
ଆଳି,(ବି.ବି.ନୁ୍ୟଜ): କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାପ କାମୁଡ଼ାରେ ଭାଇ-ଭଉଣୀ ମୃତୁ୍ୟବରଣ କରିଥିବା ଜଣାପଡ଼ିଛି । ମୃତକ ଦ୍ୱୟ ହେଲେ ଅଭିଷେକ ଦାସ(୧୧) ଓ ଭୂମିକା ଦାସ(୩) । ଉଭୟଙ୍କ ମୃତୁ୍ୟ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ମିଳିଥିବା ସୂଚନା ଅନୁସାରେ, ଗୋବିନ୍ଦପୁର ଗ୍ରାମର ଅରୁଣ ଦାସଙ୍କ ପତ୍ନୀ ସଂଯୁକ୍ତା ସବୁ ଦିନ ପରି ଶୁକ୍ରବାର ରାତିରେ ପୁଅ ଅଭିଷେକ ଓ ଝିଅ ଭୂମିକାଙ୍କ ସହିତ ଘରେ ଗୋଟିଏ ବିଛଣାରେ ଶୋଇଥିଲେ । ସମସ୍ତେ ଶୋଇଥିବା ବେଳେ ଅଭିଷେକ କ’ଣ ଗୋଟେ କାମୁଡିଦେଲା ବୋଲି ଚିକ୍ରାର କରିବା ପରେ ସଂଯୁକ୍ତାଙ୍କ ନିଦ ଭାଙ୍ଗି ଯାଇଥିଲା । ସେ ସଙ୍ଗେସଙ୍ଗେ ଲାଇଟ୍ ଲଗାଇବା ପରେ ଏକ ବିଶାକ୍ତ ସାପକୁ ଦେଖିବାକୁ ପାଇଥିଲେ ଓ ପୁଅ ହାତରେ ସାପ କାମୁଡା ଚିହ୍ନ ଦେଖିଥିଲେ । ସେ ସଙ୍ଗେସଙ୍ଗେ ତାଙ୍କ ଲୁଗାର ପଣତ ଚିରି କାମୁଡିଥିବା ସ୍ଥାନକୁ ଭିଡି ବାନ୍ଧି ଦେଇଥିଲେ । ସଙ୍ଗେସଙ୍ଗେ ଅଭିଷେକକୁ ଯାଜପୁର ମେଡିକାଲ୍ ନେଇ ଯାଇଥିଲେ । ସେଠାରୁ ତାକୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ମେଡିକାଲ୍କୁ ପଠାଇ ଦିଆଯାଇଥିଲା । କଟକ ବଡ ମେଡିକାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ୩ଟାରେ ଡାକ୍ତର ଅଭିଷେକକୁ ମୃତ ଘୋଷଣା କରିଥିଲେ । ଅଭିଷେକକୁ ଡାକ୍ତରଖାନା ନେବା ପରେ ପରିବାର ଲୋକେ ଦେଖିଥିଲେ ଯେ, ୩ ବର୍ଷର ଝିଅ ଭୂମିକା ଶୋଇଥିବା ବେଳେ ତାର ନାକରେ ମଧ୍ୟ ସାପ କାମୁଡା ଚିହ୍ନ ରହିଛି । ଏଥିସହ ଭୂମିକା ପାଟିରୁ ଗରଳ ବାହାରୁଛି । ତାକୁ ତୁରନ୍ତ ଆଳି ମେଡିକାଲ୍କୁ ଅଣାଯାଇଥିବା ବେଳେ ଡାକ୍ତର ସେଠାରେ ତାକୁୁ ମୃତ ଘୋଷଣା କରିଥିଲେ । କଟକ ବଡ ମେଡିକାଲ୍ରେ ଅଭିଷେକର ମୃତଦେହକୁ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବା ବେଳେ ଝିଅ ଭୂମିକାର ମୃତଦେହ ଆଳି ମେଡିକାଲ୍ ପକ୍ଷରୁ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଗ୍ରାମ ଶ୍ମଶାନରେ ଶୋକାକୁଳ ପରିବେଶରେ ଭାଇ-ଭଉଣୀଙ୍କ ମୃତଦେହ ସକ୍ରାର କରାଯାଇଥିଲା । ଏହି ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ସରପଞ୍ଚ ପଦ୍ମାଳୟା ଧଳ, ଜିଲ୍ଲା ପରିଷଦ ସଭ୍ୟ ଧନରଞ୍ଜନ ବୋଷ ଓ ସମାଜସେବୀ ରତନ ଧଳଙ୍କ ସମେତ ଗ୍ରାମବାସୀ ନିବେଦନ କରିଛନ୍ତି ।


Comments are closed, but trackbacks and pingbacks are open.