ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଶ୍ରାବଣ ମାସ ହେଲାଣି । ବର୍ଷା ନାହିଁ । ଚାଷ ଗଲାଣି ଚୁଲିକି । ମରୁଡ଼ିର ପଦଧ୍ୱନି ଶୁଣିବାକୁ ମିଳିଲାଣି । ଫାଟି ଆଁ କରିଥିବା କ୍ଷେତକୁ ଦେଖି ଚାଷୀ ମାନସିକ ଚାପ ହରାଇ ଆତ୍ମହତ୍ୟା କଲାଣି । ସରକାର କ’ଣ କରୁଛନ୍ତି? କି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି? କଂଗ୍ରେସ ସଭ୍ୟମାନେ ଏ ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ରାଜସ୍ୱ ମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ । ବିଧାନସଭାକୁ ଆଜି ଏମିତି ଘାରିଥିଲା ମରୁଡ଼ି ଚିନ୍ତା ।
ଆଜି ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇ କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଲେ, ରାଜ୍ୟରେ ଏ ଯାଏ ୧୦୩% ବର୍ଷା ହୋଇଛି । ଅଧିକାଂଶ ଜିଲ୍ଲାରେ ମରୁଡ଼ିର ପଦଧ୍ୱନି । ବଲାଙ୍ଗୀର ସମେତ ପଶ୍ଚିମ ଓଡ଼ିଶାର ବହୁ ଜିଲ୍ଲାରେ ସ୍ଥିତି ପୂରାକୁ ପୂରା ସଂଗୀନ୍ । ସରକାର କିନ୍ତୁ ଚିନ୍ତାଶୂନ୍ୟ ହୋଇ ବସିଛନ୍ତି । ମରୁଡ଼ି ପ୍ରତିକାର ପାଇଁ କ’ଣ କରିଛନ୍ତି ଗୃହକ ଅବଗତ କରାନ୍ତୁ । ସେ ଅଭିଯୋଗ କଲେ, ମରୁଡ଼ିର ଶିକାର ହୋଇ ବଲାଙ୍ଗୀରର ଭକ୍ତବନ୍ଧୁ ଦଣ୍ଡସେନା ଆତ୍ମହତ୍ୟା କରିଛନ୍ତି । କ୍ଷୁଦ୍ରଚାଷୀ ଦଣ୍ଡସେନା ନିଜ କ୍ଷେତକୁ ଯାଇ ଦେଖିଲେ ଜମି ଫାଟି ଆଁ କରିଛି । ସେ ନିଜକୁ ନିୟନ୍ତ୍ରଣ କରିପାରିଲେନି । ଆତ୍ମହତ୍ୟା କରିଛନ୍ତି । ସରକାର ୫୧ ଲକ୍ଷ ଚାଷୀଙ୍କୁ ‘କାଳିଆ’ ସହାୟତା ଦେଇଛନ୍ତି ବୋଲି କହୁଛନ୍ତି । ବାସ୍ତବରେ ଦଣ୍ଡସେନାଙ୍କ ଭଳି ଚାଷୀ ଏଥିରୁ ବଞ୍ଚିତ ଅଛନ୍ତି । ତାଙ୍କୁ ୨୦୧୭ର ଫସଲ ବୀମା ରାଶି ମଧ୍ୟ ମିଳିନଥିଲା । ମାନସିକ ଭାରସାମ୍ୟ ହରାଇ ଦଣ୍ଡସେନା ବିଷ ଖାଇ ଆତ୍ମହତ୍ୟା କଲେ । ସରକାରଙ୍କ ଚାଷୀ ପ୍ରୀତିର ଏହା ହେଉଛି ନମୂନା ।
