ଇସ୍ତଫା ଦେଲେ ଫକୀରମୋହନ ବିଶ୍ୱବିଦ୍ୟାଳୟ କୁଳପତି

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ): ଫକୀରମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀନବନ୍ଧୁ ସାହୁ ତାଙ୍କ ପଦବିରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ପ୍ରଫେସର ସାହୁ ଗତ ୮ ତାରିଖରେ କୁଳାଧିପତିଙ୍କୁ ଇସ୍ତଫା ପତ୍ର ପଠାଇଥିଲେ । ଯାହା ଆଜି କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗ୍ରହଣ କରିଛନ୍ତି । ଏ ସମ୍ପର୍କରେ କୁଳାଧିପତିଙ୍କ ଅତିରିକ୍ତ ସଚିବ ଚିତ୍ତ ରଞ୍ଜନ ମହାନ୍ତି ପ୍ରଫେସର ସାହୁଙ୍କୁ ସୂଚିତ କରିଛନ୍ତି । ସେହିପରି ପ୍ରଫେସର ସାହୁଙ୍କ ସ୍ଥାନରେ ଭାରପ୍ରାପ୍ତ କୁଳପତି ଭାବେ ବାରିପଦାର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବାସାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଆସନ୍ତା ୩ ମାସ କିମ୍ବା ନୂଆ କୁଳପତି ଯୋଗ ଦେବା ପର୍ଯ୍ୟନ୍ତ ପ୍ରଫେସର ବାସା ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱରେ ରହିବେ ବୋଲି ଅତିରିକ୍ତ ସଚିବ ଶ୍ରୀ ମହାନ୍ତି ଚିଠିରେ ଉଲ୍ଲେଖ କରିଛନ୍ତି । ପ୍ରଫେସର ବାସା ଆସନ୍ତାକାଲି(ବୁଧବାର) ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି । ଉଭୟ ବିଶ୍ୱବିଦ୍ୟାଳୟକୁ ସମୟ ଦେଇ ସେ ତଦାରଖ କରିବେ ବୋଲି କହିଛନ୍ତି । ତେବେ ୨୦୨୦ ନଭେମ୍ବର ୨୪ ତାରିଖରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ସାହୁଙ୍କୁ ନିଯୁକ୍ତି ମିଳିଥିଲା । ସେ ଆନ୍ତର୍ଜାତିକ ସ୍ତରରେ ଜଣେ ଜଣାଶୁଣା ଶିକ୍ଷାବିତ୍ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆସିଥିଲେ । ତେଣୁ ତାଙ୍କ ନେତୃତ୍ୱରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ବେଶ ଉନ୍ନତି କରିବ ବୋଲି ଚର୍ଚ୍ଚା ଜାରି ରହିଥିଲା । ଏପରିକି ସେ ଏ ଦିଗରେ ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ଆରମ୍ଭ କରିଥିଲେ । ହେଲେ ହଠାତ୍ ନିଯୁକ୍ତିର ୬ ମାସ ନ ପୂରୁଣୁ ସେ କାହିଁକି ପଦବିରୁ ଇସ୍ତଫା ଦେଲେ ତାହାକୁ ନେଇ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି ।
ଏନେଇ ପ୍ରଫେସର ସାହୁଙ୍କ ପ୍ରତିକ୍ରିୟା ନିଆଯାଇଥିଲା । ବ୍ୟକ୍ତିଗତ କାରଣ ପାଇଁ ସେ ଏହି ପଦବିରୁ ଇସ୍ତଫା ଦେଇଥିବା କହିଛନ୍ତି । ସେ କହିଥିଲେ, ଦେଶ ସେବା କରିବା ପାଇଁ ଦିଲ୍ଲୀରେ ଅଧିକ ସୁଯୋଗ ମିଳିଲା । ଏହି କାରଣରୁ କୁଳପତି ପଦବିରୁ ଇସ୍ତଫା ଦେବା ପାଇଁ କିଛି ଦିନ ପୂର୍ବରୁ ଆବେଦନ କରିଥିଲି । ମଙ୍ଗଳବାର ଏହାର ନିଦେ୍ର୍ଧଶ ଆସିଛି । ବୁଧବାର ଦାୟିତ୍ୱ ହସ୍ତାନ୍ତର କରିବା ସହ ଏ ନେଇ ଗଣମାଧ୍ୟମକୁ ଅବଗତ କରିବି ବୋଲି ସେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons