ଗଞ୍ଜେଇ ସାଙ୍ଗକୁ ମାଓପ୍ରବଣ ଅଞ୍ଚଳ:ସନ୍ଧ୍ୟା ହେଲେ ଫାଣ୍ଡିରେ ତାଲା

Get real time updates directly on you device, subscribe now.

ଲମତାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ଗଞ୍ଜେଇ ଚାଲାଣର ପେଣ୍ଠସ୍ଥଳ ପାଲଟିଛି କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ୍ । ଏଠାରୁ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ବାହାରକୁ ଚାଲାଣ ହେଉଛି । ଚୋରି, ଡକାୟତି ମଧ୍ୟ ପୂର୍ବାପେକ୍ଷା ବଢିଚାଲିଛି । ଏଣେ ଏହା ହେଉଛି ଏକ ମାଓପ୍ରବଣ ଅଞ୍ଚଳ । ଲୋକଙ୍କ ସୁରକ୍ଷା ପାଇଁ ରାଣୀତୋଟାରେ ରହିଛି ଏକ ଫାଣ୍ଡି । ପରିତାପର ବିଷୟ, ସନ୍ଧ୍ୟା ୬ଟା ବାଜିଲେ ଫାଣ୍ଡିରେ ଝୁଲୁଛି ତାଲା । ଅଧିକାରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଫାଣ୍ଡିରେ ତ ଦୂରର କଥା, ଷ୍ଟାଫ୍ କ୍ୱାର୍ଟରରେ ବି ରହୁନାହାନ୍ତି । ସହରରେ ଥିବା ନିଜ ନିଜ ଘରକୁ ଚାଲିଯାଉଛନ୍ତି । ଏଣେ ବାଜି ଲାଗିଯାଉଛି ଲୋକଙ୍କ ଜୀବନ । ଆଉ ଏକ ବିଡମ୍ବର ବିଷୟ ହେଲା, ଏହି ଫାଣ୍ଡି ରହିଛି ୬୦ କିଲୋମିଟର ଦୂରରେ ଥିବା ନନ୍ଦପୁର ଥାନା ଅଧୀନରେ । ଯାହାକି କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି ଫାଣ୍ଡି କର୍ମଚାରୀଙ୍କୁ ସୁହାଇଛି । ଫାଣ୍ଡି ଅଧିକାରୀଙ୍କୁ ପଚାରିଲେ ଉତ୍ତର ମିଳୁଛି ସେମାନଙ୍କୁ ସୁରକ୍ଷା ଦେବ କିଏ । ଏଥିରୁ ଜଳଜଳ ହୋଇ ଗୋଟିଏ କଥା ସ୍ପଷ୍ଟ ହେଉଛି, ଏହି ଅଞ୍ଚଳରେ ଜନତାଙ୍କଠାରୁ ଆହୁରି ଅସୁରକ୍ଷିତ ହୋଇପଡିଛନ୍ତି ପୁଲିସ୍ ବାବୁ ।
ଏବେ ନୁହେଁ, ବର୍ଷ ବର୍ଷ ଧରି ରାଣୀତୋଟା ଫାଣ୍ଡି କ୍ଷେତ୍ରରେ ଦେଖିବାକୁ ମିଳୁଛି ସମାନ ଚିତ୍ର । ସଞ୍ଜ ନଇଁବା ମାତ୍ରେ ଫାଣ୍ଡିରେ ତାଲା ଝୁଲୁଛି । ଏହାର ସୁଯୋଗ ନେଇ ଡକାୟତମାନେ ପେଟା ଘାଟିରେ ଅନେକ ସମୟରେ ଡକାୟତି କରିବାରେ ସଫଳ ହେଉଛନ୍ତି । ପରିସ୍ଥିତି ଏମିତି ହୋଇଛି ଯେ, ରାତି ୮ଟା ବାଜିବା ପରେ ପେଟା ଘାଟି ଦେଇ ଯିବା ଆସିବା କରିବାକୁ ଲୋକେ ସୁରକ୍ଷିତ ମଣୁ ନାହାନ୍ତି । ଏହି ଫାଣ୍ଡିଠାରୁ କିଛି ଦୂରରେ ରହିଛି ଲମତାପୁଟ ଫାଣ୍ଡି ଓ ମାଛକୁଣ୍ଡ ଥାନା । ନିୟମିତ ବ୍ୟବଧାନରେ ଉଭୟ ଫାଣ୍ଡି ଓ ଥାନା ପୁଲିସ୍ ଗଞ୍ଜେଇ ଧରିବାରେ ସଫଳ ହେଉଛନ୍ତି । କିନ୍ତୁ ରାଣୀତୋଟା ଫାଣ୍ଡି ଆଜି ପର୍ଯ୍ୟନ୍ତ ଗଞ୍ଜେଇ ଚାଲାଣ ରୋକିବାରେ ଖାତା ଖୋଲିପାରିନି । ଗଞ୍ଜେଇ ମାଫିଆମାନେ ସାଧାରଣତଃ ଲମତାପୁଟ ଓ ମାଛକୁଣ୍ଡ ଅଞ୍ଚଳରୁ ଜୟପୁର ଦେଇ ଅନେକ ସମୟରେ ଗଞ୍ଜେଇ ଚୋରା ଚାଲାଣ କରିଥାନ୍ତି । ମଝିରେ ପଡୁଛି ରାଣୀତୋଟା ଫାଣ୍ଡି । ଏହି ଫାଣ୍ଡିକୁ ଅତିକ୍ରମ କଲେ ଯାଇ ଜୟପୁର ପହଞ୍ଚିହେବ । ଦୁର୍ଭାଗ୍ୟ, ଥରୁଟିଏ ହେଲେ ରାଣୀତୋଟା ଫାଣ୍ଡି ପୁଲିସ୍ ଗଞ୍ଜେଇ ରୋକିବାରେ ସଫଳ ହୋଇନି । ଏହାର କାରଣ ହେଲା, କେହି ରହିଲେ ତ ଧରିବେ ।
ଆଖପାଖର ଲୋକେ ଅଭିଯୋଗ କରିଛନ୍ତି, ରାଣୀତୋଟା ଫାଣ୍ଡି ପୁଲିସ୍ ସହ ଗଞ୍ଜେଇ ମାଫିଆଙ୍କ କିଛି ନା କିଛି ଲିଙ୍କ ରହିଛି । ନହେଲେ ସେହି ରାସ୍ତା ଦେଇ ଗଞ୍ଜେଇ ଚୋରା ଚାଲାଣ କରାଯାଇ ଜୟପୁରରେ ଧରାପଡୁଥିବା ବେଳେ ଏଠାରେ କାହିଁକି ଧରାପଡୁନି । ଫାଣ୍ଡି ପୁଲିସ୍ ନିଜ କାର୍ଯ୍ୟରେ ଘୋର ଅବହେଳା କରୁଛି । ସନ୍ଧ୍ୟା ହେବା ମାତ୍ରେ ସହରାଞ୍ଚଳରେ ଥିବା ନିଜ ନିଜ ଘରକୁ ଚାଲିଯାଉଛନ୍ତି । ରାଣୀତୋଟା ଫାଣ୍ଡି ରହିଛି ୬୦ କିଲୋମିଟର ଦୂର ନନ୍ଦପୁର ଥାନା ଅଧୀନରେ । ତେଣୁ ଫାଣ୍ଡି ଅଧୀନରେ କୌଣସି ଘଟଣା ଘଟିଲେ ସେମାନଙ୍କୁ ନାନା ହଇରାଣ ହେବାକୁ ପଡୁଛି । ତେଣୁ ଏହି ଫାଣ୍ଡିକୁ ମାଛକୁଣ୍ଡ ଥାନା ଅଧୀନରେ ରଖିବା ଲାଗି ସେମାନେ ବହୁବାର ଦାବି କରି ଆସିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ବରିÂ ପୁଲିସ୍ ଅଧିକାରୀମାନେ ଏ ଦିଗରେ ତିଳେ ହେଲେ ଧ୍ୟାନ ଦେଇନାହାନ୍ତି । ସେମାନଙ୍କ ସୁରକ୍ଷା ବିପନ୍ନ ହେଉଛି ।
ଏ ସମ୍ପର୍କରେ ଆମେ ଫାଣ୍ଡି ଅଧିକାରୀ ନୀଳକଣ୍ଠ ମହାନ୍ତିଙ୍କ ସହ ଯୋଗାଯୋଗ କରିଥିଲୁ । ସେ କହିଛନ୍ତି, ଫାଣ୍ଡି ନିକଟରେ କୌଣସି ଘରଦ୍ୱାର ନାହିଁ । ଫାଣ୍ଡିରେ ହାତଗଣତି କର୍ମଚାରୀ ଅଛନ୍ତି । ସେମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ସେମାନଙ୍କୁ ସୁରକ୍ଷା ଦେବ କିଏ । ଏ ସମ୍ପର୍କରେ ଆମେ ନନ୍ଦପୁର ଏସ୍ଡିପିଓ ସଞ୍ଜୟ ମହାପାତ୍ରଙ୍କ ସହ ଯୋଗାଯୋଗ କରିଥିଲୁ । ସେ କହିଛନ୍ତି, ସନ୍ଧ୍ୟାରେ ଫାଣ୍ଡି ବନ୍ଦ କରିବା ଲାଗି କୌଣସି ନିଦେ୍ର୍ଧଶ ନାହିଁ । ପୁଲିସ୍ ଜନସାଧାରଣଙ୍କ ସୁରକ୍ଷା ପାଇଁ ୨୪ ଘଣ୍ଟା ସଜାଗ ରହିବା ଦରକାର । ଯଦି ରାଣୀତୋଟା ଫାଣ୍ଡିରେ ଏହି ନିୟମର ଉଲ୍ଲଂଘନ କରାଯାଉଛି, ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ । ଫାଣ୍ଡି କର୍ମଚାରୀ କାର୍ଯ୍ୟରେ ଅବହେଳା କରିଥିବାର ପ୍ରମାଣ ମିଳିଲେ ଦୃଢ କାର୍ଯ୍ୟାନୁÂାନ ନିଆଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons