
ବଲାଙ୍ଗିର,(ଗୁପ୍ତେଶ୍ୱର ପୁଷ୍ଟିଙ୍କ ରିପୋର୍ଟ): ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣୀଡୁଙ୍ଗୁରି ଗାଁରେ ସାମାନ୍ୟ ପୂଜା ସାମଗ୍ରୀ ଚୋରି କରିଥିବା ଅଭିଯୋଗରେ ଜଣେ ବୃଦ୍ଧଙ୍କୁ କଙ୍ଗାରୁକୋର୍ଟର ସାମ୍ନା କରିବାକୁ ପଡ଼ିଛି । ଗାଁର ଯୁବକମାନେ ଅଭିଯୁକ୍ତ ବୃଦ୍ଧଙ୍କ ବେକରେ ଚପଲମାଳା ପକାଇ ହାତ ବାନ୍ଧିଦେଲେ । ପରେ ମୁହଁରେ ଚୂନ ବୋଳି ତାଙ୍କୁ ଗାଁ ସାରା ବୁଲାଇଲେ । ଏପରିକି ଯୁବକମାନେ ବୃଦ୍ଧଙ୍କୁ ମାଡ଼ ବି ମାରିଲେ । ପୁଣି ଏସମସ୍ତ ଘଟଣାର ଭିଡ଼ିଓ କରି ତାକୁ ସୋସିଆଲ ମିଡ଼ିଆରେ ଭାଇରାଲ କଲେ । ଏଭଳି କଙ୍ଗାରୁକୋର୍ଟ କରି ବୃଦ୍ଧଙ୍କ ବିରୋଧରେ ନ୍ୟାୟ ବିଚାର କରିବା ଘଟଣା ଭାଇରାଲ ହେବା ପରେ ପୁଲିସ ନିଜ ଆଡୁ ତଦନ୍ତ ଆରମ୍ଭ କରି ଜଣେ ଯୁବକଙ୍କୁ ଅଟକ ରଖିଛି । ସେପଟେ ଉଭୟ ପକ୍ଷରୁ ଦୁଇଟି ପୃଥକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ପୁଲିସ କହିଛି ।
ପୁଲିସ ସୂଚନାଅନୁସାରେ, ବ୍ରାହ୍ମଣୀଡୁଙ୍ଗୁରି ଗାଁରେ ଦଣ୍ଡନାଚ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିଲା । କୀର୍ତ୍ତନ ଛତ୍ରିଆର ଉଦ୍ୟମକ୍ରମେ ବ୍ରାହ୍ମଣୀଡୁଙ୍ଗୁରିରୁ ଦଣ୍ଡନାଚ ଆରମ୍ଭ ହୋଇ ପରେ ଅନ୍ୟ ଗାଁମାନଙ୍କୁ ଯାଇଥାନ୍ତା । ହେଲେ ଗତ ୪/୫ଦିନ ତଳେ ଦଣ୍ଡନାଚରେ ବ୍ୟବହୃତ ପୂଜା ସାମଗ୍ରୀକୁ ସେହି ଗାଁର କେହି ଜଣେ ଚୋରି କରିନେଇଥିଲା । ଏନେଇ ପଚରାଉଚରା କରିବାରୁ କେତେକ ପ୍ରତ୍ୟକ୍ଷଦର୍ଶୀ ସେହି ଗାଁର ବୃଦ୍ଧ ମୁରାଲ କୁଅଁରଙ୍କ ନାଁ ନେଇଥିଲେ । ଗତ ସୋମବାର ଦିନ କୀର୍ତ୍ତନ ଏବଂ ତାଙ୍କର କେତେକ ସହଯୋଗୀ ମୁରାଲଙ୍କୁ ଭେଟି ତାଙ୍କୁ ଗାଳିଗୁଲଜ କରିବାରୁ ସେ ଘଟଣାକୁ ସ୍ୱୀକାର କରିଥିଲେ । ସେ ମଦନିଶାରେ ସାମଗ୍ରୀକୁ ନେଇ ଯାଇଥିବା କହିଥିଲେ । ଦୋଷ ସ୍ୱୀକାର କରିବା ସତ୍ତେ୍ୱ କୀର୍ତ୍ତନଙ୍କ ଭାଇ ସଦାନନ୍ଦ ବୃଦ୍ଧ ମୁରାଲଙ୍କ ଦୁଇ ହାତକୁ ଦଉଡିରେ ବାନ୍ଧି ବେକରେ ଚପଲମାଳା ପିନ୍ଧାଇ ଗାଁରେ ବୁଲାଇଥିଲେ । ପରେ ତାଙ୍କ ମୁହଁରେ ଚୂନ ବୋଳିିଥିଲେ । ଅବଶ୍ୟ ରାସ୍ତାରେ ବୁଲାଇବା ବେଳେ କେତେକ ବରିÂ ବ୍ୟକ୍ତି ଏହାକୁ ଅମନାବୀୟ କାର୍ଯ୍ୟ କହି ଏଥିରୁ ନିବୃତ୍ତ ରହିବାକୁ କହିଥିଲେ । ହେଲେ ସେମାନେ ତାଙ୍କ କଥା କର୍ଣ୍ଣପାତ ନକରି ବୃଦ୍ଧଙ୍କୁ ଆହୁରି ନିର୍ଯାତନା ଦେଇଥିଲେ । ମାଡ଼ ମାରିବା ସହ ତାଙ୍କୁ ଗାଳିଗୁଲଜ କରିଥିଲେ । ଏହାର ଭିଡିଓ ସୁଟିଂ କରି ତାକୁ ସୋସିଆଲ ମିଡ଼ିଆରେ ଛାଡ଼ିଦେଇଥିଲେ । ଏନେଇ ଖବର ପାଇବା ପରେ ସଦର ପୁଲିସ ଗତକାଲି ସଂଧ୍ୟାରୁ ଜଣକୁ ଆଣି ଥାନାରେ ଅଟକ ରଖିଛି । ଆଜି ବୃଦ୍ଧଙ୍କ ଝିଅ ତାଙ୍କ ବାପାଙ୍କୁ କଙ୍ଗାରୁକୋର୍ଟ କରି ନିର୍ଯାତନା ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ସାମଗ୍ରୀ ଚୋରି ସମ୍ପର୍କରେ ମଧ୍ୟ ଏକ ଏତଲା ହୋଇଥିବା ଜଣାପଡିଛି ।
Comments are closed, but trackbacks and pingbacks are open.