ସହର ପାଖରେ ବେଆଇନ ଇଟାଭାଟି

Get real time updates directly on you device, subscribe now.

ଜୟପୁର,(ସତ୍ୟ ନାରାୟଣ ଜେନାଙ୍କ ରିପୋର୍ଟ): ସହର ଓ ଆଖପାଖରେ ବଢିଚାଲିଛି ବେଆଇନ ଇଟାଭାଟି । ଇଟା ତିଆରି ପାଇଁ ସରକାରୀ ସମତଳ ଜାଗାର ମାଟି ବ୍ୟବହାର କରୁଛନ୍ତି ଭାଟି ମାଲିକ । ମାଟି ଖୋଳି ଖୋଳି ସମତଳ ଜାଗାରେ ବଡବଡ ଗାତ କରିଦେଉଛନ୍ତି । ଏମିତିକି ଗାଁକୁ ଲାଗି ଇଟା ଭାଟି କରାଯାଉଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି । ରାଜସ୍ୱ ବିଭାଗ ସବୁ ଜାଣି ଅଜଣା ରହୁଛି । ଗାଁ ନିକଟରେ ଇଟାଭାଟି କରାଯାଉଥିବାରୁ ପରିବେଶ ଦୂଷିତ ହେବା ସହ ଅଧିକ ଗରମ ଅନୁଭୂତ ହେଉଛି । ଏଭଳି ଅଭିଯୋଗ କରିଛନ୍ତି ଉମୁରୀ ପଞ୍ଚାୟତବାସୀ । ତୁରନ୍ତ ବେଆଇନ ଇଟାଭାଟି ବନ୍ଦ କରିବାକୁ ଦାବି କରିଛନ୍ତି । ଅଭିଯୋଗ ପାଇବା ପରେ ଆଜି ରାଜସ୍ୱ ନିରୀକ୍ଷକ ଏହାର ତଦନ୍ତ କରିଥିବା ଜଣାପଡିଛି ।
ଉମୁରୀ ପଞ୍ଚାୟତବାସୀ କହିଛନ୍ତି, ପଞ୍ଚାୟତର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଗଢିଉଠିଛି । ଏଥିପ୍ରତି ରାଜସ୍ୱ ବିଭାଗ ଦୃଷ୍ଟି ଦେଉନି । ବିଶେଷ କରି ପେପରମିଲ ଓ ନୂଆଗୁଡା ନିକଟରେ ଅଧିକ ବେଆଇନ ଇଟାଭାଟି ରହିଛି । ଫୁଲବାଡ ନିକଟ ସରକାରୀ ଜମିକୁ ସେମାନେ ଖୋଳି ସାରିଲେଣି । ମାଟି ଖୋଳିବା ଯୋଗୁ ସମତଳ ଜମି ପୋଖରୀ ସଦୃଶ ହୋଇପଡ଼ିଲାଣି । ଯାହା ଭବିଷ୍ୟତରେ କୌଣସି କାମରେ ଆସିବ ନାହିଁ । ରାଜସ୍ୱ ବିଭାଗକୁ ହାତ କରି ଭାଟି ମାଲିକମାନେ ଲକ୍ଷ ଲକ୍ଷ ଟଙ୍କାର ଇଟା ବେପାର କରୁଛନ୍ତିି । ଗାଁ ନିକଟରେ ଇଟାଭାଟି କରାଯାଉଥିବାରୁ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି । କିନ୍ତୁ ଇଟାଭାଟିି ମାଲିକଙ୍କ ନାଲିଆଖିକୁ ଦେଖି ସମସ୍ତେ ଚୁପ ରହିବାକୁ ବାଧ୍ୟ ହେଉଛନ୍ତି । ରାଜସ୍ୱ ବିଭାଗ ପକ୍ଷରୁ ଏସବୁ ଯାଞ୍ଚ କରାଯିବା କଥା ।
ଏ ସମ୍ପର୍କରେ ଆମେ ଉମୁରୀ ରାଜସ୍ୱ ନିରୀକ୍ଷକ ଅଜିତ କୁମାର ସାହୁଙ୍କୁ ପଚାରିବାରୁ କହିଛନ୍ତି, ସେ ନୂଆ କରି ଏହି ପଞ୍ଚାୟତ ଦାୟିତ୍ୱ ନେଇଛନ୍ତି । ଏଭଳି ଅଭିଯୋଗ ମିଳିବା ପରେ ଆଜି ନୂଆଗୁଡାର ଇଟାଭାଟିକୁ ଯାଇଥିଲେ । ଭାଟି ମାଲିକମାନେ କେତେ ଟଙ୍କାର ରାଜସ୍ୱ ବାନ୍ଧିଛନ୍ତି, ସେ ସମ୍ପର୍କରେ କାଗଜପତ୍ର ମାଗିଛନ୍ତି । ଏସବୁ ଯାଞ୍ଚ କରିବା ପରେ ପରବର୍ତ୍ତି ପଦକ୍ଷେପ ନେବେ । ସରକାରୀ ଜାଗାରୁ ମାଟି ଖୋଳିଛନ୍ତି ନା ନାହିଁ ତାହାର ତଦନ୍ତ କରିବେ ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons