
ବାରଙ୍ଗ,(ବି.ବି.ନୁ୍ୟଜ): ଦୁଇଟି ବଣୁଆ ହାତୀ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଛନ୍ତି । ହାତୀ ଦୁଇଟି ବାରମ୍ବାର ନନ୍ଦନକାନନ ପାଚେରି ଭାଙ୍ଗି ଭିତରକୁ ପ୍ରବେଶ କରୁଛନ୍ତି ଓ ବ୍ୟାପକ ଭଙ୍ଗାରୁଜା କରୁଛନ୍ତି । ସୂଚନା ଅନୁଯାୟୀ, ଚନ୍ଦକା ଜଙ୍ଗଲରୁ ଗୋଟିଏ ଦନ୍ତା ଓ ଗୋଟିଏ ମାଈ ହାତୀ
ଆସି ଗତ ଶନିବାର ବିଳମ୍ବିତ ରାତିରେ ନନ୍ଦନକାନନ ସୁରକ୍ଷା ପାଚେରି ଭାଙ୍ଗି ଭିତରକୁ ପଶିଥିଲେ । ଦୁଇଦିନ ନନ୍ଦନକାନନ ପରିସରରେ ରହିଥିଲେ । ସୋମବାର ସନ୍ଧ୍ୟାରେ ହାତୀ ଦୁଇଟିକୁ ଚନ୍ଦକା-ଡମପଡ଼ା ବନବିଭାଗ କର୍ମଚାରୀଙ୍କ ସହଯୋଗରେ ବାଣ ଫୁଟାଇ ବାହାରକୁ ଘଉଡା ଯାଇଥିଲା । ତେବେ ମଙ୍ଗଳବାର ସନ୍ଧ୍ୟାରେ ପୁଣି ଉକ୍ତ ହାତୀ ଦୁଇଟି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ପଶି ସରିଶ୍ରୁପ ଉଦ୍ୟାନ ଓ ଶିଶୁ ରେଳଗାଡିର ସୁରକ୍ଷା ବାଡ଼କୁ ଭଙ୍ଗାରୁଜା କରିଛନ୍ତି । ଏହା ପରେ ଭିତରେ ଥିବା ଜଙ୍ଗଲ ମଧ୍ୟକୁ ପଳାଇଥିଲେ । ବୁଧବାର ଦିନତମାମ ହାତୀ ଦ୍ୱୟଙ୍କ ଉପରେ ନଜର ରଖାଯାଇଛି । ରାତି ହେଲେ ସେମାନେ ଜଙ୍ଗଲ ମଧ୍ୟକୁ ପଳାଇବେ ବୋଲି କର୍ତ୍ତୃପକ୍ଷ ଅନୁମାନ କରୁଛନ୍ତି । ଯଦି ସେମାନେ ବାହାରକୁ ନ ବାହାରି ପ୍ରାଣୀ ଉଦ୍ୟାନରେ ଥିବା ଜୀବଜନ୍ତୁଙ୍କ ଖୁଆଡ ଆଡେ ଯାଇ ନଷ୍ଟ କରନ୍ତି, ତେବେ ପୁଣି ଚନ୍ଦକା-ଡମପଡା ବନବିଭାଗ ସହଯୋଗରେ ହାତୀ ଘଉଡାଇବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।


Comments are closed, but trackbacks and pingbacks are open.