
ଗଣିଆ,(ବି.ବି.ନୁ୍ୟଜ): ଏକାମ୍ର କ୍ଷେତ୍ରେ ବିରାଜିତ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ନିମନ୍ତେ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଅଞ୍ଚଳରୁ କିଛି କାଠ ଯୋଗାଇ ଦିଆଯାଇଥିବା ବେଳେ ରଥର ଅଖ ନିମନ୍ତେ ଆଜି ଗଣିଆ ବନାଞ୍ଚଳରୁ ତେନ୍ତୁଳି କାଠ ଯୋଗାଇ ଦିଆଯାଇଛି । ଏଥି ସହ ରଥ ପାଇଁ ୩ଟି ନିମ କାଠଗଡ଼ ମଧ୍ୟ ଯୋଗାଇ ଦିଆଯାଇଛି । ଆଜି ଏକ ଟ୍ରକ ଯୋଗେ ଏହି ସବୁ କାଠଗଡ଼ ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରକୁ ପଠା ଯାଇଛି ।
ଗଣିଆ ବ୍ଲକ ଆଡ଼କଟା ପଞ୍ଚାୟତ ଅଧୀନ ଜଗନ୍ନାଥପ୍ରସାଦ ଗ୍ରାମର ଭ୍ରମରବର ସାହୁ ଏବଂ କିଶୋରପ୍ରସାଦ ପଞ୍ଚାୟତ ଇନ୍ଦିପଟା ଗ୍ରାମର ନାରାୟଣ ପଣ୍ଡା, ଚଳିତ ବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥ ନିମନ୍ତେ ତେନ୍ତୁଳି କାଠ ଯୋଗାଇବାର ସୌଭାଗ୍ୟ ଲାଭ କରିଛନ୍ତି । ସେହିଭଳି ଗଣିଆ ବନାଞ୍ଚଳ ଅନ୍ତର୍ଗତ ଗଣିଆ ଥାନା ପରିସର, କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସର ଓ ବିଜୟନଗର ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରୁ ୩ଟି ନିମ ଗଛ ଲିଙ୍ଗରାଜଙ୍କ ରଥ ନିର୍ମାଣ ନିମନ୍ତେ ଯୋଗାଇ ଦିଆଯାଇଛି ।
ପୂର୍ବ ପ୍ରସ୍ତୁତି ଅନୁସାରେ ସକାଳୁ ପ୍ରଥମେ ଜଗନ୍ନାଥପ୍ରସାଦ ଗ୍ରାମରେ ଭ୍ରମରବର ସାହୁଙ୍କ ବାଡ଼ିରେ ଥିବା ତେନ୍ତୁଳି ଗଛକୁ ପୂଜାର୍ଚ୍ଚନା କରାଯାଇ ଛେଦନ କରାଯାଇଥିଲା । ପରେ ଇନ୍ଦିପଟା, ଗଣିଆ ଥାନା, ବିଦ୍ୟାଳୟ ଓ ବିଜୟନଗର ବିଦ୍ୟାଳୟ ପରିସରରୁ ଗଛ ଛେଦନ କରାଯାଇଥିଲା । ଅପରାହ୍ଣରେ ଏକ ଟ୍ରକ ଯୋଗେ ୨ଟି ତେନ୍ତୁଳି ଓ ୩ଟି ନିମ କାଠଗଡ଼ ଗଣିଆ ବନାଞ୍ଚଳ ତରଫରୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରକୁ ପଠା ଯାଇଥିବା ଗଣିଆ ବନାଞ୍ଚଳ ଅଧିକାରୀ ସୋନାଲୀ ସିଓ ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.