
ରାୟଗଡ଼ା,(ବି.ବି.ନୁ୍ୟଜ): କରୋନା ଦ୍ୱିତୀୟ ଲହରି ରାୟଗଡ଼ା ଜିଲ୍ଲାରେ କାୟାବିସ୍ତାର କରିବାରେ ଲାଗିଛି । ଆଜି ଜିଲ୍ଲାରୁ ପୁଣି ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରାୟଗଡ଼ା ସହରରୁ ସର୍ବାଧିକ ୧୧, ମୁନିଗୁଡ଼ାରୁ ୬, ରାୟଗଡ଼ା ଗ୍ରାମାଂଚଳରୁ ୩, କଲ୍ୟାଣସିଂହପୁରରୁ ୨, ବିଷମକଟକ, କୋଲନରା ଓ ଗୁଣପୁର ସହରରୁ ଜଣେ ଲେଖାଏଁ ରହିଛନ୍ତି । ଜିଲ୍ଲାରେ ଗତକାଲି ୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସିଂହଭାଗ ରାୟଗଡ଼ା ସହରରୁ ଚିହ୍ନଟ ହେବା ଚିନ୍ତାର କାରଣ ପାଲଟିଛି ।
ପ୍ରତିଦିନ ରାୟଗଡ଼ା ସହରରେ ବହୁ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ଗୋଟିଏ ପରେ ଗୋଟିଏ ଅଂଚଳକୁ କରୋନା ବ୍ୟାପୁଥିବା ଯୋଗୁଁ ସାଧାରଣରେ ଆତଙ୍କ ଖେଳିଯାଇଛି । ଆଜି ଚିହ୍ନଟ ୨୫ ଜଣଙ୍କ ମଧ୍ୟରୁ ୨୧ ଜଣ ପୁରୁଷ ଏବଂ ୪ ଜଣ ମହିଳା ରହିଛନ୍ତି । ରାୟଗଡ଼ା ସହରର ବିଭିନ୍ନ ଅଂଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଚିହ୍ନଟ ପରେ କିଛି ଆକ୍ରାନ୍ତଙ୍କୁ ଜେକେପୁର ସ୍ଥିତ କୋଭିଦ ମେଡ଼ିକାଲ ଏବଂ ଅନ୍ୟ କିଛି ଜଣଙ୍କୁ ଗୃହ ସଂଗରୋଧରେ ରଖାଯାଇଥିବା ଏବଂ ଔଷଧ ସହ ଅନ୍ୟାନ୍ୟ ସୁବିଧା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାକ୍ତର ଆର୍ତ୍ତବନ୍ଧୁ ନାୟକ କହିଛନ୍ତି । ତେବେ ଆଜି ଚିହ୍ନଟଙ୍କ ମଧ୍ୟରୁ କେବଳ ଜଣେ ବାହାର ରାଜ୍ୟର ଫେରନ୍ତା ବୋଲି ସୂଚନା ମିଳିଛି । ଅନ୍ୟ ୨୪ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂଷ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ମୁଖ୍ୟତଃ ଛତିଶଗଡ଼, ମହାରାଷ୍ଟ୍ର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶରେ କରୋନା ଦ୍ୱିତୀୟ ଲହରି ବଢ଼ିଥିବା ବେଳେ ବାହାର ରାଜ୍ୟ ଫେରନ୍ତାଙ୍କୁ ନେଇ ଚିନ୍ତା ମଧ୍ୟ ବଢ଼ିଛି । ତେବେ ରାୟଗଡ଼ା ଓ ଗୁଣପୁର ସହର ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି । ଯାହାକି ସ୍ଥାନୀୟ ବାସିନ୍ଦା ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ବାହାର ରାଜ୍ୟରୁ ଫେରନ୍ତାଙ୍କ ଉପରେ ଲଗାମ ନଥିବା ଓ ଅମାନିଆଙ୍କ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଅଭିଯୋଗ ହୋଇଛି । ସୀମାରେ ଚେକିଂକୁ ଜୋରଦାର କରାଯାଇଛି । ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଂଚଳରେ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଯାତୟତ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଏବଂ ଯାନବାହନ ଉପରେ କଡ଼ା ନଜର ରଖିଛନ୍ତି । କେରେଡ଼ା, ସାନ୍ଦୁବାଡ଼ି, ଅଣିଜା, କାଟିକି ଇତ୍ୟାଦି ସ୍ଥାନରେ ବ୍ୟାପକ ଯାଂଚ ଚାଲିଥିବା ନଜରକୁ ଆସିଛି । ବାହାର ରାଜ୍ୟରୁ ଓଡ଼ିଶାକୁ ଆସିଲେ ଆରଟି-ପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ବିନା ପରୀକ୍ଷାରେ କୌଣସି ବ୍ୟକ୍ତି ରାଜ୍ୟ ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ସରକାର କଟକଣା ଜରି କରିଛନ୍ତି । ସରକାରଙ୍କ କଟକଣା ଠିକ ଭାବେ ପାଳନ କରିବା ନେଇ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସୁଦ୍ଧା ସମଗ୍ର ଜିଲ୍ଲାରେ ୮ ହଜାର ୬୮୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୮ ହଜାର ୪୬୨ ଜଣ ସୁସ୍ଥ ହୋଇଛନ୍ତି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୪୫ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ବଳକା ୧୮୨ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । କରୋନା ବୃଦ୍ଧିକୁ ନେଇ ଆତଙ୍କିତ ନହୋଇ ଲୋକେ ସଚେତନ ହେବା ନିମନ୍ତେ ପ୍ରଶାସନ ପକ୍ଷରୁ ବାର୍ତ୍ତା ପ୍ରଦାନ କରାଯାଇଛି ।


Comments are closed, but trackbacks and pingbacks are open.