ଶ୍ରୀଜିଉଙ୍କ ବାହାର ଚନ୍ଦନ ଯାତ୍ରା: ସାମିଲ ହେବେ ୮୦ ସେବକ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଶ୍ରୀଜିଉଙ୍କ ଦ୍ୱାଦଶ ଯାତ୍ରାର ଅନ୍ୟତମ ମୁଖ୍ୟ ପର୍ବ ବାହାର ଚନ୍ଦନ ଯାତ୍ରା ପ୍ରସ୍ତୁତିରେ ପ୍ରଶାସନ ଚଳଚଞ୍ଚଳ । ମହାପ୍ରଭୁ ବଡ଼ଦାଣ୍ଡରେ ଶୋଭାଯାତ୍ରା କରି ପବିତ୍ର ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିବେ । ଶୋଭାଯାତ୍ରାର ରୂପରେଖ ହେବ ନିରାଡମ୍ବର । ଚନ୍ଦନ ଯାତ୍ରାରେ ମାତ୍ର ୮୦ ଜଣ ସେବାୟତ ସାମିଲ ହେବେ । ଭକ୍ତ ତଥା ସହରବାସୀଙ୍କୁ ଶୋଭାଯାତ୍ରାରେ ସାମିଲ ହେବାକୁ ଅନୁମତି ମିଳିବ ନାହିଁ ।
ମଣିବିମାନ, ପଞ୍ଚ ମହାଦେବ, ରାମକୃଷ୍ଣଙ୍କ ପାଲିଙ୍କି ସହ ଏହି ସେବାୟତ ଶୋଭାଯାତ୍ରାରେ ସାମିଲ ହେବେ । ଶୋଭାଯାତ୍ରା ନରେନ୍ଦ୍ରରେ ପହଞ୍ଚିଲେ ଚନ୍ଦନ ଚକଡା ଭିତରକୁ କେବଳ ୩୫ ପାଳିଆ ସେବକ ପ୍ରବେଶ କରିବେ । ଅନ୍ୟ ସେବାୟତମାନେ ବାହାରେ ଅପେକ୍ଷା କରିବେ । ଠାକୁରଙ୍କ ତିନି ଚାପ ଉପରେ ଆଠ ଜଣ ଚାପ ଦେଳେଇ ରହିବେ । ଚନ୍ଦନଚକଡ଼ାକୁ ଏମାନେ ଉଠିପାରିବେ ନାହିଁ ।
ଚନ୍ଦନ ଯାତ୍ରାର ପ୍ରସ୍ତୁତି ନେଇ ବୁଧବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କି୍ରଷନ କୁମାର ସମୀକ୍ଷା କରିଥିଲେ । ସମୀକ୍ଷା ପରେ ସେ ଗଣମାଧ୍ୟମକୁ କହିଥିଲେ ଯେ, ପବିତ୍ର ଅକ୍ଷୟ ତୃତୀୟାରେ ପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ପାଳନ ହେବ । କୋଭିଡ୍ ସଂକ୍ରମଣ ବୃଦ୍ଧି ଯୋଗୁ ବିନା ଭକ୍ତରେ ବାହାର ଚନ୍ଦନ ଯାତ୍ରା ହେଉଛି । ସହରବାସୀ ବି ଏହି ଯାତ୍ରାରେ ସାମିଲ ହେବେନାହିଁ । ପୂର୍ବବର୍ଷ ଭଳି ରଥଚକଡ଼ାରେ ବି କୋଭିଡ୍ କଟକଣା ମଧ୍ୟରେ ତିନି ରଥ ନିର୍ମାଣ ଅନୁକୂଳ ପର୍ବ ଏବଂ ନିର୍ମାଣ କରାଯିବ ।
ମୁଖ୍ୟ ପ୍ରଶାସକ କହିଥିଲେ ଯେ ସେବକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି । ରଥଯାତ୍ରା ପୂୂର୍ବରୁ ସମସ୍ତ ସେବାୟତଙ୍କୁ ଟିକା ଦେବାକୁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି । ଆସନ୍ତାକାଲି ଠାରୁ ଚନ୍ଦନଯାତ୍ରା ସହ ଯୋଡ଼ି ହୋଇଥିବା ସେବକଙ୍କୁ ଟିକା ଦିଆଯିବ । ଶ୍ରୀମନ୍ଦିର ପରମ୍ପରା ଓ ସେବାୟତଙ୍କ ସୁରକ୍ଷା ପାଇଁ ବାହାର ଚନ୍ଦନଯାତ୍ରା କେବଳ ନୀତିକାନ୍ତି ମଧ୍ୟରେ ସମ୍ପନ୍ନ କରାଯିବ । ତେଣୁ ଗତବର୍ଷ ରଥଯାତ୍ରା ଭଳି ଚଳିତ ବର୍ଷର ସମସ୍ତ ପର୍ବରେ ପୁରୀ ସହରବାସୀ ସହଯୋଗ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ଏହି ଅବସରରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ନରେନ୍ଦ୍ର ପୁଷ୍କରିଣୀ, ରଥଖଳା ନିର୍ମାଣ ପ୍ରସ୍ତୁତିର ଅନୁଧ୍ୟାନ କରିବାକୁ କ୍ଷେତ୍ର ପରିଦର୍ଶନ କରିଥିଲେ ।
ବାହାର ଚନ୍ଦନ ଯାତ୍ରାରେ ସାମିଲ ହେଉଥିବା ସମସ୍ତ ସେବାୟତଙ୍କୁ ପ୍ରଶାସନ ସ୍ୱତନ୍ତ୍ର ପାସ ପ୍ରଦାନ କରିବ । ପାସ୍ ପାଇବାକୁ ଯୋଗ୍ୟ ସମସ୍ତ ସେବାୟତ ଏବଂ ଶ୍ରୀମନ୍ଦିର କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ ହେବ । ଯାତ୍ରାରେ ସାମିଲ ହେବାକୁ ନେଗେଟିଭ୍ ପ୍ରମାଣପତ୍ର ବାଧ୍ୟତାମୂଳକ । ସେହିଭଳି ଶ୍ରୀମନ୍ଦିର ସମ୍ମୁଖରେ ଆୟୋଜିତ ତିନି ରଥର ନିର୍ମାଣ ଅନୁକୂଳ ପର୍ବରେ ତିନି ମୁଖ୍ୟ ବିଶ୍ୱକର୍ମା, ଭୋଇ ସର୍ଦ୍ଧାର, ଦେଉଳ ପୁରୋହିତ, ରାଜଗୁରୁଙ୍କ ବ୍ୟତୀତ ରଥ ଅନୁକୂଳ ବନଯାଗରେ ସର୍ବନିମ୍ନ ସଂଖ୍ୟକ ବ୍ରାହ୍ମଣ ସେବକଙ୍କୁ ସାମିଲ କରାଯିବ । ଏହି ପର୍ବର ସେବକଙ୍କୁ ବି ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ପାସ୍ ପ୍ରଦାନ କରିବ । ଏମାନଙ୍କର ବି କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର ଆବଶ୍ୟକ ପଡ଼ିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons