ ମିଶ୍ର କହିଥିଲେ, ମନ୍ତ୍ରୀଙ୍କ ଗୃହରେ ରଖିଥିବା ବକ୍ତବ୍ୟକୁ ଆପଣ ବାଦ୍ ଦେବାକୁ କିଏ । ମନ୍ତ୍ରୀ ଯାହା କହିଛନ୍ତି, ବୁଝିବିଚାରି କହିଛନ୍ତି ଓ ତଥ୍ୟମୂଳକ କଥା ଉପସ୍ଥାପନ କରିଛନ୍ତି । ଏଣୁ ଆପଣ ତାକୁ ବାଦ ଦେଇପାରିବେ ନାହିଁ । ବାଚସ୍ପତି କହିଥିଲେ, ମୁଁ ପରୀକ୍ଷା (ଏକ୍ଜାମିନ୍) କରିବାକୁ କହିଛି । ଏକ୍ସପଞ୍ଜ କରିବାକୁ ନୁହେଁ ।
ତେବେ ଏଇ ଘଟଣାକୁ ନେଇ ଗୃହ ବାହାରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ମହାରଥୀଙ୍କ ମଧ୍ୟରେ ତୁତୁ ମେଁ ମେଁ ହୋଇଛି । ଶ୍ରୀମତୀ ମଲ୍ଲିକ ଗଣମାଧ୍ୟମ ଆଗରେ କହିଥିଲେ, ସେ (ମହାରଥୀ) ଯାତ୍ରା ପାର୍ଟି ଲୋକ । ଡାଏଲଗ୍ ମାରନ୍ତି । ଆଗରୁ ଏପରି କୁହନ୍ତି । ସେ ଯାହା କହୁଛନ୍ତି, କାଲିଠାରୁ ଖାଇ ନାହାନ୍ତି ତାହା ନୁହେଁ, ସେ ଡାଇବେଟିସ୍ ରୋଗୀ । ସେ ନିଶ୍ଚୟ ଖାଇକି ଆସିଥିବେ । ପ୍ରମିଳାଙ୍କ ମନ୍ତବ୍ୟ ମହାରଥୀଙ୍କ କାନରେ ପଡ଼ିବା ପରେ ସେ ଆହୁରି ତାତି ଉଠିଥିଲେ । ଗଣମାଧ୍ୟମ ସାମ୍ନାକୁ ଆସି ଶ୍ରୀ ମହାରଥୀ ଶ୍ରୀମତୀ ମଲ୍ଲିକଙ୍କୁ ଆକ୍ଷେପ କରି କହିଥିଲେ, ସେ ମୋ ବଡ଼ ଭଉଣୀ । ମୋର ତାଙ୍କ ପ୍ରତି ଗଭୀର ସମ୍ମାନ ଅଛି । ମୁଁ ଜାଣିନି, ସେ ୟା ଭିତରେ ରାଜନୀତି ଛାଡ଼ି କେଉଁଦିନ ଡାକ୍ତରାଣୀ ହୋଇଗଲେଣି ।
ଅପରାହ୍ଣ ଅଧିବେଶନରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ । ନରସିଂହ କହିଥିଲେ, ବାଚସ୍ପତି ମନ୍ତ୍ରୀଙ୍କ ବକ୍ତବ୍ୟକୁ ପରୀକ୍ଷା ନିରୀକ୍ଷା
(ଏକ୍ଜାମିନ୍) କରିପାରିବେ ନାହିଁ । ନା ଏହାକୁ ଏକ୍ସପଞ୍ଜ କରିପାରିବେ, ନା ଏହାକୁ ବଦଳାଇ ପାରିବେ । ସେ କ୍ଷମତା ବାଚସ୍ପତିଙ୍କର ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons