
ବଲାଙ୍ଗିର,(ଗୁପ୍ତେଶ୍ୱର ପୁଷ୍ଟିଙ୍କ ରିପୋର୍ଟ): କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଜି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଆଜି ପୂର୍ବାହ୍ନରେ ତାଙ୍କ ବଲାଙ୍ଗିର ସ୍ଥିତ ବାସଭବନରେ ସେ ନିଜର କରୋନା ପରୀକ୍ଷା କରାଇଥିଲେ । ସେଥିରେ ତାଙ୍କର ନମୂନା ପଜିଟିଭ ଥିବା ଜଣାପଡ଼ିଥିଲା । କରୋନା ପଜିଟିଭ ଥିବା ସତ୍ତେ୍ୱ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ତେବେ ଶ୍ରୀ ମିଶ୍ର ଆଜି ସଂଧ୍ୟାରେ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ କରି ଜଣାଇଛନ୍ତି, ଗତକିଛି ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଷରେ ଆସିଛନ୍ତି ସେମାନେ ଦୟାକରି ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ । ଏଥିସହ ବଲାଙ୍ଗିରବାସୀ ମାସ୍କ ବ୍ୟବହାର, ସାମାଜିକ ଦୂରତା ଓ କୋଭିଡ ନିୟମ ପାଳନ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି ।
ପ୍ରକାଶ ଯେ, ବିଧାୟକ ଶ୍ରୀ ମିଶ୍ର କରୋନା ଆରମ୍ଭରୁ ନିଜେ ସଚେତନ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ସତେତନତା ଅବଲମ୍ବନ କରିବାକୁ କହୁଥିଲେ । ତଥାପି ସେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ କରୋନା ସଂକ୍ରମଣ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ । କରୋନାର ପ୍ରଥମ ପର୍ଯ୍ୟାୟରେ ବିଧାୟକ ଶ୍ରୀ ମିଶ୍ର ସଂକ୍ରମଣରୁ ସୁରକ୍ଷିତ ରହିଥିଲେ । ଦ୍ୱିତୀୟ ଲହର ଆରମ୍ଭ ହେବା ପରେ ପୂର୍ବପେକ୍ଷା ଅଧିକ ସଚେତନତା ଅବଲମ୍ବନ କରିଥିଲେ । କରୋନା ଟିକାର ଉଭୟ ଡେ଼ାଜ ସେ ନେଇଛନ୍ତି । ଏପରିକି ଗତ ଦୁଇଦିନ ତଳେ ଶ୍ରୀ ମିଶ୍ର ଏକ ଭିଡ଼ିଓ ବାର୍ତ୍ତା ଜାରି କରି ସମସ୍ତଙ୍କୁ ସଚେତନ ରହିବାକୁ ନିବେଦନ କରିଛନ୍ତି । ହେଲେ ଆଜି ତାଙ୍କର ନମୂନା ପରୀକ୍ଷା ପରେ ସେ ପଜିଟିଭ ଥିବା ଜଣାପଡିଥିଲା । ବିଧାୟକ ଶ୍ରୀ ମିଶ୍ର କରୋନା ସଂକ୍ରମିତ ବୋଲି ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେହିଭଳି ସୋସିଆଲ ମିଡ଼ିଆରେ ତାଙ୍କ ସମର୍ଥକ ଓ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ବିଧାୟକ ନିରାମୟତା କାମନା କରିଛନ୍ତି ।


Comments are closed, but trackbacks and pingbacks are open.