ଶ୍ରୀ ସାଲୁଜା ଅଭିଯୋଗ କଲେ, ସରକାର ୩୩ଧ ଜମିକୁ ଜଳସେଚିତ କରିଛନ୍ତି ବୋଲି କହୁଛନ୍ତି । ମାତ୍ର ବାସ୍ତବରେ ବଲାଙ୍ଗୀର ଜିଲ୍ଲାରେ ୩% କ୍ଷେତକୁ ସେଚ ମିଳିପାରିଛି । ବଲାଙ୍ଗୀର ଜିଲ୍ଲା ୪ ବର୍ଷ ହେବ ମରୁଡ଼ି ମାଡ଼ ଖାଉଛି । ଏଥର ମଧ୍ୟ ୧୪ଟି ଯାକ ବ୍ଲକରେ ମରୁଡ଼ି ଦେଖାଦେଲାଣି । କିନ୍ତୁ ମରୁଡ଼ିକୁ ଆଖିରେ ରଖି କୌଣସି ଯୋଜନା କରୁନାହାନ୍ତି । ଜିଲ୍ଲାରେ ଲୋକ ଅର୍ଦ୍ଧାହାରରେ ରହୁଛନ୍ତି । ଏବେ ବି ଅନାହାର ମୃତ୍ୟୁ ହେଉଛି । ଲୋୟର ସୁକତେଲ ପ୍ରକଳ୍ପ ଆଗଉନି । ସରକାର ତୁରନ୍ତ ଯେଉଁ ଅଞ୍ଚଳ ମରୁଡ଼ି ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି ସେ ଅଞ୍ଚଳକୁ ମରୁଡିଗ୍ରସ୍ତ ଘୋଷଣା କରନ୍ତୁ । ସରକାର ଏବେଠାରୁ ଘୋଷଣା ନକଲେ ଲୋକ ପୋକମାଛି ଭଳି ମରିବେ ବୋଲି ସେ ସତର୍କ କରାଇ ଦେଇଥିଲେ ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ବର୍ଷା ଅଭାବରୁ ସାରା ଓଡ଼ିଶାରେ ଏବେ ମରୁଡ଼ିର କାୟା । ଚାଷ ଦୂର କଥା ଏବେ ଗାଧୋଇବାକୁ ଓ ପିଇବାକୁ ପାଣି ମିଳୁନି । ବଲାଙ୍ଗୀର ଜିଲ୍ଲାରେ ଅବସ୍ଥା ବେହାଲ । ସରକାର ବାରମ୍ବାର ୩୩ଧ ଜଳସେଚନ କଥା କହୁଛନ୍ତି । ଯଦି ୩୩% ଜଳସେଚନ ହୋଇଛି ଅତି କମରେ ୩୩ଧ କ୍ଷେତରେ ଫସଲ ରହିବା କଥା । ମାତ୍ର ଆମେ କହୁଛୁ ୩ଧ । କାହା କଥା ସତ ଜାଣିବାକୁ ବିଧାନସଭାର ଏକ କମିଟି କ୍ଷେତ୍ର ପରିଦର୍ଶନ କରୁ । ବାସ୍ତବ ସ୍ଥିତି ଅନୁଧ୍ୟାନ କରି କମିଟି ରିପୋର୍ଟ ଦେଉ । ସ୍ୱାଧୀନତାର ୭୨ ବର୍ଷ ପରେ ବି ଜଳସେଚନ ପୂରା ଫେଲ୍ । ସରକାର କେବଳ ଗୋଲାପି ଚିତ୍ର ଦେଉଛନ୍ତି । ବାଚସ୍ପତି ମହୋଦୟ! ଆପଣ ରାଜସ୍ୱ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ । ସେ ଗୃହରେ ବିବୃତି ରଖନ୍ତୁ । ଗୃହ କମିଟି ଗଠନ କରାଯାଉ । ଗୃହ କମିଟି ଯାଇ ସ୍ଥିତି ଅନୁଧ୍ୟାନ କରନ୍ତୁ । ବରଗଡ଼ରେ ଚାଷୀ ଆତ୍ମହତ୍ୟା ଘଟଣା ପରେ କମିଟି ଗଠନ ହୋଇଥିଲା । ମାତ୍ର କିଛି ସୁଫଳ ମିଳିଲାନି । ବିଧାନସଭାରେ ଆମ ମୌଳିକ ଅଧିକାର କ୍ଷୁର୍ଣ୍ଣ ନହେଉ । ଏ ସଂପର୍କରେ ସରକାର ଗୃହକୁ ଅବଗତ କରାନ୍ତୁ ।
ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ ଦେଇ କହିଲେ ଯେ ରାଜସ୍ୱ ମନ୍ତ୍ରୀ ଏ ସଂପର୍କରେ ଗୃହରେ ଦୁଇଦିନ ମଧ୍ୟରେ ନିଜ ବିବୃତି ରଖିବେ ।
Comments are closed, but trackbacks and pingbacks are open.