
ନୂଆଦିଲ୍ଲୀ: ଜଷ୍ଟିସ ଏନ୍ ଭି ରମନ୍ନା ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି । ସେ ଚଳିତ ମାସ ୨୪ ତାରିଖରେ ଦେଶର ୪୮ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ । ସେ ଏହି ପଦବିରେ ୧୬ ମାସ ଯାଏଁ କାର୍ଯ୍ୟ କରିବେ ଏବଂ ଆସନ୍ତା ବର୍ଷ ଅଗଷ୍ଟ ୨୬ରେ ଅବସର ଗ୍ରହଣ କରିବେ । ତାଙ୍କ ନିଯୁକ୍ତି ସଂକ୍ରାନ୍ତ ସୁପାରିଶକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଂଜୁରୀ ଦେଇଛନ୍ତି । ଗତ ମାସରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍ ଏ ବୋବଡେ ତାଙ୍କର ଉତ୍ତରାଧିକାରୀ ଭାବେ ଜଷ୍ଟିସ ରମନ୍ନାଙ୍କୁ ଚୟନ କରିଥିଲେ ଏବଂ ତାଙ୍କୁ ଏହି ପଦରେ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ପତ୍ର ଲେଖିଥିଲେ ।
୨୦୧୪ ଫେବ୍ରୁଆରୀ ୧୭ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିବା ଜଷ୍ଟିସ ରମନ୍ନା ଏହି ପଦବିରେ ରହି ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ଦେଇଛନ୍ତି । ଗତ ବର୍ଷ ତାଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ନିର୍ଭୟା କାଣ୍ଡର ଦୋଷୀମାନଙ୍କ କୁ୍ୟରେଟିଭ୍ ପିଟିସନକୁ ଖାରଜ କରିଦେଇଥିଲେ ଯାହା ପରେ ସେମାନଙ୍କୁ ଫାଶୀ ଦିଆଯାଇଥିଲା । ଜମ୍ମୁ-କାଶ୍ମୀରରେ ଇଣ୍ଟରନେଟ ବ୍ୟବସ୍ଥା ପୁନର୍ବାର ଆରମ୍ଭ କରିବା, ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟକୁ ସୂଚନା ଅଧିକାର ଆଇନ ପରିସରଭୁକ୍ତ କରିବା, ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ଥିବା ମାମଲାର ତ୍ୱରିତ ଶୁଣାଣି ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରିବା ସମ୍ପର୍କିତ ରାୟ ଯେଉଁ ଖଣ୍ଡପୀଠ ଦେଇଥିଲେ ଜଷ୍ଟିସ ରମନ୍ନା ତାର ସଦସ୍ୟ ଥିଲେ ।
ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାରେ ୧୯୫୭ ଅଗଷ୍ଟ ୨୭ରେ ଜନ୍ମିତ ଜଷ୍ଟିସ ରମନ୍ନା ୧୯୮୩ ଫେବ୍ରୁଆରୀ ୧୦ରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୦୦ ମସିହାରେ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ୨୦୧୩ ମାର୍ଚ୍ଚରୁ ମେ’ମାସ ଯାଏଁ ସେ ଆନ୍ଧ୍ର ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ବି କାର୍ଯ୍ୟ କରିଥିଲେ । ସେ ପରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଅବସ୍ଥାପିତ ହୋଇଥିଲେ ।
Comments are closed, but trackbacks and pingbacks are open.