
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ସହରର ବିଭିନ୍ନ ସରକାରୀ କାନ୍ଥରେ ଏବେ ଶୋଭାପାଉଛି ମନ୍ଦିର, ବନବାସୀଙ୍କ ଚିତ୍ର, ଆଦିବାସୀ ଚିତ୍ରକଳା, ନୃତ୍ୟ ଓ ବଣପାହାଡର ଚିତ୍ର । ପୌରସଂସ୍ଥା ପକ୍ଷରୁ ଏସବୁ କାର୍ଯ୍ୟ କରାଯାଉଛି । ଏଥିରେ ନିୟୋଜିତ ହୋଇଛନ୍ତି ସ୍ଥାନୀୟ ଚିତ୍ରଶିଳ୍ପୀ । କରୋନା ସମୟରେ ସେମାନଙ୍କୁ ଜୀବିକା ଯୋଗାଇଛି ପ୍ରଶାସନ । ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନଥିଲେ ବି ସନ୍ତୋଷ ପ୍ରକାଶ କରିଛନ୍ତି ଚିତ୍ରଶିଳ୍ପୀ ଶୀଳତ କୁମାର ରାଉତ ଓ ନୀଳମାଧବ ନାୟକ ।
ଶୀତଳ ଓ ନୀଳମାଧବ କହିଛନ୍ତି, କମ୍ପୁ୍ୟଟାଇଜ୍ଡ ଫ୍ଲେକ୍ସ ଆସିବା ପରେ ଚିତ୍ରଶିଳ୍ପୀଙ୍କ ଅବସ୍ଥା ଖରାପ ହୋଇଯାଇଛି । ସରକାରୀ ବାର୍ତ୍ତାରେ ଫ୍ଲେକ୍ସ ବ୍ୟବହାର କରାଯାଉଛି । ଦୋକାନ ବଜାରର ବୋର୍ଡ ମଧ୍ୟ ଫ୍ଲେକ୍ସରେ କରାଯାଉଛି । ଏଥିଯୋଗୁ ସେମାନେ କାମଧନ୍ଦା ହରାଇଛନ୍ତି । ବିବାହ ବ୍ରତରେ ଯାହା ବି କାମ ମିଳୁଥିବା, ସେସବୁ କରୋନା ପାଇଁ ବନ୍ଦ ହୋଇଯାଇଛି । ଏଭଳି ସ୍ଥିତିରେ ପୌରସଂସ୍ଥା ପକ୍ଷରୁ ଯେଉଁ ପଦକ୍ଷେପ ନିଆଯାଇଛି, ଏହା ସ୍ୱାଗତଯୋଗ୍ୟ । ସହରରରେ ରହୁଥିବା ଚିତ୍ରଶିଳ୍ପୀମାନେ ଏହାଦ୍ୱାରା ଦି ପଇସା ପାଇପାରିବେ । ତେବେ ପୌରସଂସ୍ଥାର ନିଦେ୍ର୍ଧଶ ଅନୁସାରେ ସେମାନେ ଚିତ୍ର ଆଙ୍କୁଛନ୍ତି । ବିଶେଷ କରି ଆଦିବାସୀଙ୍କ ବେଶଭୂଷା, ନୃତ୍ୟ, ପାହଡ ଜଙ୍ଗଲ ଏବଂ ମନ୍ଦିରର ଚିତ୍ର ଆଙ୍କୁଛନ୍ତି । ଗୋଟିଏ ଗୋଟିଏ ଚିତ୍ରକୁ ୭୦୦ରୁ ୮ଶହ ଟଙ୍କା ମିଳୁଛି । କରୋନା ସମୟରେ ଏଭଳି ରୋଜଗାରର ବାଟ ଦେଖାଇଥିବାରୁ ସେମାନେ ପୌର ପ୍ରଶାସନ ପାଖରେ କୃତଜ୍ଞତା ଜଣାଇଛନ୍ତି ।


Comments are closed, but trackbacks and pingbacks are open.