ପିପିଲିରେ ଭୋଟ ପ୍ରଚାର କରିବନି ବିଜେଡି:ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପିପିଲି ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ମେ ୧୩ରେ ଏଠାରେ ଭୋଟ ଗ୍ରହଣ କରାଯିବ । ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଛି ୨୬ ତାରିଖ । କରୋନା ମହାମାରୀର ଭୟାବହତା ଦୃଷ୍ଟିରୁ ପିପିଲିରେ ବିଜେଡି ଭୋଟ ପ୍ରଚାର ସମାବେଶ କିମ୍ବା ଶୋଭାଯାତ୍ରା କରିବନି । ଏ ନିଷ୍ପତ୍ତି ନେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ନବୀନଙ୍କ ଏ ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇ କହିଛନ୍ତି, ଆମ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ସବୁବେଳେ ଓଡ଼ିଶାବାସୀଙ୍କୁ ନିଜର ପରିବାର ସଦସ୍ୟ ଭାବେ ଗ୍ରହଣ କରିଆସିଛି । ସମଗ୍ର ଦେଶରେ ଏବେ କୋଭିଡ୍-୧୯ ଅତି ସଂଗିନ୍ ସ୍ଥିତିରେ ପହଞ୍ଚିଛି । ତେଣୁ ସାଂପ୍ରତିକ ପରିସ୍ଥିତିରେ ବିଜେଡି ପିପିଲି ଉପନିର୍ବାଚନରେ କୌଣସି ନିର୍ବାଚନୀ ସଭା କିମ୍ବା ଶୋଭାଯାତ୍ରା ନକରିବାକୁ ନିଷ୍ପତ୍ତି ନେଇଛି ।
ନବୀନ ଦର୍ଶାଇଛନ୍ତି, ବିଜେଡି ଏକ ଦାୟିତ୍ୱସମ୍ପନ୍ନ ଦଳ । କୌଣସି ପରିସ୍ଥିତିରେ ଆମେ ଲୋକଙ୍କ ଜୀବନକୁ ବିପଦରେ ପକାଇବୁ ନାହିଁ । ଲୋକଙ୍କ ସେବା କରିବାକୁ ଆମେ ନିର୍ବାଚନ ଲଢ଼ୁଛୁ । ଯଦି ନିର୍ବାଚନ ପ୍ରଚାରରେ ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି, ତା’ହେଲେ ସମସ୍ତ ରାଜନୈତିକ ଦଳ ଏଥିରୁ ବିରତ ରହିବାକୁ ନବୀନ ଅନୁରୋଧ କରିଛନ୍ତି । ଏପରିକି ନିର୍ବାଚନ କମିଶନ ନିର୍ବାଚନ ପ୍ରଚାରର ଢାଞ୍ଚା ଓ ସମୟ ସୀମା ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କରୁଛି ।
ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ଭାରତ ହେଉଛି ଏକ ପରିପକ୍ୱ ଗଣତନ୍ତ୍ର । ଆମେ ସମସ୍ତେ ମିଶି କୌଣସି ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିପାରିବା । ଗଣତନ୍ତ୍ର ହେଉଛି ଲୋକଙ୍କ ଦ୍ୱାରା, ଲୋକଙ୍କ ପାଇଁ ଓ ଲୋକଙ୍କର । ତେଣୁ ଲୋକଙ୍କ ସ୍ୱାର୍ଥ ଅନୁକୂଳ ନିଷ୍ପତ୍ତି ନେବାକୁ ନବୀନ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ପିପିଲି ଉପନିର୍ବାଚନରେ କଂଗ୍ରେସ ସ୍ୱର୍ଗତ ଅଜିତ୍ ମଙ୍ଗରାଜଙ୍କ ସ୍ଥାନରେ ନୂଆ ପ୍ରାର୍ଥୀ ମନୋନୀତ କରିପାରିବ । ଏଥିପାଇଁ କଂଗ୍ରେସକୁ ଆଜି ବିଧିବଦ୍ଧ ଭାବେ ରିଟର୍ଣ୍ଣିଂ ଅଫିସର ନୋଟିସ୍ କରିଛନ୍ତି । ୨୬ ତାରିଖ ଅର୍ଥାତ୍ ୭ ଦିନ ମଧ୍ୟରେ କଂଗ୍ରେସ ନିଜର ନୂଆ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କରିବ । ୨୭ରେ ପ୍ରାର୍ଥିପତ୍ର ଯାଞ୍ଚ ସହ ୨୯ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons