
କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ): ବହୁ ପ୍ରତୀକ୍ଷିତ ସଂସ୍କୃତ ଭବନ ଉଦ୍ଘାଟନ ପର୍ବ ବାରମ୍ବାର ଘୁଂଚିଲା ପରେ ଶେଷରେ ୨୦୧୮ ମସିହା ଫେବ୍ରୁଆରୀରେ ହୋଇଥିଲା । ତକ୍ରାଳୀନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଫେବ୍ରୁଆରୀ ୧୫ ତାରିଖରେ ନବନିର୍ମିତ ସଂସ୍କୃତି ଭବନକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନ ସିନା ହୋଇଗଲା, ହେଲେ ଅଦ୍ୟାବଧି ତାହା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ୩ ବର୍ଷ ବିତିଯାଇଥିଲେ ବି ସଂସ୍କୃତି ଭବନ କାର୍ଯ୍ୟକ୍ଷମ ହୋଇ ନ ପାରିବାରୁ ଏବେ ତାହା ଭୂତକୋଠି ପାଲଟିଛି । ସେଠାରେ କିଏ ଘଷି ଶୁଖାଇଲାଣି ତ ପୁଣି କେତେବେଳେ ଅଘୋଷିତ ଧାନଖଳା ପାଲଟୁଛି । ପୁଣି ସଂସ୍କୃତି ଭବନ ସିନା ନିର୍ମାଣ ହୋଇଗଲା ଏଠାକୁ ଯିବା ପାଇଁ ସଂଯୋଗୀକରଣ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ । ଏପରିକି ରାତିରେ ଏଠାରେ ଲାଇଟ୍ ଜଳୁ ନଥିବାରୁ ସ୍ଥାନୀୟ ବାସିନ୍ଦା ଉକ୍ତ ଭବନ ଦେଇ ଯିବାକୁ ଡରିଲେଣି । ଭିତରେ ପଶୁପକ୍ଷୀଙ୍କ ଅସ୍ଥିକଙ୍କାଳ ପଡ଼ି ପରିବେଶକୁ ବିଗାଡ଼ି ଦେଇଛି ।
ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡ଼ାରେ ଏକ ସଂସ୍କୃତି ଭବନ ତଥା ଅତ୍ୟାଧୁନିକ ବହୁମୁଖୀ ସଭାଗୃହ ନିର୍ମାଣ ଲାଗି ଦୀର୍ଘଦିନ ହେବ ଦାବି ହୋଇଆସୁଥିଲା । ବହୁଦିନର ଦାବିି ପରେ ଜମି ଚିହ୍ନଟ ହୋଇ ୨୦୧୪ ମସିହା ବେଳକୁ ପ୍ରକ୍ରିୟାକରଣ ଆରମ୍ଭ ହୋଇଥିଲା । ବହୁ ବାବଦ ବିବାଦ ପରେ ଯାଇ ଏ କାମ ତ୍ୱରାନ୍ୱିତ ହୋଇଥିଲା । ୨୦୧୪ ମସିହା ନଭେମ୍ବର ୧୨ରେ ପ୍ରକଳ୍ପ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ସଂସ୍କୃତି ଭବନ ନିର୍ମାଣ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ବେଳେ ସାଂସଦ ପାଣ୍ଠିରୁ ୩ କୋଟି ୭୦ ଲକ୍ଷ ୧ହଜାର ୭୮୦ଟଙ୍କା ବ୍ୟୟ ହୋଇଥିଲା । ୨୦୧୭ ମସିହା ପ୍ରଥମାର୍ଦ୍ଧରେ ସଂସ୍କୃତି ଭବନ ନିର୍ମାଣରେ ଅନେକ କାମ ବାକି ପଡ଼ିଥିଲା । ପ୍ରାୟ ୪କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ବର୍ଷକ ତଳେ ସାଂସଦ ପାଣ୍ଠିରେ ନିର୍ମାଣାଧୀନ ପ୍ରକଳ୍ପର ଜମାରୁ ୧କୋଟି ୮୫ ଲକ୍ଷ ୫୩ ହଜାର ଟଙ୍କା ଖର୍ଚ୍ଚ ହୋଇପାରିଥିଲା । କାମ କିନ୍ତୁ ଧିମେଇ ଯାଇଥିଲା । ଡେରାବିଶ ବ୍ଲକ୍ ଗୁଆଳସିଂହଠାରେ ଜମି ଚିହ୍ନଟ ହେବା ପରେ ସଂସ୍କୃତି ଭବନ ନିର୍ମାଣ ହୋଇଥିଲା । ୨୦୧୪ ମାର୍ଚ୍ଚ ୪ରୁ କାମ ଆଗେଇଥିଲା । ପ୍ରକଳ୍ପ ଅଟକଳକୁ ମିଶାଇଲେ ଏଥିରେ ପ୍ରାୟ ୪କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହା ଓଡ଼ିଶାର ଦ୍ୱିତୀୟ ବ୍ୟୟବହୁଳ ସଂସ୍କୃତି ଭବନ । ନିର୍ମାଣ କାମ ଆରମ୍ଭ ହେବାର ବର୍ଷକ ମଧ୍ୟରେ ସାରିବା ଲାଗି ବିଭାଗ ପକ୍ଷରୁ ଟାର୍ଗେଟ ଥିଲେ ମଧ୍ୟ ଅଢେ଼ଇ ବର୍ଷ ପରେ କାମ ଶେଷ ହୋଇଥିଲା । ତେବେ ସେଠାକୁ ଯିବାକୁ ଏଠି ପ୍ରଶସ୍ତ ରାସ୍ତା ହୋଇ ପାରିଲା ନାହିଁ, ଯାହା ପ୍ରମୁଖ ସମାସ୍ୟା ଭାବେ ଉଭା ହୋଇଛି । ରାସ୍ତା କେମିତି, କେବେ ହେବ ସେ ବାବଦରେ କାହା ପାଖରେ କିଛି ଖବର ନାହିଁ । କର୍ତ୍ତୃପକ୍ଷଙ୍କୁ ପଚାରିଲେ ମଧ୍ୟ ଏ ନେଇ କିଛି କହି ପାରୁନାହାନ୍ତି । ପ୍ରସ୍ତାବିତ ରାସ୍ତା ଲାଗି ଜମି ଚିହ୍ନଟ କାମ ସରି ପାରୁନଥିବାରୁ ଏବେ ଯେଉଁ ରାସ୍ତା ଦେଇ ଯାତାୟାତ ହେଉଛି ବାହାର ଲୋକ ତ ଦୂରର କଥା, ଅଂଚଳବାସୀ ବି ରାସ୍ତା ପାଇବା ନେଇ ଭ୍ରମରେ ପଡ଼ିଛନ୍ତି । ଦୂରରୁ ନିର୍ମାଣାଧୀନ ସଂସ୍କୃତି ଭବନ ଦେଖାଯାଉଥିଲେ ପାଖକୁ ଯିବା ଲାଗି ସଂଯୋଗକାରୀ ରାସ୍ତା ଖୋଜି ପାଇବାକୁ ଭ୍ରମରେ ପଡ଼ୁଛନ୍ତି । ପ୍ରଶାସନିକ ଅପାରଗତା ଯୋଗୁ ସଂସ୍କୃତି ଭବନ କାର୍ଯ୍ୟକ୍ଷମ ନ ହୋଇ ପଡ଼ିରହିଛି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ସଂସ୍କୃତି ଭବନ ଏଯାଏ କାହିଁକି କାର୍ଯ୍ୟକ୍ଷମ ହୋଇପାରୁନି ପ୍ରଶାସନ ଉତ୍ତର ରଖିବା ଆବଶ୍ୟକ ବୋଲି କଂଗ୍ରେସ ଦାବି ଉଠାଇଛି । ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ ବୋଲି ପୂର୍ବତନ କଂଗ୍ରେସ ବିଧାୟକ ଚିନ୍ମୟ ପ୍ରସାଦ ବେଉରା ଦାବି କରିଛନ୍ତି । ପ୍ରଶାସନ ମଧ୍ୟ ନିରୁତ୍ତର । ସଂସ୍କୃତି ଭବନର କାର୍ଯ୍ୟକ୍ଷମତା ଏବଂ ରାସ୍ତା ନିର୍ମାଣ ବାବଦରେ ସ୍ପଷ୍ଟ ଉତ୍ତର ରଖି ପାରୁନାହାନ୍ତି । ଯାହା ଭବନର ଭବିଷ୍ୟତ, ଭବନ ନିର୍ମାଣର ଉଦେ୍ଧଶ୍ୟ ଓ ଲକ୍ଷ୍ୟକୁ ଅନ୍ଧକାର ମଧ୍ୟକୁ ଠେଲିଦେଇଥିବା ଜଣାପଡେ଼ । କେନ୍ଦ୍ରାପଡ଼ାରେ ଅଦ୍ୟାବଧି କାହାରିକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ସ୍ଥାୟୀ ନିଯୁକ୍ତି ମିଳି ନଥିବା ବେଳେ ଅଧିକାଂଶ ସମୟ ଡିଆଇପିଆର୍ଓ ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିଆସିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲପାଳ ଅମ୍ରିତ ଋତୁରାଜଙ୍କୁ ପଚାରିବାରୁ ଏ ଦିଗରେ ଖୁବ୍ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।


Comments are closed, but trackbacks and pingbacks are open.